ETV Bharat / state

ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ନେଇ ବସିଲା ସର୍ବଦଳୀୟ ବୈଠକ

author img

By ETV Bharat Odisha Team

Published : Oct 26, 2023, 7:42 AM IST

ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବସିଛି ସର୍ବଦଳୀୟ ବୈଠକ । ଆସନ୍ତା ୨୭ଅକ୍ଟୋବର (ଶୁକ୍ରବାର)ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଅଧିକ ପଢନ୍ତୁ

ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ତାଲିକା
ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ତାଲିକା

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବସିଛି ସର୍ବଦଳୀୟ ବୈଠକ । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରାଇଛନ୍ତି । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ଆବଶ୍ୟକ ବୋଲି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ତା.୦୧/୦୧/୨୦୨୪ରିଖକୁ ଯୋଗ୍ୟତାସୂଚକ ତାରିଖ ଭାବେ ନିଆଯାଇ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ ଚାଲୁରହିଛି ।

ଆସନ୍ତା ୨୭ଅକ୍ଟୋବର (ଶୁକ୍ରବାର)ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏହାସହ ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଜାନୁଆରୀ ୦୫ ଦିନ ପ୍ରକାଶ ପାଇବ ବୋଲି ଭାରତ ନିର୍ବାଚନ ଆୟୋଗ ସୂଚନା ଦେଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ପ୍ରକାଶ କରିଛନ୍ତି । ଚିଠା ଭୋଟର ତାଲିକା ରାଜ୍ୟର ସମସ୍ତ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇବ । ଜିଲ୍ଲାସ୍ତରରେ ରାଜନୈତିକ ଦଳମାନେ ଭୋଟର ପଞ୍ଜିକରଣ ଅଧିକାରୀଙ୍କ ଠାରୁ ଚିଠା ଭୋଟର ତାଲିକାର ଏକ ନକଲ କପି ପାଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି ।


ପ୍ରକାଶିତ ଭୋଟର ତାଲିକାରେ ଥିବା ଦୋଷତ୍ରୁଟିକୁ ସୁଧାରିବା ପାଇଁ ପାଇଁ ତା ୨୭ ଅକ୍ଟୋବର ଠାରୁ ଡିସେମ୍ବର 9 ତାରିଖ ପର୍ଯ୍ୟନ୍ତ ଭୋଟରମାନଙ୍କର ଅଭିଯୋଗ ଗ୍ରହଣ କରାଯିବ । ଏହାପରେ 26 ଡିସେମ୍ବର ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି । ୧୮-୧୯ ବର୍ଷ ବର୍ଗର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ନିର୍ବାଚନ ଆୟୋଗ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରି ଆସନ୍ତା ନଭେମ୍ବର ମାସ ୫, ୧୯, ୧୧, ୨୫ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରିଛନ୍ତି । ଏହି ୪ ଗୋଟି ସ୍ଵତନ୍ତ୍ର ଅଭିଯାନ ଦିବସ ଗୁଡ଼ିକରେ ରାଜ୍ୟର ପ୍ରତ୍ୟେକ ବୁଥ୍‌ରେ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଯୋଗ୍ୟ ଭୋଟରମାନଙ୍କର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଇବାରେ ସହାୟତା ପ୍ରଦାନ କରିବେ । ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ଯୋଗୁ (ବୁଥପ୍ରତି ସର୍ବାଧିକ ୧୫୦୦ ଭୋଟର) ନିର୍ବାଚନ ଆୟୋଗ ୨୧୬ ଗୋଟି ନୂତନ ଭୋଟ ଗ୍ରହଣ କେନ୍ଦ୍ର ସୃଷ୍ଟି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପାଣ୍ଡିଆନଙ୍କୁ ଗଞ୍ଜାମ ଯଦି ଗ୍ରହଣ କଲା ଓଡିଶାବାସୀ କାହିଁକି ଗ୍ରହଣ କରିବେନି: ଅମର ଶତପଥୀ

ବର୍ତ୍ତମାନ ରାଜ୍ୟରେ ସମୁଦାୟ ଭୋଟ ଗ୍ରହଣ କେନ୍ଦ୍ର ହେଉଛି ୩୭୮୦୯ ଏବଂ ଏହା ପୂର୍ବରୁ ୩୭୬୦୬ ଥିଲା । ରାଜନୈତିକ ଦଳମାନଙ୍କ ଦ୍ଵାରା ବୁଥ୍‌ସ୍ତରରେ ନିଯୁକ୍ତ ହୋଇଥିବା ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ମୃତ ଭୋଟରଙ୍କ ତାଲିକା ବିଏଲ୍‌ଓଙ୍କ ଜରିଆରେ ପ୍ରଦାନ କରାଯିବ । ଏତଦ୍‌ବ୍ୟତୀତ ଭୋଟରମାନେ ଘରେ ବସି ମୋବାଇଲ୍ ମାଧ୍ୟମରେ ଭୋଟର ତାଲିକାରେ ସେମାନଙ୍କ ନାମ ଅଛି କି ନାହିଁ ଜାଣି ପାରିବେ । ନିର୍ବାଚନ ଆୟୋଗଙ୍କ ୱେବ୍‌ସାଇଟ୍‌କୁ ଯାଇ ‘ଭୋଟର ହେଲପ୍‌ଲାଇନ୍ ଆପ୍‌କୁ’ ବ୍ୟବହାର କରି ଫଟୋ ପରିଚୟ ପତ୍ରରେ ଥିବା ନମ୍ବରକୁ ବ୍ୟବହାର କଲେ ଭୋଟରଙ୍କ ସଂପୂର୍ଣ୍ଣ ବିବରଣୀ ପାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.