ETV Bharat / state

68ତମ ଜାତୀୟ ରେଳ ପୁରସ୍କାର; ଇଷ୍ଟକୋଷ୍ଟ ରେଲଓ୍ବେକୁ ମିଳିବ 2ଟି ଆଓ୍ବାର୍ଡ

author img

By ETV Bharat Odisha Team

Published : Dec 15, 2023, 7:09 AM IST

68th national Railways award: ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମଠାରେ 68ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ଇଷ୍ଟକୋଷ୍ଟ ରେଲଓ୍ବେକୁ 2 ଟି ପୁରସ୍କାର ମିଳିବାକୁ ଯାଉଛି । ଅଧିକ ପଢନ୍ତୁ

68th national Railways award
68ତମ ଜାତୀୟ ରେଳ ପୁରସ୍କାର


ଭୁବନେଶ୍ବର: ନୂଆଦିଲ୍ଲୀ ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମଠାରେ 68ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହେବାକୁ ଯାଉଛି । ଆଜି(ଶୁକ୍ରବାର) ଏହି ଅବସରରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗ ଓ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୂର୍ବତଟ ରେଳପଥକୁ ଦୁଇଟି ଦକ୍ଷତା ସିଲ୍ଡ ଏବଂ ଗୋଟିଏ ବ୍ୟକ୍ତିଗତ ପୁରସ୍କାର "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର" ମିଳିବା ନେଇ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ତେବେ ଉଲ୍ଲେଖନୀୟ ସେବା, ସର୍ବୋତ୍ତମ ପ୍ରଦର୍ଶନ ପାଇଁ ରେଳ କର୍ମଚାରୀ, ଜୋନାଲ ରେଳବାଇ, ପିଏସୟୁକୁ ପୁରସ୍କାର, ଶିଲ୍ଡ ପ୍ରଦାନ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ 21ଟି ଶିଲ୍ଡ ସହିତ ରେଳବାଇ କର୍ମଚାରୀଙ୍କ ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ 100 ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ ।

ଏହି ଅବସରରେ ପୂର୍ବତଟ ରେଳପଥ ବିଭାଗକୁ ମଧ୍ୟ ଦୁଇଟି ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି । ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ପୁରସ୍କୃତ ହେବ ପୂର୍ବତଟ ରେଳପଥ । ଏହା ବ୍ୟତୀତ ପୂର୍ବତଟ ରେଳପଥ ଗୋଟିଏ ବ୍ୟକ୍ତିଗତ ପୁରସ୍କାର "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର" ମଧ୍ୟ ମିଳିବାକୁ ଯାଉଛି । ମାଲ ପରିବହନ ଓ ରାଜସ୍ୱ ଉତ୍ପାଦନରେ ସେବା ପ୍ରତି ଉତ୍ସର୍ଗୀକୃତ ତଥା ନୂତନ ଦ୍ରବ୍ୟ ପରିବହନ ପାଇଁ ନୂତନ ହିତାଧିକାରୀଙ୍କୁ ଆକର୍ଷିତ କରିବା କ୍ଷେତ୍ରରେ ଖୋର୍ଦ୍ଧା ରୋଡ୍‌ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା (ଅପରେସନ୍) ପ୍ରବନ୍ଧକ ରାନ୍ଦି ମନୋଜ ବାବୁ "ଅତି ବିଶିଷ୍ଟ ରେଳ ସେବା ପୁରସ୍କାର" ପାଇବାକୁ ମନୋନୀତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ ଟର୍ମିନାଲ; ପ୍ରଥମ ଝଲକ ସେୟାର କଲେ ରେଳମନ୍ତ୍ରୀ

ଏହି 68ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ ସମାରୋହରେ ରେଳ, କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ଏବଂ ରେଳ ଓ ବୟନ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜାରଡୋଶ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ପ୍ରକାଶଯୋଗ୍ୟ, 1853 ମସିହା ଏପ୍ରିଲ 16 ତାରିଖରେ ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଟ୍ରେନ ଚଳାଚଳ । ଏହି ଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଏପ୍ରିଲ 10ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରେଳ ସପ୍ତାହ ପାଳନ କରାଯାଏ । ରେଳ ସପ୍ତାହରେ, ସମଗ୍ର ଭାରତୀୟ ରେଳବାଇରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.