ETV Bharat / state

ଇଞ୍ଜଣା ପଦ୍ମକେଶରପୁର ଦଙ୍ଗା ଘଟଣା: ପୁଣି ୭୭ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ୧୨ ଜଣ

author img

By ETV Bharat Odisha Team

Published : Oct 28, 2023, 8:16 PM IST

ଗତ ୨୬ ଓ ୨୭ ତାରିଖ ଦିନ ଘଟିଥିବା ଦଙ୍ଗାକୁ ନେଇ ଗିରଫଦାରି ଜାରି ରଖିଛି ପୋଲିସ। ଏନେଇ ୭୭ଜଣଙ୍କୁ ଗିରଫଦାରୀ ପରେ ଏବେ ରାଜନୈତିକ ଅସ୍ଥିରତାକୁ ନେଇ ଉଠିଛି ପ୍ରଶ୍ନ। ଅଧିକ ପଢନ୍ତୁ

77 arrested for group clash
ଇଞ୍ଜଣା ପଦ୍ମକେଶରପୁର ଦଙ୍ଗାରେ ୭୭ ଗିରଫ

ଇଞ୍ଜଣା ପଦ୍ମକେଶରପୁର ଦଙ୍ଗାରେ ୭୭ ଗିରଫ

ଭୁବନେଶ୍ବର: ଇଞ୍ଜଣା ପଦ୍ମକେଶରପୁର ଦଙ୍ଗା ଘଟଣା । ପୁଣି ୭୭ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ସେପ୍ଟେମ୍ୱର ୧ ତାରିଖରେ ସାଇଡମରାକୁ କେନ୍ଦ୍ର କରି ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରେ ଗତ ୨୬ ଓ ୨୭ ତାରିଖରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲା। ପ୍ରଥମ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା ଆଉ ଦ୍ବିତୀୟ ଥର ହୋଇଥିବା ଗଣ୍ଡଗୋଳ ଘଟଣାରେ ୭୭ ଜଣ ଗିରଫ ହୋଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ପଛରେ‌ ରାଜନୈତିକ ଷଡ଼ଯନ୍ତ୍ର ଥିବା କୁହାଯାଉଛି । ସୂଚନା ଅନୁସାରେ, ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନର ସରପଞ୍ଚ ଗୋଷ୍ଠୀ ଭିତରେ ସଂଘର୍ଷରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଉଭୟ ପକ୍ଷଙ୍କ ରାଜନୈତିକ ଶକ୍ତି ପ୍ରଦର୍ଶନକୁ ନେଇ ତେଜୁଛି ଅସନ୍ତୋଷ। ହେଲେ ଏହା ପଛର ରାଜନୈତିକ ଷଡ଼ଯନ୍ତ୍ରକାରୀଙ୍କର‌ ଟେର ପାଉନି ପୋଲିସ ।


ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ହିଂସାତ୍ମକ ପରିସ୍ଥିତି । ଗଣ୍ଡଗୋଳ ଓ ହିଂସା ଭିଆଇବା ଘଟଣାରେ ଅନେକ ଲୋକ ଗିରଫ ହେଉଛନ୍ତି । ହେଲେ ହିଂସାକାଣ୍ଡ ପଛର ବିଷ ମଞ୍ଜି ବୁଣି ଥିବା ରାଜନେତା ଏହାର ଫାଇଦା ନେଉଥିବା ଚର୍ଚ୍ଚା ହେଉଛି । ନେତାଙ୍କ ଭିତରେ ବିବାଦ କାରଣରୁ ଲୋକଙ୍କ ଭିତରେ‌ ଫାଟ ସୃଷ୍ଟି ହୋଇଛି। ଆଗକୁ ସାଧାରଣ ନିର୍ବାଚନ‌ ଥିବାବେଳେ ଆହୁରି ଅପ୍ରୀତିକର ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଛି । ଏହି ହିଂସାକାଣ୍ଡ ପଛରେ ଷଡଯନ୍ତ୍ର ରଚିଥିବା ମାଷ୍ଟରମାଇଣ୍ଡ କେବେ ସାମନାକୁ ଆସିବେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଏହା ବି ପଢନ୍ତୁ...ଉଗ୍ରରୂପ ନେଉଛି ପଦ୍ମକେଶରପୁର ଗଣ୍ଡଗୋଳ, ରାତି ୩ଟାରେ ପୋଲିସ ଉପରକୁ ପଥରମାଡ

ଏହା ବି ପଢନ୍ତୁ...ରାଜଧାନୀର ଏମିତି ଜଣେ ଅପରାଧି, ୧୭ ତାରିଖ ଆସିଲେ ହୋଇଯାଏ ସକ୍ରିୟ

ନିଜର ଭୋଟବ୍ୟାଙ୍କ ପାଇଁ ରାଜନେତାମାନେ ଲୋକଙ୍କୁ ଅସ୍ତ୍ର କରି ଏଭଳି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଛି । ହେଲେ ଘଟଣାରେ ଏଯାଏଁ କୌଣସି ରାଜନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏ ଦିଗରେ ପୋଲିସ ତଦନ୍ତ ନକରିବା ଘଟଣାକୁ ନେଇ ଅସନ୍ତୋଷ ତେଜିଛି । ସେପଟେ ପୋଲିସର ଗିରଫଦାରୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରାଜନୈତିକ ନେତାମାନେ ଏହି ଘଟଣା ପାଇଁ ନିରବ ରହୁଥିବାବେଳେ ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ତେଜିଛି । ସେପଟେ ଏଭଳି ହିଂସାକାଣ୍ଡ ଯୋଗୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ହେଲେ ରାଜଧାନୀରେ ଏଭଳି ସ୍ଥିତି ପୋଲିସ ପାଇଁ ମୁଣ୍ଡବିନ୍ଧା ସାଜିଛି । ତେବେ ପୋଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.