ETV Bharat / state

ବ୍ରେନଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ, ମୃତ୍ୟୁ ପରେ 4 ଜଣଙ୍କୁ ଦେଇଗଲେ ନୂଆ ଜୀବନ

author img

By

Published : Jun 25, 2023, 8:29 PM IST

ସମ ହସ୍ପିଟାଲର ଜଣେ ବ୍ରେନଡେଡ ବ୍ୟକ୍ତି କଲେ ଅଙ୍ଗଦାନ । ଫଳରେ 4 ଜଣଙ୍କ ଜୀବନ ବଞ୍ଚିଯାଇଛି । କିଛି ଅଙ୍ଗ ବିଦେଶ ପଠାଯାଇଥିବା ମଧ୍ୟ ଜଣାପଡ଼ିଛି । ଅଧିକ ପଢନ୍ତୁ

Brain dead man gave new life
Brain dead man gave new life

ବ୍ରେନଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ, ମୃତ୍ୟୁ ପରେ 4ଜଣଙ୍କୁ ଦେଇଗଲେ ନୂଆ ଜୀବନ

ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର । ଅଙ୍ଗଦାନ କରି କରିଗଲେ ମହତ କାମ । ସମ ଅଲ୍ଟିମେଟ ମେଡିକେୟାରରେ ବ୍ରେନଡେଡ ହୋଇଥିବା ରୋଗୀ ତଥା ଭୁବନେଶ୍ବର ବାସିନ୍ଦା ପ୍ରସନ୍ନଜିତଙ୍କର ଶରୀରରୁ ଏକାଧିକ ଅଙ୍ଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି । ଫଳରେ ନୂଆ ଜୀବନ ପାଇଛନ୍ତି ମୃତ୍ୟୁ ସହ ସଂଘର୍ଷ କରୁଥିବା 4ଜଣ ରୋଗୀ । ଦେଶର ତିନିଟି ଭିନ୍ନ ଭିନ୍ନ ସହର ଏହି ଅଙ୍ଗ ପଠାଯାଇଥିବା ଜଣାପଡ଼ିଛି ।

ବ୍ରେନଡେଡ ରୋଗୀ ହେଉଛନ୍ତି ପ୍ରସନ୍ନଜିତ ମହାନ୍ତି । ତାଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥା ଗୁଡ଼ିକର ଉତ୍ତମ ସହଯୋଗ ଦ୍ବାରା ତାଙ୍କ ଶରୀରରୁ 2ଟି ବୃକକ, 2ଟି ଫୁସଫୁସ ଓ ଗୋଟିଏ ଯକୃତ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଏବଂ କୋଲକାତାର ହସ୍ପିଟାଲରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ମେଡିକାଲ ଟିମଙ୍କ ସହାୟତାରେ ଅଙ୍ଗଗୁଡ଼ିକ ଭୁବନେଶ୍ବରରୁ ଅନ୍ୟ 2ଟି ସହରକୁ ବିମାନ ଯୋଗେ ନେବା ସହ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାରେ କୌଣସି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ପୋଲିସ ଏକ ଗ୍ରୀନ କରିଡର ସୃଷ୍ଟି କରିଥିଲା ।

ସମ୍ପୃକ୍ତ ବ୍ୟକ୍ତିଙ୍କର 2ଟି ବୃକକ ମଧ୍ୟରୁ ଜଣେ ରୋଗୀଙ୍କ ଶରୀରରେ ଗୋଟିଏ ବୃକକ ଶନିବାର ଦିନ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଅନ୍ୟଟି ଅନ୍ୟ ଏକ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା। ଫୁସଫୁସ ଦୁଇଟିକୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଜଟିଳ ଅବସ୍ଥାରେ ଥିବା ଜଣେ ୧୬ ବର୍ଷର କିଶୋରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି । ସଂପୃକ୍ତ କିଶୋର ଜଣଙ୍କ ଇକମୋ ସହାୟତାରେ ଥାଇ ଦୀର୍ଘ ୪୫ ଦିନ ଧରି ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଅପେକ୍ଷା କରିଥିଲେ । ସେହିପରି ଭାବରେ ଯକୃତଟିକୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଥିବା ଜଣେ ଜଟିଳ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି ବୋଲି ସମ୍ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ- 5T ସଚିବଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ, ନିୟମ ଉଲ୍ଲଙ୍ଘନ କରିବାକୁ ଅଧିକାର ଦେଲା କିଏ

୪୩ ବର୍ଷୀୟ ପ୍ରସନ୍ନଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ଗତ ଜୁନ ୨୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏକ ଜରୁରୀକାଳୀନ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା । ଯଦିଓ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିଥିଲା ତେବେ ପରବର୍ତ୍ତୀ ସମୟରେ ଏହା ବିଗିଡିବାରେ ଲାଗିଥିଲା । ଜୁନ ୨୩ ତାରିଖରେ କିଛି ଟେଷ୍ଟ କରାଯିବା ପରେ ଏହାର ରିପୋର୍ଟ ପଜିଟିଭ ଆସିଥିଲା । ଯେଉଁଥିରେ ରୋଗୀ ବ୍ରେନଡେଡ ହୋଇଥିବା ସୂଚନା ମିଳିଥିଲା । ଏହାର ୬ ଘଣ୍ଟା ପରେ ଦ୍ବିତୀୟ ପରୀକ୍ଷା କରାଯିବା ପରେ ରୋଗୀ ବ୍ରେନଡେଡ୍ ହୋଇଥିବା ପ୍ରମାଣିତ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ।

ତାଙ୍କର ବିଭିନ୍ନ ଅଙ୍ଗଗୁଡ଼ିକୁ ଦାନ କରିବା ଲାଗି ହସ୍ପିଟାଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯେପରି ଏହାଦ୍ବାରା ଅନ୍ୟ ବ୍ୟକ୍ତିଙ୍କର ଜୀବନ ବଞ୍ଚିପାରିବ । ନିଷ୍ପତ୍ତି ପରେ କୋଲକାତା ଏବଂ ନୂଆଦିଲ୍ଲୀରୁ ଆସିଥିବା ମେଡିକାଲ ଟିମ ପହଞ୍ଚି ୨୦ ଜଣିଆ ସର୍ଜନ ଟିମ ଗଠନ କରାଗଲା । ତେବେ ଦୀର୍ଘ ସାଢ଼େ 4 ଘଣ୍ଟା ଧରି ବ୍ରେନଡେଡ୍ ରୋଗୀଙ୍କ ଶରୀରରୁ ଆବଶ୍ୟକୀୟ ଅଙ୍ଗଗୁଡ଼ିକୁ କାଢ଼ିବାରେ ସଫଳ ହୋଇଥିଲା ଟିମ । ତେବେ ଏନେଇ ମୃତକଙ୍କ ପତ୍ନୀ କହିଛନ୍ତି, "ଅଙ୍ଗଦାନ କରିବା ନେଇ ପୂର୍ବରୁ ତାଙ୍କର ଇଚ୍ଛା ଥିଲା । ଆମେ ମଧ୍ୟ ଚିନ୍ତା କଲୁ ଯେ ଯଦି ତାଙ୍କ ଶରୀରର ଅଙ୍ଗଗୁଡ଼ିକ 4ଜଣ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇପାରିବ ତେବେ ଆମେ ଏହି ମହତ୍ଵ କାର୍ଯ୍ୟ କାହିଁକି କରିବୁ ନାହିଁ। "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.