ETV Bharat / state

5T ସଚିବଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ, ନିୟମ ଉଲ୍ଲଙ୍ଘନ କରିବାକୁ ଅଧିକାର ଦେଲା କିଏ

author img

By

Published : Jun 25, 2023, 7:38 PM IST

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ବାରମ୍ବାର ଅଭିଯୋଗ କରୁଛନ୍ତି ବିରୋଧୀ । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ଆଇନ ଉଲ୍ଲଙ୍ଘନ କରୁଥିବା ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଅଧିକ ପଢ଼ନ୍ତୁ

5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବଙ୍କ ବିଭିନ୍ନ କାର୍ଯ୍ୟଶୈଳୀ ଏବେ ରାଜ୍ୟ ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବାରମ୍ବାର ଏନେଇ ସରକାରୀ ଦଳକୁ ଘେରୁଛନ୍ତି ବିରୋଧୀ । ବିଜେପିର କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତ କରୁଥିବା ବେଳେ ଓଡ଼ିଶାରେ ଶାସନ କିଏ ଚଳାଉଛି ବୋଲି ପ୍ରଶ୍ନ କରୁଛନ୍ତି । ନିକଟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପରୋକ୍ଷରେ 5T ସଚିବଙ୍କୁ ଟାର୍ଗେଟ କରିଥିଲେ । ଏନେଇ ଦୈନିକ ଖବରକାଗଜରେ ଖୋଦ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ନେଇ ଆଜି ଦିନ ତମାମ ରାଜନୀତି ଜୋର ଧରିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ କଂଗ୍ରେସ ପଚାରିଛି ଅନେକ ପ୍ରଶ୍ନ ।

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ମୋର ପ୍ରଥମ ପ୍ରଶ୍ନ ହେଉଛି, ପାଣ୍ଡିଆନ ଯେଉଁ ଗସ୍ତ କରୁଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ହେଉଛି ନା ନାହିଁ । ଗୋଟିଏ RTI ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛନ୍ତି ଯେ ସେଭଳି କୌଣସି ନିର୍ଦ୍ଦେଶ ପାଣ୍ଡିଆନଙ୍କୁ ଦିଆଯାଇନାହିଁ । ଯଦି ଦିଆ ଯାଇନାହିଁ, ତାହେଲେ ଏହା ଜଘନ୍ୟ କଥା । ଜଣେ ସଚିବ ସ୍ତରୀୟ ବ୍ୟକ୍ତି ହେଲିକପ୍ଟରରେ ଯାଉଛନ୍ତି । ତାଙ୍କ ପାଇଁ ପୋଲିସ ବନ୍ଦୋବସ୍ତ କରାଯାଉଛି, ତାଙ୍କ ପାଇଁ ମାଳ ମାଳ ଗାଡ଼ି ଯାଉଛି । ଏହା ସହିତ କେତେକ ସ୍କୁଲ ବସ ଗୁଡ଼ିକୁ ମଧ୍ୟ ନିୟୋଜିତ କରାଯାଇଛି । ଏସବୁ କାର୍ଯ୍ୟ ଯଦି ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ହେଉଛି ତେବେ ଏହା ସଚିବଙ୍କ କଣ୍ଡକ୍ଟ ରୁଲ୍‌ର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ।" ଏଭଳି କରିବାର ଅଧିକାର ସଚିବଙ୍କୁ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରଶାସକରୁ ନେତା ପାଲଟିଥିବା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ସେ ଆହୁରି ପଚାରିଛନ୍ତି, "ଯଦି ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ଏସବୁ ହେଉଛି, ଏ ସବୁ ଘଟଣା ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ନା ନାହିଁ ? ଟିଭି କିମ୍ବା ଖବର କାଗଜ, ସୋସିଆଲ ମିଡିଆ ଚାରିଆଡ଼େ ପ୍ରଚାର ହେଉଛି । ମୁଖ୍ୟମନ୍ତ୍ରୀ ତ ଦେଖୁଥିବେ । ତାହେଲେ ମୁଖ୍ୟମନ୍ତ୍ରୀ କଣ କିଛି ଜାଣିପାରୁ ନାହାନ୍ତି ? ଯଦି ମୁଖ୍ୟମନ୍ତ୍ରୀଙ୍କ ବିନା ସମ୍ମତିରେ ଏ ସବୁ କାର୍ଯ୍ୟକ୍ରମ ଚାଲୁଛି, ତେବେ ଏ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ବନ୍ଦ କାହିଁକି କରୁନାହାନ୍ତି ? ଯଦି ଜଣେ ଅଫିସର ବିନା ଅନୁମତିରେ କାର୍ଯ୍ୟ କରୁଛନ୍ତି, ତେବେ ତାଙ୍କୁ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେତେ ସମୟ ଲାଗିବ ? ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବନ୍ଦ କାହିଁକି କରିନାହାନ୍ତି ? ଏ ପ୍ରଶ୍ନର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଦେବା ଉଚିତ୍ । ଯଦି ଗସ୍ତ ସମୟରେ କୌଣସି ଲୋକ ଆସି ସଚିବଙ୍କୁ ଅପ୍ରତ୍ୟାଶିତ ଭାବେ ଭେଟି କିଛି କହିଲେ, ତାହା ଅଲଗା କଥା । କିନ୍ତୁ ସଚିବଙ୍କ ସବୁ ଗସ୍ତ ତ ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ । କାରଣ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି ଯେ କିଏ କେତେ ସଂଖ୍ୟକ ଲୋକଙ୍କୁ ଗାଡିରେ ବୋହି ଆଣିବେ । ଏହା ବଡ଼ ବିଚିତ୍ର କଥା । ଏଭଳି କରିବା ସମ୍ପୂର୍ଣ୍ଣ ଭାବେ ନିୟମ ବିରୋଧୀ । ପାଣ୍ଡିଆନଙ୍କୁ ତାଙ୍କ ଦଳର ବ୍ୟକ୍ତି କୁହନ୍ତୁ କିମ୍ବା ଯିଏ ବି କୁହନ୍ତୁ, ଯାହା ସତ୍ୟ ତାହା ସତ୍ୟ ।" ଯେଉଁ ନିୟମ ଗୁଡ଼ିକୁ ସଚିବ ଭଙ୍ଗ କରୁଛନ୍ତି, ସେଥିପାଇଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.