ETV Bharat / state

୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ, ପ୍ରଥମ ଦିନରେ ୩୮୯ ସ୍କୁଲ ଲୋକାର୍ପିତ

author img

By ETV Bharat Odisha Team

Published : Jan 11, 2024, 8:54 PM IST

Transformed Schools Inaugurated: ଚତୁର୍ଥ ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୫ଟି ଜିଲ୍ଲାର ସ୍କୁଲ ଲୋକାର୍ପଣ ହୋଇଛି । 5-T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ
୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟ

ଭୁବନେଶ୍ବର: 5-T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୫ଟି ଜିଲ୍ଲାର ସ୍କୁଲ ଲୋକାର୍ପଣ ହୋଇଛି । ଜଗତସିଂହପୁର, ଝାରସୁଗୁଡ଼ା, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ବରଗଡ଼ ଜିଲ୍ଲାର ୩୮୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ୧୪୯, ଝାରସୁଗୁଡାର ୧୧, ଜଗତସିଂହପୁରର ୫୭, କେନ୍ଦ୍ରାପଡାର ୧୧୨ ଓ ବରଗଡ଼ର ୬୦ଟି ହାଇସ୍କୁଲ ଅନ୍ତର୍ଭୁକ୍ତ ରହିଛି । ଚତୁର୍ଥ ପର୍ଯ୍ୟାୟରେ ୧ ହଜାର ୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬ହଜାର ୮୮୩ଟି ସ୍କୁଲ ରୂପାନ୍ତରିତ ସରିଛି । ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ରାଜ୍ୟରେ ସମୁଦାୟ ୮ହଜାର ୬୭୭ଟି ସ୍କୁଲ ରୂପାନ୍ତରିତ ହେବାର ଲକ୍ଷ୍ୟ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ,"ଓଡି଼ଶାରେ ରୂପାନ୍ତରର ଯୁଗ ଚାଲିଛି । ସ୍କୁଲ, କଲେଜ, ହସ୍ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ, ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡି଼ଶା, ସଶକ୍ତ ଓଡି଼ଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ଏସବୁ ରୂପାନ୍ତର କାର୍ଯ୍ୟ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ । ଶିକ୍ଷା ହିଁ ଆମ ସମାଜର ସାମୂହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ । ସ୍କୁଲ ରୂପାନ୍ତର ଓଡିଆ ଜାତିର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଆଗାମୀ ଦିନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି । ଏକ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଏବେ ସରକାରୀ ସ୍କୁଲ ଗୁଡିକ ଶ୍ରେଷ୍ଠ ମାଧ୍ୟମ ହୋଇଛି ।"

ଏହାସହ 5-T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କହିଛନ୍ତି , "୨୦୨୧ ଫେବୃଆରୀ ୧୬ରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁରୁ ସ୍କୁଲ ରୂପାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ଚତୁର୍ଥ ପର୍ଯ୍ୟାୟରେ ଆମେ ପହଞ୍ଚିଛୁ । ସ୍ଥାନୀୟ ଜନପ୍ରତିନିଧି, ସ୍କୁଲ ପରିଚାଳନା କମିଟି ଓ ଜନସାଧାରଣଙ୍କୁ ଧନ୍ୟବାଦ । ସମସ୍ତଙ୍କ ସହଯୋଗ ଯୋଗୁଁ ଆମେ ଏହି ସଫଳତା ହାସଲ କରିଛୁ । 5-T ସ୍କୁଲ ରୂପାନ୍ତର ଆଜି ପିଲାଙ୍କ ମଧ୍ୟରେ ଭଲ ପାଠ ପଢି ବଡ ହେବାର ସ୍ବପ୍ନକୁ ଜାଗ୍ରତ କରିପାରିଛି ।" 5-T ସ୍କୁଲ ରୂପାନ୍ତର ସମ୍ପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...୧୦୬ଟି ସ୍କୁଲକୁ ଜମି ପଟ୍ଟା ଦେଲା ବିଏମସି


ଗଞ୍ଜାମରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଝାରସୁଗୁଡାରେ ବିଧାୟିକା ଦିପାଳୀ ଦାସ, ଜଗତସିଂହପୁରରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କେନ୍ଦ୍ରାପଡ଼ାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରଗଡ଼ରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ । ଉନ୍ନୟନ କମିଶନର ଅନୁ ଗର୍ଗ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ ସ୍ବାଗତ ଭାଷଣ ଦେଇଛନ୍ତି । ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.