ETV Bharat / state

ପନ୍ଦର ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ

author img

By ETV Bharat Odisha Team

Published : Dec 13, 2023, 7:16 AM IST

Sarpanch Association Stage Protest : "ନବୀନ ଓଡିଶା ଆମ ଓଡିଶା’’ ଯୋଜନାରେ ଗ୍ରାମସଭାଗୁଡିକରେ ସରପଞ୍ଚ ମାନଙ୍କୁ ସାମିଲ କରାଯାଇ ନାହିଁ । ଏନେଇ କେନ୍ଦୁଝରରେ ୧୫ ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ କରିଛି । ଅଧିକ ପଢନ୍ତୁ

ପନ୍ଦର ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ
ପନ୍ଦର ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ

ପନ୍ଦର ଦଫା ଦାବି ନେଇ ସରପଞ୍ଚ ମହାସଂଘର ବିକ୍ଷୋଭ

କେନ୍ଦୁଝର: ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତକୁ ଅଖଣ୍ଡ କ୍ଷମତା ଦିଆଯାଇଛି । କୋରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କ ଉପରେ ଆସ୍ଥାରଖି ଜିଲ୍ଲାପାଳ କ୍ଷମତା ଦେଇଥିଲେ । ହେଲେ ପରବର୍ତ୍ତୀ କାଳରେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପରେ ବିଭିନ୍ନ ପ୍ରଶାସନିକ ଚିଠି ବଳରେ ଗ୍ରାମପଞ୍ଚାୟତ ସମସ୍ତ କ୍ଷମତା ଅପସାରଣ କରି ପଞ୍ଚାୟତ ସମିତି ହାତରେ ସମର୍ପି ଦିଆଯାଇଛି ବୋଲି ଅଭିଯୋଗ କରିଛି ସରପଞ୍ଚ ସଂଘ । ବର୍ତ୍ତମାନ "ନବୀନ ଓଡିଶା ଆମ ଓଡିଶା’’ ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ରାଶି ପ୍ରଦାନ କରାଯାଇଛି ।

ଯୋଜନାର ପ୍ରକଳ୍ପ ଚୟନ ନେଇ ଅନୁଷ୍ଠିତ ଗ୍ରାମସଭାଗୁଡିକରେ ତଳ ସ୍ତରରେ ନିର୍ବାଚିତ ପ୍ରତିନିଧି ସାମିଲ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି, କିନ୍ତୁ କେନ୍ଦୁଝର ଜିଲ୍ଲାରେ ନିୟମିତ ଉଲଂଘନ କରାଯାଇ ତଳସ୍ତରରେ ନିର୍ବାଚିତ ପ୍ରତିନିଧି ସାମିଲ କରାଯାଇ ନାହିଁ । ତେଣୁ ଏହାର ପୁର୍ନବାର କରି ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଯୋଜନା ନେଇ ପ୍ରକଳ୍ପ ଚୟନ କରିବାକୁ ଦାବି କରିଛି ସଂଘ । ଡି.ଏମ୍.ଏଫ୍. ଫଣ୍ଡରୁ ପ୍ରତ୍ୟେକ ପଞ୍ଚାୟତକୁ ବର୍ଷକୁ ଅନୁନ୍ୟ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ , ବାର୍ଦ୍ଧକ୍ୟ ବିଧବା ଭତ୍ତା ୫୦୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଉ । ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ସହିତ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ (ବିକଳାଙ୍ଗ, ବିଧବା, ବାର୍ଦ୍ଧକ୍ୟ)ଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ୪୫ ଦିନ ଭିତରେ ନିଶ୍ଚିତ ଭତ୍ତା ପ୍ରଦାନ କରାଯାଉ ।

ଏହା ମଧ୍ୟ ପଢନ୍ତୁ ... କେନ୍ଦୁଝରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ସିଏଫ୍‌ସି/ଏସ୍ଏଫ୍‌ସି ପାଣ୍ଠି ବୃଦ୍ଧି କରାଯାଉ ଏବଂ ଲଗାଯାଇଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକର ବିଦ୍ୟୁତ୍ ଦେୟ ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଉ । ମନରେଗା ଯୋଜନାରେ ଅନ୍ୟ ଜିଲ୍ଲା ମାନଙ୍କରେ ବିଭିନ୍ନ ଉନ୍ନତିମୂଳକ କାମ କରାଯାଉଥିଲେ ମଧ୍ୟ କେନ୍ଦୁଝରରେ କେବଳ ମାଟି ବୁହା କାର୍ଯ୍ୟକୁ ଅଗ୍ରାଧ୍ୟାକାର ଦିଆଯାଇଛି । ଯାହା ଫଳରେ ଯୁବପିଢି ମାଟି ବୁହା କାମ ନକରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସରପଞ୍ଚ ମାନଙ୍କୁ ପାରିତୋଷିକ ବାବଦକୁ ମାତ୍ର ୨୩୫୦ ଟଙ୍କା ଦିଆଯାଉଛି । ତେଣୁ ସେମାନଙ୍କୁ ପରିବାର ଚଳାଇବା କଷ୍ଟହେଉଛି । ଏଣୁ ପାରିତୋଷିକ ବାବଦକୁ ମାସିକ ୩୦ ହଜାର ଟଙ୍କା ଓ ୱାର୍ଡ ମେମ୍ବର ମାନଙ୍କୁ ୫ ହଜାର ଟଙ୍କା ଦିଆଯାଉ ଏବଂ ସରପଞ୍ଚମାନଙ୍କୁ ଅବସରକାଳୀନ ଭତ୍ତା ଅନୁନ୍ୟ ୧୦ ହଜାର ଟଙ୍କା ଦିଆଯାଉ ।

ସରପଞ୍ଚ ମାନଙ୍କୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ ଓ ବିଜୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଉ । କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ହେଲେ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଏହି ଭଳି ଅନେକ ଦାବି ନେଇ ଜିଲ୍ଲାର ତେରୋଟି ବ୍ଲକର ୨୬୦ରୁ ଉର୍ଦ୍ଧ୍ବ ସରପଞ୍ଚ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଥାଶୀଘ୍ର ଦାବି ନମାନିଲେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟ ଠପ କରି ଦିଆଯିବ ବୋଲି ସରପଞ୍ଚ ସଂଘ ଦାବି କରିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.