ETV Bharat / state

ଧାନମଣ୍ଡି ଅବ୍ୟବସ୍ଥା, ପ୍ରତିବାଦ କଲା ବିଜେପି କୃଷକ ମୋର୍ଚ୍ଚା

author img

By ETV Bharat Odisha Team

Published : Nov 29, 2023, 4:37 PM IST

Farmer Protest: ଧାନମଣ୍ଡି ଅବ୍ୟବସ୍ଥା ନେଇ ପ୍ରତିବାଦ । ଉପଜିଲ୍ଲାପାଳଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ । ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଆଗକୁ ପଢ଼ନ୍ତୁ

ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦ
ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦ

ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦ

କେନ୍ଦୁଝର: ଧାନମଣ୍ଡି ଅବ୍ୟବସ୍ଥା ନେଇ ପ୍ରତିବାଦ । ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି କୃଷକ ମୋର୍ଚ୍ଚା । ଉପଜିଲ୍ଲାପାଳଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ ସହ ସରକାର ଦାବି ଗୁଡିକ ପୂରଣ ନକଲେ ଆନ୍ଦୋଳନ ଚେତାବନୀ ଦେଲା ବିଜେପି କୃଷକ ମୋର୍ଚ୍ଚା ।

ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଦର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡିକ ହେଲା ରାଜ୍ୟ ସରକାର ତୁରନ୍ତ ଧାନମଣ୍ଡି ଖୋଲନ୍ତୁ, ଧାନମଣ୍ଡିକୁ ସବୁ ଦିନିଆ ଖୋଲାଯାଉ, ଧାନମଣ୍ଡିରେ କୁଇଣ୍ଟାଲ ପ୍ରତି ୫ କିଲୋ ୧୦ କିଲୋ କଟନି ଛଟନି ବନ୍ଦ କରାଯାଉ, ଧାନମଣ୍ଡିରେ ମିଲର ମାନଙ୍କର ଦାଦାଗିରି ବନ୍ଦ କରାଯିବା ସହିତ ମିଲର ମାନଙ୍କର ପ୍ରବେଶକୁ ବନ୍ଦ କରାଯାଉ ଓ ଧାନ କିଣା କାରବାରରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ।

ଏହି ସବୁ ଦାବିକୁ ନେଇ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆନ୍ଦୋଳନ କରାଯାଇଛି । ରାଜ୍ୟ ସରକାର ଯଥାଶୀଘ୍ର ଉକ୍ତ ଦାବି ଗୁଡିକୁ ପୁରଣ କରନ୍ତୁ ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ କହିଛନ୍ତି । ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଓଡିଶାର ସମସ୍ତ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ । ନଭେମ୍ବର ମାସ ସରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିଲା ନାହିଁ । ଯଦ୍ଵାରା ଚାଷୀ ବାଧ୍ୟହୋଇ ଧାନକୁ ଦଲାଲ ମାନଙ୍କୁ ୧୩ ଶହ ୧୪ ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଏହାର ପ୍ରତିବାଦରେ ନଭେମ୍ବର ୨୯ ତାରିଖ ଦିନ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ୫୮ଟି ସବ୍ଡ଼ିଭିଜନରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଓଡିଶାର ରାଜ୍ୟପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବିପତ୍ର ପ୍ରଦାନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଟ୍ରେନ୍‌ରେ ଅଧିକ ବଗି ଲଗାଇବା ଦାବି, ଟ୍ରେନ୍‌ ଅଟକାଇ ପ୍ରତିବାଦ କଲେ ଯାତ୍ରୀ

ଯଦି ରାଜ୍ୟ ସରକାର ଉକ୍ତ ଦାବିଗୁଡିକୁ ପୂରଣ ନକରନ୍ତି ତାହାହଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବା । ଓଡିଶାର ସମସ୍ତ ଗ୍ରାମରେ କୃଷକ ପଞ୍ଚାୟତ କରାଯାଇ ନବୀନ ପଟ୍ଟନାୟକ ସରକାରର ଚାଷୀ ମାରଣ ନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସଚେତନତା ସୃଷ୍ଟି କରାଯିବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଚାଷୀ ମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଉପରେ ଚାଷୀ ମାନଙ୍କୁ ଅବଗତ କରାଇବ । ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣକାରୀ ଯୋଜନାକୁ ଓଡ଼ିଶା ସରକାର ହରିଲୁଟ କରି ଚାଷୀକର ହକରୁ ବଞ୍ଚିତ କରୁଛନ୍ତି ବୋଲି ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ତାଙ୍କର ଭାଷଣରେ କହିଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଭାଗିରଥି ସିଂ, ଜିଲ୍ଲା କୋଷାଧ୍ୟକ୍ଷ ହରିହର ମହାନ୍ତ , ଘଷିପୁରା ପ୍ରଭାରୀ ସୁବ୍ରତ ମହାନ୍ତି, ବରିଷ୍ଠ ବିଜେପି ନେତ୍ରୀ କିରଣ ବାଳା ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.