ETV Bharat / state

କେନ୍ଦୁଝରରେ ନବ ନିର୍ମାଣ କୃଷକ ସଂଗଠନର ବିଶାଳ ଚାଷୀ ସମାବେଶ

author img

By ETV Bharat Odisha Team

Published : Jan 10, 2024, 11:30 AM IST

Farmer rally in Keonjhar: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ମଧ୍ୟ ସରଗରମ ହେଉଛି । ନୂତନ ଭାବେ ରାଜ୍ୟରେ ପାଦ ଥାପୁଥିବା ନବ ନିର୍ମାଣ କୃଷକ ସଂଗଠନ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ନବ ନିର୍ମାଣ କୃଷକ ସଂଗଠନ
ନବ ନିର୍ମାଣ କୃଷକ ସଂଗଠନ

କେନ୍ଦୁଝର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ସରଗରମ ହେବାରେ ଲାଗିଛି । ନୂତନ ଭାବେ ରାଜ୍ୟରେ ପାଦ ଥାପୁଥିବା ନବ ନିର୍ମାଣ କୃଷକ ସଂଗଠନ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଚାଷୀ ଓ ଚାଷର ବିକାଶ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି କୃଷକ ସଂଗଠନ । ଏହି ପରିପ୍ରେକ୍ଷୀରେ ସଂଗଠନର ରାଜ୍ୟ ସହ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ଉମାକାନ୍ତ ଭାରତଙ୍କ ନେତୃତ୍ୱରେ ପାଟଣା ବ୍ଲକ ସ୍ଥିତ କଲେଜ ପଡ଼ିଆରେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ''ସିଂହାସନ ଛାଡ଼'' ଚାଷୀ ସମାବେଶ ଆୟୋଜନ କରାଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଗରିବ ଚାଷୀମାନଙ୍କ ପାଇଁ ନବଜାଗରଣ ସୃଷ୍ଟି କରି ସେମାନଙ୍କ ଲାଗି ସ୍ବର ଉତ୍ତୋଳନ କରିବା ବୋଲି ପକ୍ଷରୁ କୁହାଯାଇଛି ।

''ସିଂହାସନ ଛାଡ଼'' ଚାଷୀ ସମାବେଶରେ ନିର୍ବାଚନ ମଣ୍ଡଳୀର ୫୬ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ଚାଷୀମାନେ ଆସି ପୁରୁଣା ଶିବ ମନ୍ଦିର ଠାରେ ସାମିଲ ହୋଇଥିଲେ । ଏହାପରେ ଶୋଭାଯାତ୍ରାରେ ବଜାର ପରିକ୍ରମା କରି କଲେଜ ପଡ଼ିଆରେ ପହଞ୍ଚିଥିଲେ । ନବ ନିର୍ମାଣ କୃଷକ ସଂଗଠନ ଚାଷୀ ଓ ଚାଷର ବିକାଶ ପାଇଁ ଆନ୍ଦୋଳନ ଜାରି ରଖିବା ସହ ପାର୍ଟି ପାଇଁ ନୁହଁ ମାଟି ପାଇଁ ସମସ୍ତଙ୍କୁ ଏକାଠି କରାଯାଇଛି ବୋଲି କହିଛି ।

ଏହି ଚାଷୀ ସମାବେଶରେ ଉମାକାନ୍ତ ଭାରତ କହିଥିଲେ ଯେ, କେନ୍ଦୁଝର ଜିଲ୍ଲା ପ୍ରାକୃତିକ ସମ୍ବଳରେ ଏକ ନମ୍ବର ଥିବା ସତ୍ତ୍ବେ ଗରିବୀ ଓ ଦାଦନରେ ସର୍ବାଗ୍ରେ । ବେଲ ପାଚିଲେ କାଉର କି ଲାଭ ନୀତିରେ କେନ୍ଦୁଝରବାସୀ କାଳତିପାତ କରୁଛନ୍ତି । ମଣ୍ଡିରେ ୫/୬ କେଜି ଧାନ କାଟ, ହାତୀ ସମସ୍ୟା, ଜଳସେଚନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦିକୁ ସରକାର ଧ୍ୟାନ ନଦେଇ ଡିଏମଏଫ୍ ଫଣ୍ଡକୁ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁରେ ନିଜ ପେଟ ଭରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ନେତାଙ୍କୁ ନାଲି ଆଖି, କାମ ନକଲେ ପଦ ଛାଡ଼: ପ୍ରଭାରୀ ଅଜୟ କୁମାର

ରାଜ୍ୟ ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ତାଙ୍କ ବକ୍ତବ୍ୟରେ ରାଜ୍ୟରେ ଚାଲିଥିବା ଅପାରଗ ବିଜେଡି ସରକାରର ପଚିଶ ବର୍ଷର କଳାକାରନାମା ଜ ଜଙ୍ଗଲ ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଜମି ଦୁର୍ନୀତି, ଖଣି ଦୁର୍ନୀତି, ଡାଲି ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଦେବୀ ପ୍ରସାଦ ମହାରଣା ବିପ୍ଳବୀ ସଙ୍ଗୀତ ଗାନ କରିଥିଲେ । ସଂଗଠନର ଅନ୍ୟ ନେତୃତ୍ୱମାନଙ୍କ ମଧ୍ୟରେ ନିମାଇଁ ରାୟ, ଡ. କୁଳମଣି, ଲକ୍ଷ୍ମୀଧର ପ୍ରଧାନ, ଇନ୍ଦ୍ରମଣି ବିଶ୍ଵାଳ, ଖଗେଶ୍ବର ମହାନ୍ତ, ବିଳାସିନୀ ମହାନ୍ତ, ସ୍ମୃତି ରଞ୍ଜନ ମହାନ୍ତ, କୁସଧ୍ୱଜ ନାୟକ, ପ୍ରଭୃତି ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ନିର୍ବାଚନ ମଇଦାନରେ ଚାଷୀମାନଙ୍କୁ ଓହ୍ଲାଇବା ପାଇଁ କହିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.