ETV Bharat / state

ଧାନ ଅଭାବୀ ବିକ୍ରି ଓ ମଣ୍ଡିରେ ଅବ୍ୟବସ୍ଥା, ଆନ୍ଦୋଳନ ଚେତାବନୀ ଦେଲା ବିଜେପି କୃଷକ ମୋର୍ଚ୍ଚା

author img

By ETV Bharat Odisha Team

Published : Dec 20, 2023, 8:34 PM IST

Irregularities of Paddy Procurement Centres: ଧାନର ଅଭାବୀ ବିକ୍ରି ଓ ଧାନମଣ୍ଡିର ଅବ୍ୟବସ୍ଥା ନେଇ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଲା ଦଳ । ଅଧିକ ପଢନ୍ତୁ

bjp press meet
ଧାନମଣ୍ଡିର ଅବ୍ୟବସ୍ଥା

ଧାନମଣ୍ଡିର ଅବ୍ୟବସ୍ଥା

କେନ୍ଦୁଝର: ଧାନର ଅଭାବୀ ବିକ୍ରି ଓ ଧାନମଣ୍ଡିର ଅବ୍ୟବସ୍ଥା ନେଇ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା । କେନ୍ଦୁଝର ଜିଲ୍ଲାରେ ଧାନ ବିକ୍ରିରେ ଅବ୍ୟବସ୍ଥା ଉପରେ କେନ୍ଦୁଝର ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । "ଓଡ଼ିଶା ସରକାର ନଭେମ୍ବର ୧ ରୁ ସାରା ରାଜ୍ୟରେ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ । କିନ୍ତୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଡିସେମ୍ବର ୧୩ ତାରିଖ ଦିନ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲା। ଧାନମଣ୍ଡି ଖୋଲିବା ବିଳମ୍ବ ଯୋଗୁ ଚାଷୀ ବାଧ୍ୟ ହୋଇ କେନ୍ଦୁଝର ଜିଲ୍ଲାରେ ଧାନ କୁଇଣ୍ଟାଲ ପ୍ରତି ୧୪ ଶହରୁ ୧୫ ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଜିଲ୍ଲାରେ ସରକାର ଧାନ କିଣିଥବା ବେଳେ ମିଲ ଗୁଡିକ ଧାନରେ ଭର୍ତ୍ତି ହେଇଗଲାଣି । ଏହି ଧାନ ମିଲ ମାଲିକମାନେ କେଉଁଠାରୁ ଆଣିଲେ ? ତାହାର ଜବାବ ସରକାର ଓ ଜିଲ୍ଲା ପ୍ରଶାସନ ଦିଅନ୍ତୁ" ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "କେନ୍ଦୁଝରରେ ବିଳମ୍ବରେ ଧାନମଣ୍ଡି ଖୋଲିଥିବାବେଳେ ମିଲରମାନଙ୍କର ଦାଦାଗିରି ଚାଲିଛି । ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ରୁ ୧୦ କିଲୋ ପର୍ଯ୍ୟନ୍ତ କଟନି ଛଟନି କରି ଚାଷୀକୁ ଶୋଷଣ କରାଯାଉଛି। ଚାଷୀକୁ ତା'ର ବସ୍ତା ଟଙ୍କା ମିଳୁନାହିଁ। ଧାନମଣ୍ଡିରେ ଚାଷୀମାନଙ୍କ ପାଇଁ ଘର, ପାଇଖାନା, ପିଇବା ପାଇଁ ସ୍ଵଚ୍ଛ ପାଣିର ବ୍ୟବସ୍ଥା ନାହିଁ । ଧାନକୁ ସୁରକ୍ଷିତ ରଖିବା ପାଇଁ ଗୋଦାମ ଘର ନାହିଁ, ପାଚେରୀ ନିର୍ମାଣ ହୋଇନଥିବାବେଳେ ନାହିଁ ନାହିଁରେ କେନ୍ଦୁଝର ଜିଲ୍ଲାରେ ଚାଲିଛି ଧାନମଣ୍ଡି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି କିନ୍ତୁ ଦେଶବ୍ୟାପୀ ସବୁ ରାଜ୍ୟର ଚାଷୀମାନେ ଏହାର ଲାଭ ପାଉଥିବାବେଳେ ଓଡିଶାର ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି।"

ଏହା ମଧ୍ୟ ପଢନ୍ତୁ...ମିଗଜୋମ୍ ପ୍ରଭାବରେ ଧାନମଣ୍ଡି ବନ୍ଦ, ଚାଷୀ ହନ୍ତସନ୍ତ

"ଦୀର୍ଘ ୨୪ ବର୍ଷ ନବୀନ ପଟ୍ଟନାୟକଙ୍କ ସରକାରରେ ଚାଷୀ ଆୟ ଜାତୀୟ ଗଣନାରେ ମାସକ ମାତ୍ର ୫ ହଜାର ଟଙ୍କା, ଯାହାକି ଦେଶର ସବୁଠାରୁ ତଳେ । ଧାନମଣ୍ଡିର ଉନ୍ନତି ଲାଗି କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଉଛନ୍ତି କିନ୍ତୁ କେନ୍ଦୁଝର ଜିଲ୍ଲାରେ ଧାନମଣ୍ଡିର ଅବ୍ୟବସ୍ଥା ବିଷୟରେ ନକହିବା ଭଲ । ରାଜ୍ୟ ସରକାର ତୁରନ୍ତ ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ସହିତ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ବନ୍ଦ କରିବା ସହିତ ସିବିଆଇ ତଦନ୍ତ କରନ୍ତୁ ନହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ବ୍ୟାପକ ଭାବେ କୃଷକ ଆନ୍ଦୋଳନ କରାଯିବ" ବୋଲି କହି ଚେତାବନୀ ଦେଇଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଜେପି ଜିଲ୍ଳା ସଭାପତି ରାଧାକାନ୍ତ ମହାନ୍ତ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକହରିହର ମହାନ୍ତ ଓ କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.