ETV Bharat / state

୧ ଲକ୍ଷ ତ୍ରିରଙ୍ଗା ତିଆରିରେ ବ୍ୟସ୍ତ ମହିଳା, କମ୍ ପାରିଶ୍ରମିକ ସତ୍ତ୍ବେ କାମରେ ଦେଖାଇଛନ୍ତି ନିଷ୍ଠା

author img

By

Published : Aug 13, 2023, 6:22 PM IST

Updated : Aug 13, 2023, 7:56 PM IST

୧ ଲକ୍ଷ ଜାତୀୟ ପତାକା ତିଆରି କରୁଛନ୍ତି ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀର ସଦସ୍ୟ। କେନ୍ଦ୍ରାପଡ଼ାରେ ୧୫୦ରୁ ଉର୍ଦ୍ଧ୍ବ ସଂଖ୍ୟାଲଘୁ ଓ ହିନ୍ଦୁ ଯୁବତୀ ଏବଂ ମହିଳାମାନେ ତ୍ରିରଙ୍ଗା ତିଆରି କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ତ୍ରିରଙ୍ଗା ତିଆରିରେ ବ୍ୟସ୍ତ ମହିଳା
ତ୍ରିରଙ୍ଗା ତିଆରିରେ ବ୍ୟସ୍ତ ମହିଳା

ତ୍ରିରଙ୍ଗା ତିଆରିରେ ବ୍ୟସ୍ତ ମହିଳା

କେନ୍ଦ୍ରାପଡ଼ା: ଦିନକ ପରେ ସ୍ବାଧୀନତା ଦିବସ ପାଳନ ହେବ । ଆଉ ରାତି ପାହିଲେ ଜିଲ୍ଲା ପ୍ରଶାସନ ନେବ ୧ ଲକ୍ଷ ଜାତୀୟ ପତାକା । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆରମ୍ଭ ହୋଇଛି 'ହର ଘର ତ୍ରିରଙ୍ଗା' ଅଭିଯାନ । ଏଥିପାଇଁ ଆବଶ୍ୟକୀୟ ପତାକା ପାଇଁ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ "ଭୋକାଲ ଫର ଲୋକାଲ" ଆଧାରରେ ତ୍ରିରଙ୍ଗା ତିଆରି କରୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ।

କେନ୍ଦ୍ରାପଡ଼ା ଡେରାବିଶ ଗୋଲରାହାଟ ପଞ୍ଚାୟତର "ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ"ର ୧୫୦ରୁ ଊର୍ଦ୍ଧ୍ବ ସଂଖ୍ୟାଲଘୁ ଓ ହିନ୍ଦୁ ଯୁବତୀ ଏବଂ ମହିଳାମାନେ ତ୍ରିରଙ୍ଗା ତିଆରିରେ ଲାଗି ପଡ଼ିଛନ୍ତି। ଖୁବ୍‌ କମ୍‌ ପାରିଶ୍ରମିକରେ ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ସେମାନେ ତ୍ରିରଙ୍ଗା ତିଆରିରେ ବ୍ୟସ୍ତ ରହିଛନ୍ତି । ସେମାନଙ୍କ ହାତ ତିଆରି ପତାକା ଜିଲ୍ଲାର କୋଣ ଅନୁକୋଣରେ ଉଡ଼ିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ଏହି ଉତ୍ପାଦ ଗୋଷ୍ଠୀର ସଦସ୍ୟା ।

ତେବେ ୧୯୪୭ ଅଗଷ୍ଟ ୧୫ ତାରିଖରେ ମିଳିଥିବା ସ୍ଵାଧୀନତା ପାଇଁ ଅନେକ ସଂଗ୍ରାମୀ କାରାବରଣ କରିଥିଲେ । ଆଉ କେତେଜଣ ସଂଗ୍ରାମୀ ହସିହସି ମୃତ୍ୟୁକୁ ଆଦରି ନେଇଥିଲେ । ତେବେ ଏସବୁ ମଧ୍ୟରେ ଦେଶ ସ୍ଵାଧୀନ ହୋଇଥିବାବେଳେ ଏକାଧିକ ଥର ପରିବର୍ତ୍ତିତ ହେବା ପରେ ଶେଷରେ ଆମ ଜାତୀୟ ପତାକା "ତ୍ରିରଙ୍ଗା" ଫରଫର ହୋଇ ଉଡିଲା । ୧୯୪୭ ଜୁଲାଇ ମାସରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ "ତ୍ରିରଙ୍ଗା"କୁ ଜାତୀୟ ପତାକା ମାନ୍ୟତା ଦିଆଯାଇ ୧୯୪୭ ଅଗଷ୍ଟ ୧୫ତାରିଖରେ ଦିଲ୍ଲୀର ଲାଲକିଲ୍ଲାଠାରେ ଏହା ପ୍ରଥମଥର ଉଡ଼ିଥିଲା । ସେହିଦିନଠାରୁ ସାରା ଦେଶ ପାଳି ଆସୁଛି ସ୍ବାଧୀନତା ଦିବସ । ଚଳିତ ଥର ସ୍ବାଧୀନତାର 77 ବର୍ଷ ପାଳନ ହେବାକୁ ଥିବାବେଳେ 'ହର ଘର ତ୍ରିରଙ୍ଗା'ର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ଦିନକ ପରେ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ଫୁଲ ଡ୍ରେସ ରିହର୍ସଲ

ସୂଚନା ଆନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଓରମାସ ଓ ଓଡ଼ିଶା ଜୀବିକା ମିଶନ ସହ "ମିଶନ ଶକ୍ତି" ବିଭାଗ ପକ୍ଷରୁ ଏହି ଉତ୍ପାଦ ଗୋଷ୍ଠୀକୁ ୧ ଲକ୍ଷ ପତାକା ତିଆରି ପାଇଁ ନିର୍ଦ୍ଦେଶ ରହିଥିଲା । ୧ ଲକ୍ଷ ଜାତୀୟ ପତାକା ପାଇଁ ଆବଶ୍ୟକୀୟ କଞ୍ଚାମାଲ ଗତ ୪ ଦିନ ତଳେ ଆସି ପହଞ୍ଚିବା ପରେ ଏହାକୁ କାଟିବା, ସିଲେଇ କରିବା ସହ ଥାକ ମାରି ରଖିବାରେ ବ୍ୟସ୍ତ ରହୁଛନ୍ତି ଏହି ଉତ୍ପାଦ ଗୋଷ୍ଠୀର ସଦସ୍ୟା । ଜାତୀୟ ପତାକା ରାଷ୍ଟ୍ରର ମର୍ଯ୍ୟାଦା ହୋଇଥିବାରୁ ତିଆରି ସମୟରେ ଯେପରି ଏଥିରେ ଗୋଡ଼ ନବାଜେ ଏବଂ ଏହାକୁ ତଳେ ପକାଇ ଦିଆନଯାଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି ।

ଏକ ପତାକାର ବିକ୍ରି ମୂଲ୍ୟ ୨୫ ଟଙ୍କା ହୋଇଥିବାବେଳେ ଖର୍ଚ୍ଚ ପାଖାପାଖି ୨୩ରୁ ୨୪ ଟଙ୍କା ପର୍ଯ୍ୟନ୍ତ ହେଉଛି । ଏନେଇ ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀ ସମ୍ପାଦିକା ରେଶମା ବେଗମ କହିଛନ୍ତି, "ଅର୍ଥର ଆବଶ୍ୟକତାକୁ ନଦେଖି ଖୁବ କମ ପାରିଶ୍ରମିକରେ ଆମେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତ୍ରିରଙ୍ଗା ପ୍ରସ୍ତୁତ କରୁଛୁ । ପାରିଶ୍ରମିକ କମ୍ ମିଳିଲେ ମଧ୍ୟ ଦେଶର ଏହି ମହତ କାମ ପାଇଁ ସୁଯୋଗ ପାଇ ଆମେ ବହୁତ ଗର୍ବିତ ।"

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Aug 13, 2023, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.