ETV Bharat / state

ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 2, 2024, 9:39 AM IST

Updated : Jan 2, 2024, 2:32 PM IST

Road accident: ନିଶ୍ଚିନ୍ତକୋଇଲିରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା । 3 ମୃତ ଓ 20 ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ବସ ଓ ଟ୍ରକ ମୁହାଁମୁହିଁ ଧକ୍କା
road accident

road accident

କଟକ/କେନ୍ଦ୍ରାପଡା: କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ଆଜି(ମଙ୍ଗଳବାର) ସକାଳେ କଟକ ନିଶ୍ଚିନ୍ତକୋଇଲି ଥାନା ଅଧିନ କଟରପଡା ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମନୋରମା ନାମକ ଏକ ଘରୋଇ ବସ୍ ଦୁର୍ଘଟଣାର ଶିକାର ହୋଇଛି । ବସରେ ଏବେ ବି ଅନେକ ଯାତ୍ରୀ ଫସି ରହିଥିବା ସୂଚନା ମିଳିଛି । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ 3 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସଡ଼କ ଦୁର୍ଘଟଣାରେ 9 ଜଣ ଗୁରୁତର ଆହତ ହୋଇଥିବାରୁ ସମସ୍ତଙ୍କୁ କଟକ ଏସସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆଜି ସକାଳେ ଘରୋଇ ବସଟି କେନ୍ଦ୍ରାପଡା ରାଜକନିକାରୁ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ବାହାରିଥିଲା । ନିଶ୍ଚିନ୍ତକୋଇଲି ଥାନା ଅଧିନ କଟରପଡା ଠାରେ ବସ ଏକ ମାଲବାହୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଜଣଙ୍କ ଗାଡ଼ିରେ ଫସି ରହିଛନ୍ତି । ଏନେଇ ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନେକ ସଂଖ୍ୟକ ଗାଡି ରାସ୍ତାରେ ଉଭୟ ପାର୍ଶ୍ଵରେ ଅଟକି ରହିଛି ।

ଏହା ମଧ୍ୟ ପଢନ୍ତୁ- ମଣିଷ ଖିଆ ଚନ୍ଦାହାଣ୍ଡି ଘାଟି ! ଘଟୁଛି ଦୁର୍ଘଟଣା, ଯାଉଛି ଜୀବନ

ବସରେ କେତେ ଜଣ ଯାତ୍ରୀ ଯାତ୍ରା କରୁଥିଲେ ସେନେଇ ମଧ୍ୟ ସୂଚନା ହସ୍ତଗତ ହୋଇନାହିଁ । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଦୁର୍ଘଟଣାରେ ମୃତ ଓ ଆହତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ତାରିଣୀ ଦର୍ଶନ ସାରି ଫେରୁଥିବା ବାଟରେ କାର୍ ଦୁର୍ଘଟଣା, ଜଣେ ମୃତ

ଗତ ବର୍ଷ ଡିସେମ୍ବର 10 ତାରିଖରେ କେନ୍ଦ୍ରାପଡାର ରାଜକନିକାରେ ସଡକ ଦୁର୍ଘଟଣା ଘଟିଥିଲା । ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 2 ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍କୁଟିରେ ବସିଥିବା 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଜଣଙ୍କ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Jan 2, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.