ETV Bharat / state

ଗରିବୀକୁ ଉପହାସ, ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗିଥିବା ପରିବାରକୁ ଧନୀ କହିଲା କେନ୍ଦ୍ରାପଡା ପ୍ରଶାସନ

author img

By

Published : Nov 20, 2022, 8:01 PM IST

Updated : Nov 20, 2022, 8:44 PM IST

କେନ୍ଦ୍ରାପଡା ରାଜକନିକାରେ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗିବା ଘଟଣାରେ ଜିଲ୍ଲା ପ୍ରଶାସନକୁ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମାନବାଧିକାର କମିଶନ । ଘଟଣାକୁ ମିଥ୍ୟା ଓ ପ୍ରୟୋଜିତ ବୋଲି ଦର୍ଶାଇ ରିପୋର୍ଟ ଦେଇଥିଲା ଜିଲ୍ଲା ପ୍ରାଶାସନ । ମାନବାଧିକାର କର୍ମୀଙ୍କ ରିପୋର୍ଟ ପରେ ପୁଣି ଥରେ ତଦନ୍ତ ପାଇଁ ପ୍ରାଶାସନକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ରାଜକନିକାରେ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗିବା ଘଟଣାରେ NHRCକୁ ଭୁଲ ତଥ୍ୟ ! ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କମିଶନ
ରାଜକନିକାରେ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗିବା ଘଟଣାରେ NHRCକୁ ଭୁଲ ତଥ୍ୟ ! ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କମିଶନ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ଯୁବକଙ୍କ ଆତ୍ମହତ୍ୟା ପରେ ଶୁଦ୍ଧିକ୍ରିୟା କରିବା ପାଇଁ ଭିକ୍ଷା ମାଗିବା ଘଟଣାରେ କେନ୍ଦ୍ରାପଡା ପ୍ରଶାସନକୁ ପୁଣି ଥରେ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ୨୦୨୧ ମସିହା ଖରସ୍ରୋତା ଜଳବିବାଦ ପ୍ରସଙ୍ଗରେ ରାଜକନିକା ଅଚ୍ୟୁତପୁର ଗ୍ରାମର ଦୁଇଭାଇ ଶଙ୍କର୍ଷଣ ମଲିକ ଓ ଅନିରୁଦ୍ଧ ମଲିକଙ୍କୁ ଗିରଫ ଓ ସେମାନଙ୍କୁ ଜେଲରୁ ମୁକୁଳାଇ ନପାରି ବାହାର ରାଜ୍ୟରେ ଦାଦନ ଖଟୁଥିବା ସାନଭାଇ ରବୀନ୍ଦ୍ରର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଆତ୍ମହତ୍ୟା ପରେ ପରିବାର ଲୋକେ ଶୁଦ୍ଧିକ୍ରିୟା ସାରିବା ପାଇଁ ଭିକ୍ଷା ମାଗିବା ଘଟଣାରେ ଜାତୀୟ ମାନବାଧିକାର କମିଶନରେ ହୋଇଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନକୁ ପୁନର୍ବାର ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ।

ରାଜକନିକାରେ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗିବା ଘଟଣାରେ NHRCକୁ ଭୁଲ ତଥ୍ୟ ! ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କମିଶନ

ସୂଚନା ଅନୁସାରେ, ୨୦୨୧ ଅଗଷ୍ଟ ୧୨ ତାରିଖରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଧିନରେ ନିର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପର ଯନ୍ତ୍ରାଂଶ ଭଙ୍ଗାରୁଜା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜାଇବା ନେଇ ରାଜକନିକା ପୋଲିସ ପକ୍ଷରୁ ୨୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର ଦୁଇଭାଇ ଶଙ୍କର୍ଷଣ ମଲିକ ଓ ଅନିରୁଦ୍ଧ ମଲିକଙ୍କୁ ପୋଲିସ ଭଙ୍ଗାରୁଜା ଘଟଣାରେ ଗିରଫ କରି କୋର୍ଟଚାଲାଣ କରିଥିଲା । ବାହାର ରାଜ୍ୟରେ ଦାଦନ ଖଟୁଥିବା ସାନଭାଇ ରବୀନ୍ଦ୍ର ମଲିକ ଦୁଇଭାଇଙ୍କ ଜାମିନ ଆବେଦନ କରି ନିରାଶ ହେବା ପରେ ସେପ୍ଟେମ୍ବର ୮ ତାରିଖରେ ସୁଦୂର ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।

ତେବେ ଏତିକିରେ ସରି ନଥିଲା ଦୁଃଖ, ରବୀନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ପାଇଁ ପରିବାରର ପୁରୁଷ ଲୋକଙ୍କ ଅନୁପସ୍ଥିତିରେ ମହିଳା ଓ କୁନି କୁନି ପିଲାମାନେ କଟକଚାନ୍ଦବାଲି ରାସ୍ତାର ଅଚ୍ୟୁତପୁର ଛକ ନିକଟରେ ଭିକ୍ଷା ମାଗିଥିବା ଦେଖିବାକୁ ମିଳିଥିଲା । ଏନେଇ ମାନବାଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡ଼ା ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ସେହିମାସ ୨୧ ତାରିଖରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।

ପୋଲିସର ବର୍ବରତା ପାଇଁ ଗୋଟିଏ ଅମୁଲ୍ୟ ଜୀବନ ଚାଲିଯିବା ଓ ଘଟଣାରେ ସମ୍ପୃକ୍ତି ନଥାଇ ନିରୀହ ଦୁଇଭାଇଙ୍କୁ ପୋଲିସ ଗିରଫ କରିବା ଯୋଗୁଁ ମାନସିକ ନିର୍ଯ୍ୟାତନା ଦିଆଯିବା ପ୍ରସଙ୍ଗ ଉଲ୍ଲେଖ କରି ମୃତକ ରବୀନ୍ଦ୍ରଙ୍କ ପତ୍ନୀ ଓ ୮ ବର୍ଷର ଶିଶୁପୁତ୍ରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ମାନବାଧିକାର କମିଶନ ଅଧ୍ୟକ୍ଷଙ୍କ ନିକଟରେ ଅନୁରୋଧ କରିଥିଲେ ମାନବାଧିକାର କର୍ମୀ ପ୍ରତାପ । ଏହି ଘଟଣାରେ କମିଶନ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କୁ ATR ପ୍ରଦାନ ପାଇଁ ମହଲତ ଦେଇଥିବା ବେଳେ ୨୦୨୨ ମାର୍ଚ୍ଚ 9 ତାରିଖରେ କମିଶନଙ୍କ ନିକଟରେ ଜିଲ୍ଲା ପ୍ରଶାସନ ରିପୋର୍ଟ ଦାଖଲ କରିଥିଲା ।

ଦାଖଲ ହୋଇଥିବା ରିପୋର୍ଟରେ ଜିଲ୍ଲା ପ୍ରଶାସନ ଦର୍ଶାଇଥିଲା, ଯେ ରବୀନ୍ଦ୍ର ୨୦୨୧ ମସିହା ଜାନୁଆରୀରୁ ବେଙ୍ଗାଲୁରୁରେ ପ୍ଲମ୍ବର ଭାବେ କାମ କରୁଥିଲେ । ୨୦୨୧ ସସିହା ସେପ୍ଟେମ୍ବର ୯ ତାରିଖରେ ରବୀନ୍ଦ୍ର ଆତ୍ମହତ୍ୟା କରିଥିବା ବେଙ୍ଗାଲୁରୁ ପୋଲିସ ପକ୍ଷରୁ ତଥ୍ୟ ମିଳିଥିଲା । ସେହିପରି ଉକ୍ତ ପରିବାର ପାଖରେ ଟେଣ୍ଟ ହାଉସ, ଜେନେରେଟର ଭଳି ଉପକରଣ ରହିଛି । ଉକ୍ତ ପରିବାର ଆର୍ଥିକ ଭାବେ ସ୍ବଚ୍ଛଳ, ଜିଲ୍ଲା ଓ ପୋଲିସ ପ୍ରଶାସନକୁ ବଦନାମ କରିବା ପାଇଁ ପରିବାର ପକ୍ଷରୁ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମଗାଯାଇଥିବା ଉଲ୍ଲେଖ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ପ୍ରଶାସନର ଏପରି ରିପୋର୍ଟ ପରେ ଅଭିଯୋଗ କରିଥିବା ମାନବାଧିକାର କର୍ମୀ ପ୍ରତାପଙ୍କୁ କମିଶନ ଏସମ୍ପର୍କରେ ପୁନଃ ତଥ୍ୟ ମାଗିଥିଲେ ।

ମାନବାଧିକାର କମିଶନଙ୍କୁ ପ୍ରତାପ ଅଚ୍ୟୁତପୁର ଗାଁର ରବୀନ୍ଦ୍ର ମଲିକ ଏବଂ ତାଙ୍କ ପରିବାରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଭିଡିଓ ଫୁଟେଜ ଓ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ଏହି ରିପୋର୍ଟ ପ୍ରଦାନ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ପ୍ରତିକ୍ରିୟା ସମ୍ବଳିତ ଭିଡିଓ ଫୁଟେଜ ପ୍ରଦାନ କରିଥିଲେ । ଏହା ପରେ କମିଶନ ପୁନର୍ବାର ଏହି ଘଟଣାରେ ଜିଲ୍ଲାପାଳ ଏବଂ ଏସପିଙ୍କୁ ଘଟଣାସ୍ଥଳକୁ ଯାଇ ଯୁଗ୍ମ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ଆତ୍ମହତ୍ୟା କରିଥିବା ରବୀନ୍ଦ୍ରଙ୍କ ପତ୍ନୀ ଗୀତାଞ୍ଜଳୀ ଏବେ ନିଜେ ଚଳିବା ଏବଂ ପୁଅକୁ ମଣିଷ କରିବା ପାଇଁ ଟ୍ୟୁସନ କରୁଥିବା କହିଥିବାବେଳେ, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନଥିବା ବାସ୍ତବିକ ଯନ୍ତ୍ରଣାର ବିଷୟ ।

ଏଭଳି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କମିଶନଙ୍କୁ ରବୀନ୍ଦ୍ରଙ୍କ ପରିବାରର ଆର୍ଥିକ ସ୍ୱଚ୍ଛଳତା ରିପୋର୍ଟ ଦେବା କେତେ ଗ୍ରହଣୀୟ ସେନେଇ ପ୍ରଶ୍ନ ଉଠିଛି । ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ଅଧିକାରୀ କମିଶନଙ୍କ ଯୁଗ୍ମ ତଦନ୍ତ ସମ୍ପର୍କରେ ମୁହଁ ଖୋଲିନାହାନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Nov 20, 2022, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.