ETV Bharat / state

ସୋସିଆଲ ମିଡିଆରେ ଆକ୍ଟିଭ, ସଂସଦୀୟ କ୍ଷେତ୍ରରେ ଅଦୃଶ୍ୟ ସାଂସଦ

author img

By

Published : Apr 8, 2022, 4:44 PM IST

କେନ୍ଦ୍ରାପଡାରେ ଗାଏବ ସାଂସଦ ଅନୁଭବ ମହାନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ, ହେଲେ ସଂସଦୀୟ କ୍ଷେତ୍ରରେ ଅଦୃଶ୍ୟ । ବିଜେଡିର ପୋଷ୍ଟର ବଏ ଥିବା ଅନୁଭବଙ୍କ ଉପରେ ଆସ୍ଥା ହରାଇଲେଣି ଲୋକେ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ଗାଏବ ସାଂସଦ ଅନୁଭବ ମହାନ୍ତି
କେନ୍ଦ୍ରାପଡାରେ ଗାଏବ ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡା: ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ଲଢ଼ିଥିଲେ ଅନୁଭବ ମହାନ୍ତି । ଦୁଇ ଦୁଇଥର ସାଂସଦ ହୋଇଥିବା ବୈଜୟନ୍ତ ପଣ୍ଡାକୁ ହରାଇ ବିଜେଡିରୁ ସାଂସଦ ହୋଇଥିଲେ । ହେଲେ ତାଙ୍କୁ ଦେଢ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତାଇଥିବା କେନ୍ଦ୍ରପଡାବାସୀ ଆଜି ଭକୁଆ ସାଜିଛନ୍ତି । ନିଜ ସଂସଦୀୟ କ୍ଷେତ୍ରର ବହୁବିଧ ସମସ୍ୟା ବୁଝିବା ସହ ଏହାକୁ ଲୋକସଭାରେ ଉପସ୍ଥାପନ କରିବା ଓ ଏହାର ନିରାକରଣ ପାଇଁ ସାଂସଦଙ୍କୁ ନିର୍ବାଚିତ କରାଯାଇଥାଏ । ହେଲେ ଅନୁଭବ ଗତ ୨୦୧୯ରୁ ନିର୍ବାଚିତ ହୋଇଥିଲେ ସୁଦ୍ଧା ଆଜି ଯାଏ ଆଖିଦୃଶିଆ ବିକାଶ କରିନଥିବା ଅଭିଯୋଗ ହୋଇଛି ।

ସୋସିଆଲ ମିଡିଆରେ ଆକ୍ଟିଭ, ସଂସଦୀୟ କ୍ଷେତ୍ରରେ ଅଦୃଶ୍ୟ ସାଂସଦ

ବିଜେଡିର କ୍ରାଉଡ ପୁଲର ବୋଲାଉଥିବା ଅନୁଭବ ମହାନ୍ତି ଆଜି ଜିଲ୍ଲା ରାଜନୀତିରୁ ଏକପ୍ରକାର ଗାଏବ ହୋଇଯାଇଛନ୍ତି । ଏପରିକି ବାତ୍ୟା, ବନ୍ୟା ମରୁଡି ସମୟରେ ବି ସାଂସଦଙ୍କ ଦେଖା ମିଳିନାହିଁ । ଅନୁଭବ ନିଜ ସମର୍ଥକ ଓ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବରୁ ଯୋଗ ଦେଉଥିବା ବେଳେ ପାରିବାରିକ କଳହ ଯୋଗୁଁ ଏବେ ତାଙ୍କୁ ବିଜେଡି ଦଳ ଏକଘରିଆ କରିଦେଇଛି । ସଦ୍ୟ ସମାପ୍ତ ପଞ୍ଚାୟତ ଓ ପୌର ନିର୍ବାଚନରେ ଅନୁଭବଙ୍କ ଅନୁପସ୍ଥିତି ତାଙ୍କ ଉପରେ ଜନସାଧାରଣ ଓ ଦଳୀୟ ନେତା ଆସ୍ଥା ହରାଇଥିବା ପ୍ରମାଣିତ କରୁଛି ।

ଅଣକଂଗ୍ରେସ ଲୋକସଭା ସଂସଦୀୟ କ୍ଷେତ୍ର ଭାବେ ପରିଚିତ କେନ୍ଦ୍ରାପଡ଼ାରେ ଅନେକ ସମୟରେ ବିଜେଡି ସାଂସଦ ଲୋକସଭାରେ ପ୍ରତିନିଧିତ୍ବ କରୁଛନ୍ତି । କେନ୍ଦ୍ରାପଡ଼ାରେ କେବଳ ୧୯୫୨ ମସିହାରେ କଂଗ୍ରେସ ସାଂସଦ ବିଜୟୀ ହୋଇଥିଲେ । ଏହିଠାରୁ ନିର୍ବାଚିତ ହୋଇଥିବା ସାଂସଦ ରବି ରାୟ ଲୋକସଭା ବାଚସ୍ପତି ହୋଇ ଜିଲ୍ଲାର ମାନକୁ ସାରା ଦେଶରେ ବଢାଇଥିଲେ । ହେଲେ ଶିଳ୍ପ, ମେଡିକାଲ କଲେଜ, ୟୁନିଭରସିଟିରୁ କେନ୍ଦ୍ରାପଡା ବଞ୍ଚିତ ଥିଲେ କେନ୍ଦ୍ରାପଡାର ସାଂସଦ ଗୃହରେ ଉପସ୍ଥାପନ କରିବାକୁ ପ୍ରସଙ୍ଗ ପାଉନାହାନ୍ତି । କେବେଳ ଲୋକସଭାରେ ଟେବୁଲ ବାଡେଇ ୟେସ୍ ୟେସ୍ କହି ଦଳ ସୁପ୍ରିମୋଙ୍କ ଆସ୍ଥାଭାଜନ ହେବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ଲୋକେ । ତେଣୁ ରାଜନୀତିରେ ଅନଭିଜ୍ଞ ଅନୁଭବଙ୍କୁ ବିଜେଡି ଏକ ସମ୍ମାନଜନକ କ୍ଷେତ୍ରରୁ ପ୍ରାର୍ଥୀ କରି ବଡ ଭୁଲ କରିଥିବା ଚର୍ଚ୍ଚା ଚାଲିଛି ।

ସେହିପରି ବିଜେଡି କେନ୍ଦ୍ରାପଡ଼ା ପାଇଁ କିଛି କରିନଥିବା ବେଳେ ଏହାର ସୁପ୍ରିମୋ ସାଂସଦ ଓ ବିଧାୟକମାନଙ୍କ ମଧ୍ୟରେ କଳି ଲଗାଇ ବିକାଶରେ ବିରାମ ଦେବାକୁ ଖୁବ ପସନ୍ଦ କରୁଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ । ଏଥିସହ ଅନୁଭବ ଓ ବର୍ଷାଙ୍କ କଳି ଉପର ଠାଉରିଆ ହୋଇଥିବା ଏବଂ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଜଗନ୍ନାଥ ସଂସ୍କୃତି ବିଷୟରେ ନ ଜାଣି ଜଣେ ସାଂସଦଙ୍କୁ ଟ୍ୱିଟ କରି ଅକ୍ଷମଣୀୟ ଅପରାଧ କରିଥିବା ମଧ୍ୟ ଆଇନଜୀବୀ କହିଛନ୍ତି । ଦୀର୍ଘଦିନ ଧରି ସଂସଦୀୟ କ୍ଷେତ୍ରରେ ନିଖୋଜ ରହି ଲୋକସଭାରେ ଟେବୁଲ ବାଡାଉଥିବା ସାଂସଦ ଅନୁଭବଙ୍କୁ କେନ୍ଦ୍ରାପଡ଼ାବାସୀ ପୁଣି ଗ୍ରହଣ କରୁଛନ୍ତି ନା ଶ୍ରୀକାନ୍ତ ଜେନାଙ୍କ ଭଳି ଅବସ୍ଥା କରୁଛନ୍ତି ତାହା ଦେଖିବା ବାକି ରହିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.