ETV Bharat / state

ପୁଅର ଔଷଧ ଖର୍ଚ୍ଚ ପାଇଁ ଟଲି ଟାଣୁଛି ବାପା, ଦୁଇଟି କିଡନୀ ହରାଇ ଶଯ୍ୟାଶାୟୀ ପୁଅ

author img

By

Published : Aug 11, 2023, 3:19 PM IST

ଦୁଇଟି ଯାକ କିଡନୀ ହରାଇ ଶଯ୍ୟାଶାୟୀ ନଳିନୀକାନ୍ତ। ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ଟଲି ଟାଣୁଛନ୍ତି ନଳିନୀକାନ୍ତଙ୍କ ବୃଦ୍ଧ ବାପା। ସରିକାରୀ ସହାୟତା ପାଇଁ ନିବେଦନ। ଅଧିକ ପଢନ୍ତୁ

Etv Bharat
Etv Bharat

ଦୁଇଟି ଯାକ କିଡନୀ ହରାଇ ଶଯ୍ୟାଶାୟୀ ନଳିନୀକାନ୍ତ

କେନ୍ଦ୍ରାପଡା: ବିଛଣାରେ ଶୋଇ ରହିଛି ଭେଣ୍ଡିଆ ପୁଅ। ମାଆ ଆଖିରୁ ଶୁଖୁନି ଲୁହ। ସ୍ତ୍ରୀ ଲାଗିପଡିଛି ସ୍ବାମୀ ସେବାରେ । ଏପଟେ ପୁଅର ଚିକିତ୍ସା ପାଇଁ ବାପା ଚଲାଉଛି ଟଲି। ଟଲି ଚାଲିଲେ ପରିବାର ଲୋକଙ୍କ ପେଟରେ ଦାନା ପଡିବ ଓ ପୁଅର ଔଷଧ ଆସିବ। ଯେଉଁ ବୟସରେ ପୁଅ ବାପା ମାଆଙ୍କ ସାହାରା ହେବା କଥା ସେହି ବୟସରେ ପୁଅର ଜୀବନ ପାଇଁ ସଂଘର୍ଷ କରୁଛି ବାପା । କେନ୍ଦ୍ରାପଡା ଜିଲ୍ଲା ଅରେହିକଣା ପଞ୍ଚାୟତ ଗଭାଡ଼ିଆ ଗାଁର ନିରଞ୍ଜନ ଜେନାଙ୍କ ପୁଅ ନଳିନୀକାନ୍ତ ଜେନା । ବୟସ 27 ବର୍ଷ । ଯୁବା ବୟସରେ ତାଙ୍କ ଦୁଇଟି ଯାକ କିଡନୀ ଖରାପ ହୋଇଯିବା ପରେ ବେଡରେ ପଡିବା ଛଡା ଆଉ କିଛି ଉପାୟ ନାହିଁ । ଯେଉଁଠି ପେଟକୁ ଦିମୁଠା ଦାନା ଯୋଗାଡିବା କଷ୍ଟକର, ସେଠି ପୁଅର ଔଷଧ ଓ ଡାଏଲିସିସ୍‌ ପାଇଁ ଟଙ୍କା କେଉଁଠି ଆଣିବେ । ସେ ଚିନ୍ତା ଏବେ ପରିବାରକୁ ଘାରିଛି । ସରକାରୀ ସହାୟତା ପାଇଁ ନଳିନୀଙ୍କ ସ୍ତ୍ରୀ ଓ ବାପା ନିବେଦନ କରିଛନ୍ତି ।

ନିରଞ୍ଜନ ଜେନାଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅ ନଳିନୀ କେରଳର ଏକ ଗ୍ୟାସ୍‌ଲାଇନ୍‌ କମ୍ପାନୀରେ ଚାକିରି କରୁଥିବା ବେଳେ ୨୦୧୮ ମସିହାରେ ତାଙ୍କର ବିବାହ ହୋଇଥିଲା । ୨୦୨୦ ମସିହା କୋଭିଡ ସମୟରେ ଘରକୁ ଫେରିବା ପରେ ତାଙ୍କର ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସ୍ଥାନୀୟ ଔଷଧ ଦୋକାନରୁ ଔଷଧ ଖାଇବା ପରେ ସବୁ ଠିକ୍‌ଠାକ୍‌ ହୋଇଯାଇଥିଲା । ପରେ ପୁଣି କାମ ପାଇଁ ବାହାରିବା ସମୟରେ ପେଟ ଯନ୍ତ୍ରଣା ହେବାରୁ ସେ କଟକ ବଡ଼ ଡ଼ାକ୍ତରଖାନାରେ ପରାମର୍ଶ କରିଥିଲେ। ଚିକିତ୍ସା ସମୟରେ ତାଙ୍କର ଦୁଇଟି ଯାକ କିଡନୀ ଖରାପ ଥିବା ଡାକ୍ତର କହିବା ପରେ ପରିବାର ଉପରେ ଯେମିତି ଚଡକ ପଡିଥିଲା।

ଏହା ମଧ୍ୟ ପଢନ୍ତୁ-କିଡନୀ ରୋଗ ପରେ ଶଯ୍ୟାଶାୟୀ ଭାଗିରଥି , ଦୁଇଓଳି ଖାଇବା ପାଇଁ ବାର ଦୁଆର ପରିବାର

ଡାକ୍ତର ନିୟମିତ ଔଷଧ ଖାଇବା ପାଇଁ ପରାମର୍ଶ ଦେବା ପରେ ଆଉ ବାହାରକୁ ଯାଇ କାମ କରିବାର ସାମର୍ଥ୍ୟ ନଥିଲା ନଳିନୀଙ୍କର। ଫଳରେ ଗାଁରେ କାଠ କାମ କରି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଚେଷ୍ଟା କରିଥିଲେ। ଗତ ୬ ମାସ ହେବ ଅବସ୍ଥା ଗୁରୁତର ହେବାରୁ ସେ ଏବେ ବିଛଣାରେ ପଡ଼ି କେବଳ ଉପରକୁ ଚାହିଁ ରହୁଛନ୍ତି । ଔଷଧ ପାଇଁ ପାଖରେ ଟଙ୍କାଟିଏ ନଥିବା ବେଳେ ଥରେ କଟକ ଯାଇ ଡାଏଲିସିସ କରିବା ପାଇଁ ଖର୍ଚ୍ଚ ୩ ହଜାର ଟଙ୍କା ଲାଗି ଯାଉଛି ଯାହାକି ଏହି ଅଭାବୀ ସଂସାର ପାଇଁ ସାତସପନ ପାଲଟିଛି।

ନିରଞ୍ଜନ ପୁଅର ଔଷଧ ଖର୍ଚ୍ଚ ପାଇଁ ମୂଲ ଲାଗିବା ପରେ ଯାହା ସମୟ ମିଳୁଛି ସେତେବେଳେ ଟଲି ଚଳାଇବା ପାଇଁ ବାଧ୍ୟ ହେଉଛନ୍ତି । ଘରକୁ ଯିଏ ବନ୍ଧୁବାନ୍ଧବ ଆସୁଛନ୍ତି ସେମାନେ ଯାହା କିଛି ସହଯୋଗ କରୁଛନ୍ତି ସେଥିରେ ପୁଅର ପଥି ଆସୁଥିବା କୁହନ୍ତି ନିରଞ୍ଜନ । ସେହିପରି ଏହି ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଏହି ଯୋଜନାରେ ଲାଭ ଉଠାଇ ପାରୁନାହାନ୍ତି। ଅନ୍ୟପଟେ ନଳିନୀଙ୍କୁ କିଡନୀ ଦେବା ପାଇଁ ତାଙ୍କ ମାଆ ପ୍ରସ୍ତୁତ ଥିବା ବେଳେ ଉଭୟ ମାଆ ଓ ପୁଅର କିଡନୀ ମ୍ୟାଚ୍‌ କରୁନାହିଁ । ଏଭଳି ସ୍ଥିତିରେ କେହି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ନଳିନୀଙ୍କୁ ସହାୟତାର ହାତ ବଢ଼ାଇଲେ ହୁଏତ ଔଷଧ ଖାଇବା ସହଜ ହୋଇପାରନ୍ତା । ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ କୌଣସି ସାହାଯ୍ୟ ମିଳିପାରି ନାହିଁ । ନଳିନୀଙ୍କ ଏଭଳି ଦୁଃଖଦ ସମୟରେ ସହାୟତାର ହାତ ବଢ଼ାଇବା ପାଇଁ ଚାହୁଁଥିବା ବ୍ୟକ୍ତିବିଶେଷ ନିମ୍ନ ଲିଖିତ ଆକାଉଣ୍ଟ ନମ୍ବରରରେ ଟଙ୍କା ପଠାଇ ପାରିବେ ।

ନାମ- ନଳିନୀକାନ୍ତ ଜେନା
AC No-36893313736
IFSC-SBIN0012060
MOB-7326080369

ନଳିନୀକାନ୍ତଙ୍କ ବାପା କହିଛନ୍ତି, "ତିନି ବର୍ଷ ହେଲା ତାର କିଡନୀ ଖରାପ । ଘରେ ଶୋଇରହିଛି ମୋ ପୁଅ । ଟଙ୍କା ନଥିବାରୁ ଚିକିତ୍ସା ହୋଇ ପାରୁନି । ଡାଏଲିସିସ୍‌ ଘରେ ହେଉଛି । ମୁଁ ମୂଳ ମଜୁରି ଲାଗୁଛି । ଟଲି ମଧ୍ୟ ଚଲାଉଛି । ଯାହା ଟଙ୍କା ରୋଜଗାର ହୁଏ , ସେଥିରେ ପରିବାର ଚଳେ । ଔଷଧ ପାଇଁ ଟଙ୍କା ଯୋଗାଡ ହୋଇପାରୁନି । ସରକାର ତରଫରୁ ଆମକୁ କିଛି ସାହାଯ୍ୟ ମିଳିପାରିଲେ ଦୁଃଖ ଦୂର ହୋଇପାରନ୍ତା ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.