କିଡନୀ ରୋଗ ପରେ ଶଯ୍ୟାଶାୟୀ ଭାଗିରଥି , ଦୁଇଓଳି ଖାଇବା ପାଇଁ ବାର ଦୁଆର ପରିବାର

author img

By

Published : Nov 16, 2022, 4:17 PM IST

କିଡନୀ ରୋଗ ପରେ ଶଯ୍ୟାଶାୟୀ ଭାଗିରଥି

ଦିନ ଥିଲା ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିବା ସହ ପୁରୋହିତ କାମ କରୁଥିଲେ ଭାଗିରଥି । କିନ୍ତୁ କିଡନୀ ରୋଗ ପରେ ଏବେ ହୋଇପଡିଛନ୍ତି ଶଯ୍ୟାଶାୟୀ । କିଡନୀ ପ୍ରତିରୋପଣ କରିବା ପାଇଁ 25 ରୁ 30 ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଚିନ୍ତାରେ ପରିବାର । ଅଧିକ ପଢନ୍ତୁ

ବାଲେଶ୍ବର: ଦାଣ୍ଡହରିପୁର ପଞ୍ଚାୟତ ଅଶିମିଳା ଗ୍ରାମର ଭାଗିରଥି ମିଶ୍ର । ଗତ ତିନି ବର୍ଷ ହେଲା କିଡନୀ ରୋଗରେ ଜର୍ଜରିତ ହୋଉଛନ୍ତି ଭାଗିରଥି । କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦିନେ ପୁରୋହିତ ଭାବେ କାମ କରିବା ସହ ଚାନ୍ଦିପୁରର ଏକ ଠିକା ସଂସ୍ଥାରେ ଚାକିରୀ କରୁଥିଲେ । ପ୍ରାୟ ତିନିବର୍ଷ ତଳେ ଭାଗିରଥୀଙ୍କ ପେଟରେ ବଥା ହେବା ସହ ବାରମ୍ବାର ଜ୍ୱର ଆସିବା, ଭୋକ ନ ଲାଗିବା ଭଳି ସମସ୍ୟା ଦେଖା ଦେଇଥିଲା । ଡାକ୍ତର ଦେଖାଇ ଔଷଧ ଖାଇବା ପରେ କିଛିଦିନ ବ୍ୟବଧାନରେ ଯନ୍ତ୍ରଣା ବୃଦ୍ଧି ପାଇବାରେ ଲାଗିଥିଲା । ପରେ ଭାଗିରଥି କଟକ ଓ ଭୁବନେଶ୍ୱରରେ ଚିକିତ୍ସା କରାଇଥିଲେ । ସେଠାରେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଥିବା ରିପୋର୍ଟ ଆସିଥିଲା ।

କିଡନୀ ରୋଗ ପରେ ଶଯ୍ୟାଶାୟୀ ଭାଗିରଥି

ଏହି ଖବର ଶୁଣିବା ମାତ୍ରେ ଭାଗିରଥୀଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଦୁଇଟି କିଡନୀ ପ୍ରତିରୋପଣ କରିବା ପାଇଁ 25 ରୁ 30 ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ଡାକ୍ତରଙ୍କ ଠାରୁ ଶୁଣିବା ପରେ ବଞ୍ଚିବାର ଆଶା ତାଙ୍କର କ୍ଷୀଣ ହୋଇଯାଇଥିଲା । ଏହା ଜାଣିବା ପରେ ଉକ୍ତ ଠିକା ସଂସ୍ଥା ବି ତାଙ୍କୁ ଚାକିରିରୁ ବାହାର କରିଦେଲା । ଏହା ପରେ ଲୋକଙ୍କ ଘରେ ପୂଜାର୍ଚ୍ଚନା କରି ପରିବାର ଚଳାଇବା ତାଙ୍କ ପକ୍ଷେ ବେଶ କଷ୍ଟ ହେଉଥିଲେ ମଧ୍ୟ ସୁଖେଦୁଖେ ତିନି ପ୍ରାଣୀଙ୍କ ମୁହଁରେ ଦାନା ଦେଉଥିଲେ । କିନ୍ତୁ ଦିନ ଗଡି ଚାଲିବା ସହ କଷ୍ଟ ମଧ୍ୟ ବଢିବାର ଲାଗିଛି ।

ଗୋଟେପଟେ ଭାଗିରଥୀଙ୍କ ପରିବାର ଚଳାଇବା ଚିନ୍ତା ଓ ଅନ୍ୟପଟେ କିଡନୀ ନଷ୍ଟ ଚିନ୍ତା ତାଙ୍କୁ ଭାଙ୍ଗି ପକାଇଛି । ଯାହାକିଛି ଜମିବାଡ଼ି, ଗହଣା ଥିଲା ଚିକିତ୍ସା ପାଇଁ ସେସବୁ ବିକ୍ରି ସରିଲାଣି । ଏବେ ପ୍ରତିମାସ ଡାଇଲିସୀସ ହେଉଥିବା ବେଳେ ସେତକ ଖର୍ଚ୍ଚ ତୁଲାଇବାକୁ ମଧ୍ୟ ସକ୍ଷମ ହେଉ ନାହାନ୍ତି ଭାଗିରଥି । ଘରର ରୋଜଗାର ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ପରଘରୁ ମାଗିଯାଚି ମୁହଁରେ ଦାନା ଦେଉଛନ୍ତି ତିନି ପ୍ରାଣୀ । ସ୍ତ୍ରୀ ଓ ମ୍ୟାଟ୍ରିକ ପଢ଼ୁଥିବା ପୁଅ ହାତରେ ବ୍ୟାଗ ଧରି ଗାଁରୁ ଯାହା କିଛି ମାଗିକି ଆଣନ୍ତି ସେଇଥିରେ ପେଟକୁ ଦାନା ଯାଉଛି । ଚିକିତ୍ସା ପାଇଁ ଏବେ ସର୍ବହରା ହୋଇପଡିଲେଣି ଭାଗିରଥି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ଥିବା ଚିକିତ୍ସା ଲିମିଟ ମଧ୍ୟ ସରିଲାଣି । ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେଉଥିବା ବେଳେ କେମିତି ବଞ୍ଚିବେ ସେନେଇ ସେ ଦିନ ଗଣୁଛନ୍ତି । ପୁଅ ମଧ୍ୟ ପାଠପଢ଼ା ଛାଡି ପରିବାରର ଦାୟିତ୍ବ ନେଇଛି । ଏଥିପାଇଁ ସକାଳ ହେଲା ମାତ୍ରେ ବ୍ୟାଗଟିଏ ଧରି ବାହାରି ଯାଉଛି ସାହାଯ୍ୟ ମାଗିବା ପାଇଁ । ମାସକୁ ମାସ ଭାଗିରଥୀଙ୍କୁ ଡାଏଲିସୀସ ପାଇଁ ବାହାନଗାରୁ ବାଲେଶ୍ଵର ଯିବାଆସିବା କରିବା ପାଇଁ ପଡୁଛି । ଭଡାରେ ଆଣୁଥିବା ଗାଡିକୁ ପଇସା ଦେବାପାଇଁ ଅସମର୍ଥ ହେଉଥିବା ଭାଗିରଥି ଏବେ କେବଳ ଭଗବାନଙ୍କୁ ଚାହିଁ ରହିଛନ୍ତି । ଛଳଛଳ ଆଖିରେ ସେ ଅନେଇ ରହିଛନ୍ତି ନିଜର ସୁସ୍ଥ ଭାଗ୍ୟକୁ । ଏଭଳି ପରିସ୍ଥିତିରେ ସରକାରୀ କିମ୍ବା ବେସରକାରୀ ସ୍ତରରେ ଭାଗିରଥିଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି । ଭାଗିରଥୀଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରି ପାରିବେ ।

ଇଟିଭି ଭାରତ, ବାଲେଶ୍ବର

Name -Bhagirathi Mishra
Account Number -33373490290
Ifsc code -SBIN0007980
STATE BANK OF INDIA
SORO BRANCH
9040841668



ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.