ETV Bharat / state

cyclone sitrang: ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

author img

By

Published : Oct 20, 2022, 4:01 PM IST

Updated : Oct 20, 2022, 4:20 PM IST

ବାତ୍ୟା ସମ୍ପର୍କିତ ସଠିକ ତଥ୍ୟ ଏଯାବତ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଚିତ୍ର ମିଳିନାହିଁ । ହେଲେ ବାତ୍ୟା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

cyclone sitrang: ପ୍ରସ୍ତୁତ ହେଉଛି ଜିଲ୍ଲା ପ୍ରଶାସନ
cyclone sitrang: ପ୍ରସ୍ତୁତ ହେଉଛି ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡ଼ା: ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଉପକୂଳବର୍ତ୍ତୀ ଜିଲ୍ଲା। ବାତ୍ୟା ସମ୍ପର୍କିତ ସଠିକ ତଥ୍ୟ ଏଯାବତ ପାଣିପାଗ ବିଭାଗ ସ୍ପଷ୍ଟ କରିନଥିଲେ ସୁଧା ଜିଲ୍ଲା ପ୍ରଶାସନ ବାତ୍ୟା ପୂର୍ବରୁ ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ରାଜନଗର ଓ ମହାକାଳପଡ଼ା ବ୍ଲକର ଅନ୍ୟୁନ ୬୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ବିଭିନ୍ନ ବାତ୍ୟା ସମୟରେ ପ୍ରଭାବିତ ହୋଇଥାନ୍ତି । ଏନେଇ ସମୁଦ୍ର ନିକଟବର୍ତ୍ତୀ ପଞ୍ଚାୟତ ଗୁଡିକରେ ଫୋକସ ରଖିଛି ଜିଲ୍ଲା ପ୍ରଶାସନ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିବା ବେଳେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ କୂଳକୁ ଫେରି ଆସିବା ନେଇ ମାଇକ ମାଧ୍ୟମରେ ସୂଚନା ଦିଆଯାଉଛି ।

ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବାତ୍ୟା ସମ୍ପର୍କରେ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ସୂଚନା ମିଳି ନଥିବାରୁ ଲୋକମାନଙ୍କୁ ଅଯଥା ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ତେବେ ଓସଡ଼ମା ପକ୍ଷରୁ ଜିଲ୍ଲାରେ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବା ବେଳେ ଅଧିକ ଭାବେ ୧୦୦୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଗୃହକୁ ପ୍ରସ୍ତୁତ ରଖାଯାଇଛି । ଏହି ବିଦ୍ୟାଳୟ ଗୁଡିକରେ ଆଶା, ଅଙ୍ଗନବାଡି କର୍ମୀଙ୍କ ସମେତ ଦୁଇ ଜଣ ଲେଖାଁଏ ଶିକ୍ଷକ ଦାୟିତ୍ଵରେ ରହିବେ ବୋଲି ସୂଚନା ରହିଛି । ଏଥି ସହ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆସିବା ପୂର୍ବରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଏସଆରସି ଏବଂ ରାଜ୍ୟ ସରକାରଙ୍କ ପାଖରୁ ଯାହା ନିର୍ଦ୍ଦେଶ ଆସିବ ସେ ଅନୁଯାୟୀ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ବିଦ୍ୟୁତ ବିଭାଗ ଓ ପାନୀୟଜଳ ଭଳି ବିଭାଗକୁ ଯୁଦ୍ଧ କାଳୀନ ଭିତ୍ତିରେ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ- Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ତେବେ ଏନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ କହିଛନ୍ତି, " ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ବର୍ତ୍ତମାନ ବାତ୍ୟା ସମ୍ପର୍କରେ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ସୂଚନା ମିଳି ନଥିବାରୁ ଲୋକମାନେ ଅଯଥା ଭୟଭୀତ ନ ହେବାକୁ ଅନୁରୋଧ କରିବି । 20 ତାରିଖ ପରେ ବାତ୍ୟାର ଗତି ସଠିକ ଭାବରେ ଜଣାପଡିବ ।"

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Oct 20, 2022, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.