ସମସ୍ତଙ୍କ ସହଯୋଗରେ ଜିଲ୍ଲାର ଉନ୍ନତି ସମ୍ଭବ: କନ୍ଧମାଳ ସାଂସଦ

author img

By

Published : May 25, 2022, 1:37 PM IST

ସମସ୍ତଙ୍କ ସହଯୋଗରେ ଜିଲାର ଉନ୍ନତି ସମ୍ଭବ: କନ୍ଧମାଳ ସାଂସଦ

କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ଅଚ୍ୟୁତ ସାମନ୍ତ ଏଥିରେ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗତକାଲି(ମଙ୍ଗଳବାର) ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ସମ୍ଭବ ବୋଲି ପରାମର୍ଶ ଦେଇଛନ୍ତି ।

ସମସ୍ତଙ୍କ ସହଯୋଗରେ ଜିଲାର ଉନ୍ନତି ସମ୍ଭବ: କନ୍ଧମାଳ ସାଂସଦ

ପ୍ରଥମେ ସାଂସଦ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିଭାଗର ପଦାଧିକାରୀମାନଙ୍କ ଠାରୁ ଅବଗତ ହୋଇଥିଲେ । ଏହାପରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକଙ୍କଠାରୁ ସେମାନଙ୍କ ଅଞ୍ଚଳର ରାସ୍ତା, ଜଳ ଯୋଗାଣ, ଶିକ୍ଷା ଆଦି ବିଭିନ୍ନ ସମସ୍ୟା ଶୁଣିଥିଲେ । ଜିଲ୍ଲାର ଜନ ପ୍ରତିନିଧି ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ ।

ସେହିପରି ବାଲିଗୁଡା ଓ ଫୁଲବାଣୀ ବନଖଣ୍ଡ ଅଧିକାରୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲା ସର୍ବଶିକ୍ଷା ପ୍ରକଳ୍ପ ସଂଯୋଜକ, ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ, ଟେଲିକମ୍ ବିଭାଗ ଏଜିଏମ୍‌, ରାସ୍ତା ଓ କୋଠାବାଡ଼ି ଅଧିକ୍ଷଣ ଯନ୍ତ୍ରୀ, ଜିଲା ଶିଳ୍ପ କେନ୍ଦ୍ର, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ, ଜଳଚ୍ଛାୟା ପ୍ରକଳ୍ପ ନିର୍ଦ୍ଦେଶକ, ଉପ-ନିର୍ଦ୍ଦେଶକ ଉଦ୍ୟାନ କୃଷି, ଫୁଲବାଣୀ ପୌର ପରିଷଦ ନିର୍ବାହୀ ଅଧିକାରୀ ବୈଠକରେ ଉପସ୍ଥିତ ରହି ନିଜ ବିଭାଗର ତଥ୍ୟ ଗୃହରେ ପ୍ରଦାନ କରଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକ ବୈଠକ ପରିଚାଳନା କରିଥିଲେ ।

ସୂଚନାନୁସାରେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୨ ହଜାର ୮୬୯ଟି ପରିବାର ୧୦୦ ଦିନର କାମ ପୂରଣ କରିଥିବା ବେଳେ ୯୯ଭାଗ ଲୋକ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ପାଇପାରିଛନ୍ତି । ଆଜି ସୁଦ୍ଧା ୮୨.୭୫ ଭାଗ ପରିବାର ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଦୀନ୍ ଦୟାଲ ଅନ୍ତୋଦୟ ଯୋଜନା ମାଧ୍ୟମରେ ୬୫୮୨ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇଛି । ଏତଦ୍‌ବ୍ୟତୀତ ୧୬୫୨ ଜଣ ଗ୍ରାମୀଣ ଯୁବତୀ ଯୁବକଙ୍କୁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୫୧୩ ଜଣ ବିଭିନ୍ନ ଅନୁଷ୍ଠାନ ତଥା କମ୍ପାନୀରେ ନିଯୁକ୍ତି ପାଇ ପାରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନ ମାଧ୍ୟମରେ ୨୦୧୬-୧୭ ରୁ ୨୦୨୦-୨୧ ମଧ୍ୟରେ ୨୪ହଜାର ୪୪୭ ବାସହୀନ ପରିବାରକୁ ବାସଗୃହ ଯୋଗାଇ ଦିଆଯାଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.