କନ୍ଧମାଳରେ ସଂଗ୍ରହ ହେବ ୧୦ ହଜାର ଟନ୍‌ କେନ୍ଦୁପତ୍ର

author img

By

Published : May 14, 2022, 11:33 AM IST

କନ୍ଧମାଳରେ ସଂଗ୍ରହ ହେବ ୧୦ ହଜାର ଟନ କେନ୍ଦୁପତ୍ର

କୋରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା କନ୍ଧମାଳରେ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ବନ୍ଦ ରହିଥିଲା । ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକୁ ପୁଣି ଆରମ୍ଭ ହୋଇଥିବା ବେଳେ ଏଥର ଜିଲ୍ଲାରେ ୧୦ ହଜାର ଟନ କେନ୍ଦୁ ପତ୍ର ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଆଧ୍ୟୁଷିତ ଅଞ୍ଚଳ । ଏଠାରେ ଆଦିବାସୀମାନଙ୍କ ଅର୍ଥ ଉପାର୍ଜନର ଅନ୍ୟତମ ମାଧ୍ୟମ ହେଉଛି କେନ୍ଦୁପତ୍ର ସଂଗ୍ରହ । ଜିଲ୍ଲାର ପ୍ରାୟ ୫୦ ହଜାର ଲୋକ ଏଥିରେ ନିୟୋଜିତ ଅଛନ୍ତି । ବିଶେଷକରି ମହିଳାମାନେ ଏହି କାର୍ଯ୍ୟରେ ଅଧିକ ସଂଖ୍ୟାରେ ନିୟୋଜିତ ହୁଅନ୍ତି । ସେମାନେ ଗଛରୁ କେନ୍ଦୁପତ୍ର ତୋଳିବା ଠାରୁ ଆରମ୍ଭ କରି କେରି ବାନ୍ଧିବା ପର୍ଯ୍ୟନ୍ତ କାର୍ଯ୍ୟ କରି ଭଲ ପାରିଶ୍ରମିକ ପାଇଥାଆନ୍ତି । କୋରୋନା ପ୍ରଭାବରେ ଗତ ଦୁଇ ବର୍ଷ ହେଲା କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ବନ୍ଦ ରହିଥିଲା । ହେଳେ ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକୁ ପୁଣି ଆରମ୍ଭ କରାଯାଇଛି । ଏଥର ଜିଲ୍ଲାରେ ୧୦ ହଜାର ଟନ କେନ୍ଦୁପତ୍ର ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

କନ୍ଧମାଳରେ ସଂଗ୍ରହ ହେବ ୧୦ ହଜାର ଟନ କେନ୍ଦୁପତ୍ର

ଏ ବର୍ଷ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିମାନଙ୍କ ପାରିଶ୍ରମିକ ଓ ବୋନସ ବୃଦ୍ଧି କରି ଥିବାରୁ କେନ୍ଦୁପତ୍ର ତୋଳାଳିମାନଙ୍କ ମଧ୍ୟରେ ଆଗ୍ରହ ବଢିଛି । ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ଅଧୀନରେ ଫୁଲବାଣୀ, ଗୋଚ୍ଛାପଡା ଇଷ୍ଟ, ଗୋଚ୍ଛାପଡା ୱେଷ୍ଟ, ବାଲିଗୁଡା, ଦଶପଲ୍ଲା, ଭଞ୍ଜନଗର, ତୁମୁଡିବନ୍ଧ ଭଳି ୭ଟି ରେଞ୍ଜ ରହିଛି । ଏହି ସବୁ ରେଞ୍ଜରୁ ଚଳିତ ବର୍ଷ ୧୦ ହଜାର ଟନ କେନ୍ଦୁପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ଡିଭିଜନ ଅଧିନରେ ଥିବା ପ୍ରାୟ ୪ ଶହ କେନ୍ଦୁପତ୍ର ଫଡିରେ ପତ୍ର ସଂଗ୍ରହ ଜାରି ରହିଛି । ଭଙ୍ଗାରୁଜା ହୋଇ ରହିଥିବା କେନ୍ଦୁପତ୍ର ଫଡି ସବୁ ମରାମତି କରାଯାଇଛି । ଚଳିତ ଥର ପ୍ରାୟ ୪୨ ହଜାର କେନ୍ଦୁପତ୍ର ତୋଳାଳି ଏହି କାର୍ଯ୍ୟରେ ନିୟୋଜିତ ଥିବା ବିଭାଗ ପକ୍ଷରୁ ଜଣାପଡିଛି ।

ଗତ ମାସରେ ରାଜ୍ୟ ସରକାର ତୋଳାଳୀମାନଙ୍କ ପାଇଁ ସଂଗ୍ରହ ମୂଲ୍ୟ ବୃଦ୍ଧି କରିଛନ୍ତି । କାର୍ଯ୍ୟରେ ନିୟୋଜିତ ଥିବା ସିଜନାଲ କର୍ମଚାରୀଙ୍କ ଭତ୍ତା ଓ ବୋନସ ମଧ୍ୟ ବୃଦ୍ଧି କରାଯାଇଛି । ଜିଲାର ପ୍ରାୟ ୪ ହଜାର ସିଜନାଲ କର୍ମଚାରୀ ଏହାଦ୍ବାରା ଉପକୃତ ହେବେ । ତେଣୁ ଜିଲ୍ଲାରେ ଲକ୍ଷ୍ୟ ମୁତାବକ କେନ୍ଦୁପତ୍ର ସଂଗ୍ରହ ହେବା ଅନୁମାନ କରାଯାଉଛି । ଜିଲ୍ଲାର କିଛି ଅଞ୍ଚଳରେ ତୋଳାଳୀମାନଙ୍କୁ ନିୟମିତ ଭାବେ ପାରିଶ୍ରମିକ ଓ ବୋନସ ମିଳୁ ନ ଥିବା ମଧ୍ୟ ଅଭିଯୋଗ ଆସୁଛି । ଏହାଦ୍ବାରା ତୋଳାଳି ଓ ସିଜନାଲ କର୍ମଚାରୀମାନେ ନିରୁତ୍ସାହିତ ହେବା ଆଶଙ୍କା କରାଯାଉଛି । ଏନେଇ କେନ୍ଦୁଲିଫ ଡିଏଫଓ ହେମନ୍ତ କୁମାର ସାହୁଙ୍କୁ ପଚାରିବାରୁ ବୋନସ ମିଳିବାରେ କୌଣସି ସମସ୍ୟା ନାହିଁ । ଠିକ ସମୟରେ ତୋଳାଳିମାନଙ୍କୁ ପାରିଶ୍ରମିକ ଓ ବୋନସ ମିଳିବା ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.