ETV Bharat / state

ବେସାହାରା ବିସ୍ଥାପିତ, ପ୍ରତିଶ୍ରୁତି ଭୁଲିଗଲା ବେଦାନ୍ତ !

author img

By

Published : Nov 20, 2022, 8:52 PM IST

ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ବିସ୍ଥାପିତ କରିବା ପରେ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିଲା ବେଦାନ୍ତ କମ୍ପାନୀ । ପ୍ରତିଷ୍ଠା ହେବାର ୧୯ ବର୍ଷ ପରେ ମଧ୍ୟ କମ୍ପାନୀ ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିସ୍ଥାପିତ । ଅଧିକ ପଢ଼ନ୍ତୁ

ପ୍ରତିଶ୍ରୁତି ଭୁଲିଗଲା ବେଦାନ୍ତ ! ବେସାହାରା ବିସ୍ଥାପିତ
ପ୍ରତିଶ୍ରୁତି ଭୁଲିଗଲା ବେଦାନ୍ତ ! ବେସାହାରା ବିସ୍ଥାପିତ

ଭବାନୀପାଟଣା: ବେଦାନ୍ତ ଷଡଯନ୍ତ୍ରରେ ବେସାହାରା ବିସ୍ଥାପିତ । କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ହେବା ସମୟରେ ଲୋକଙ୍କୁ ବହୁତ ଆଶା ଦେଇ କମ୍ପାନୀ ଠକି ଦେଇଥିବା ଅଭିଯୋଗ ହୋଇଛି । କମ୍ପାନୀ ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିବା ଲୋକଙ୍କୁ କମ୍ପାନୀ ତରଫରୁ ମିଳିଥିବା ବିଭିନ୍ନ ପ୍ରତିଶ୍ରୁତି ପାଳନ କରୁନି କମ୍ପାନୀ । ଫଳରେ ୧୯ ବର୍ଷ ପରେ ମଧ୍ୟ ଅସହାୟ ହୋଇ ରହିଛନ୍ତି ବିସ୍ଥାପିତ ।

ପ୍ରତିଶ୍ରୁତି ଭୁଲିଗଲା ବେଦାନ୍ତ ! ବେସାହାରା ବିସ୍ଥାପିତ

ବିକାଶର ସ୍ବପ୍ନ ଦେଖାଇଥିଲା ବେଦାନ୍ତ

୨୦୦୩ ମସିହାରେ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଥିଲା ବହୁ ରାଷ୍ଟ୍ରୀୟ କମ୍ପାନୀ ବେଦାନ୍ତ । କମ୍ପାନୀ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମିଜମା ରାଜ୍ୟ ସରକାର ଯୋଗାଇ ଦେଲେ । ଆଉ ବିସ୍ଥାପିତ ହେଲା ଅନେକ ଗାଁ । ସେହି ସମୟରେ ବେଦାନ୍ତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ରଘୁନାଥପୁର, ମୋହନଗୁଡା, ହରେକୃଷ୍ଣପୁର, ନଙ୍ଗଲବେଡା, ଗୋପୀନାଥ ପୁର, ବିଲାଟି ପଦର, ଚନ୍ଦନ ପୁର, ନୂତନ ବାତରେଲିମା, ଖମନଖୁଟି ଭଳି ୯ଟି ଗାଁର ଲୋକେ କମ୍ପାନୀ ପ୍ରତିଷ୍ଠା ପରେ ନିଜ ଆର୍ଥିକ ସ୍ୱଚ୍ଛଳତାକୁ ନେଇ ବିକାଶର ସ୍ବପ୍ନ ଦେଖିଥିଲେ । ଏଭଳି ଆଶା ଅଞ୍ଚଳବାସୀଙ୍କୁ ଦେଖାଇ ଲୋକଙ୍କ ଜମିକୁ ହାତେଇଥିଲା କମ୍ପାନୀ । ହେଲେ ପ୍ରତିଷ୍ଠାର ୧୯ ବର୍ଷ ପରେ ମଧ୍ୟ ଅନେକ ବିସ୍ଥାପିତଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଆଜିବି ବେଦାନ୍ତ ବିସ୍ଥାପିତ ନିଯୁକ୍ତି ଓ ରୋଜଗାର ବେଦନାରେ ଛଟପଟ ହେଉଛନ୍ତି ।

ମୁଣ୍ଡ ଗୁଞ୍ଜିବାକୁ ଘର ଖୋଜୁଛନ୍ତି ବିସ୍ଥାପିତ

କମ୍ପାନୀ ପ୍ରତିଷ୍ଠା ହେଲେ ନିଯୁକ୍ତି ମିଳିବ ଓ ଦୁଇ ପାଇସା ରୋଜଗାର କଲେ ପରିବାର ପ୍ରତିପୋଷଣ ପାଇଁ ସହାୟକ ହେବ ବୋଲି ଭାବି ଭିଟାମାଟି ଛାଡ଼ିଥିଲେ ସ୍ଥାନୀୟ ଲୋକେ । ଆଜି କମ୍ପାନୀରେ ଆଲୁମିନା ଉତ୍ପାଦନ ଚାଲିଛି ଏବଂ ରେଳ ଲାଇନ ଦୋହରୀକରଣ ପାଇଁ ମଧ୍ୟ ଅଣ୍ଟା ଭିଡିଛି । ସେପଟେ କିନ୍ତୁ ବିସ୍ଥାପିତ କମ୍ପାନୀର ତାଡନାରେ ଛଟପଟ ହେଉଛନ୍ତି । ନାଁ ଅଛି ଜମିବାଡି ନାଁ ଅଛି ଘରଦ୍ବାର । ଏମିତି କିଛି ଅଭିଯୋଗ ଆଣି ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିସ୍ଥାପିତ ।

ଫିଟୁନି ସମାଧାନର ବାଟ

ପୂର୍ବରୁ ୨୦୧୯ ମସିହାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ର ଅଷ୍ଟମ ଆରପିଡିଏସି ବୈଠକ । ଏଥିରେ କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ସାଂସଦ, ଲାଞ୍ଜିଗଡ଼ ବିଧାୟକ, ଲାଞ୍ଜିଗଡ଼ ବେଦାନ୍ତ ସିଇଓଙ୍କ ସମେତ ଲାଞ୍ଜିଗଡ଼ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀମାନେ ଯୋଗଦେଇଥିଲେ । ହେଲେ ସେଠାରେ ମଧ୍ୟ ବେଦାନ୍ତ କମ୍ପାନୀ ପାଇଁ ବିସ୍ଥାପିତ ପ୍ରସଙ୍ଗର ସମାଧାନ ହୋଇପାରି ନଥିଲା । ସେପଟେ ଏନେଇ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନନାଗା କହିଛନ୍ତି, "ସମସ୍ତେ ସେମାନଙ୍କର କ୍ଷତିପୂରଣ ପାଇସାରିଛନ୍ତି । ମୋ ପାଖରେ ଅଧିକ କିଛି ସୂଚନା ନାହିଁ ।" କମ୍ପାନୀ ଆଗକୁ ବଢ଼ି ଚାଲିଥିବାବେଳେ ଆଜି ପର୍ଯ୍ୟନ୍ତ ସମାଧାନର ରାସ୍ତା ଖୋଜୁଛନ୍ତି ଅସହାୟ ଲୋକେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.