ETV Bharat / state

ଲୁଚକାଳି ଖେଳୁଛି ମୌସୁମୀ, ଶୁଖିଲା ପଡିଛି ଧାନ ବିଲ

author img

By

Published : Jul 1, 2022, 5:32 PM IST

Updated : Jul 2, 2022, 10:50 PM IST

କଳାହାଣ୍ଡିରେ ଲୁଚକାଳି ଖେଳୁଛି ମୌସୁମୀ । ବର୍ଷା ନ ହେବାରୁ ଧାନ ବିଲ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି । ଅଧିକ ପଢନ୍ତୁ

ଲୁଚକାଳି ଖେଳୁଛି ମୌସୁମୀ, ଶୁଖିଲା ପଡିଛି ଧାନ ବିଲ
ଲୁଚକାଳି ଖେଳୁଛି ମୌସୁମୀ, ଶୁଖିଲା ପଡିଛି ଧାନ ବିଲ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମୌସୁମୀର ଲୁଚକାଳି ଖେଳ ବଢ଼ାଇ ଦେଇଛି ଚାଷୀଙ୍କ ଚିନ୍ତା । କିଛି ଦିନ ପୂର୍ବରୁ ମୌସୁମୀର ପ୍ରଥମ ବର୍ଷା ଚାଷୀଙ୍କୁ ଯେତିକି ଆନନ୍ଦିତ କରିଥିଲା ଏବେ ବର୍ଷା ନ ହେବା, ସେତିକି ଚିନ୍ତାରେ ପକାଇଛି । ବର୍ଷା ହେଉନଥିବାରୁ ଚାଷ କାମ ଆଗେଇ ପାରୁନାହିଁ । ଆଗକୁ ସ୍ଥିତି କ'ଣ ହେବ ତାକୁ ନେଇ ଏବେ ଆଶା ଆଶଙ୍କାରେ କଳାହାଣ୍ଡି ଚାଷୀ । ବର୍ତ୍ତମାନ ଚାଷ ଜମିରେ ସବୁଜ ସୁନ୍ଦର ଧାନ ତଳି ଉଠିବା ସମୟ । କିନ୍ତୁ ଏବେ ଜମି ଶୁଖିଲା ପଡିବା ସହ ଅନବନା ଗଛ ଉଠି ଗାଈଗୋରୁଙ୍କ ଚରାଭୂମି ପାଲଟିଛି । ଏହାର ମୁଖ୍ୟ କାରଣ ହେଲା ବର୍ଷାର ଅଭାବ ।

ଲୁଚକାଳି ଖେଳୁଛି ମୌସୁମୀ, ଶୁଖିଲା ପଡିଛି ଧାନ ବିଲ

ମୌସୁମୀ ଆଗମନ ସହ ବର୍ଷା ହେଲା । ଏହାପରେ ଜିଲ୍ଲାର କିଛି ଅଞ୍ଚଳର ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କଲେ । ହେଲେ ସେବେଠାରୁ ବର୍ଷା ଯେପରି ଏକପ୍ରକାର ଗାଏବ ହୋଇଯାଇଛି । ଏହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ । ଜିଲ୍ଲା କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ଜିଲ୍ଲାରେ ୩୧ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ସମଗ୍ର ଜିଲ୍ଲାରେ ୩ ଲକ୍ଷ ୮୩ ହଜାର ୭୨୧ ହେକ୍ଟର ଧାନ ଚାଷ ହେବା ନେଇ ଲକ୍ଷ୍ୟ ରଖିଛି ଜିଲ୍ଲା କୃଷି ବିଭାଗ । ହେଲେ ଜୁନ ମାସ ଶେଷ ସୁଦ୍ଧା ଜିଲ୍ଲାରେ ମାତ୍ର ୧୬୯ ମିଲିମିଟର ବର୍ଷା ହୋଇଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ଚାଷୀଙ୍କ ଉପରେ ।

କଳାହାଣ୍ଡିରେ ୮୦ ପ୍ରତିଶତରୁ ଅଧିକ ଲୋକେ ଚାଷ ଉପରେ ନିର୍ଭରଶୀଳ । ରାଜ୍ୟରେ ଦ୍ବିତୀୟ ଧାନ ଉତ୍ପାଦନ ଜିଲ୍ଲା ଭାବରେ କଳାହାଣ୍ଡି ପରିଚିତ । ଏଠାରେ ଉନ୍ନତମାନର ଧାନ ଉତ୍ପାଦନ ହେଉଥିବା ବେଳେ ଚାଉଳ ବିଦେଶକୁ ରପ୍ତାନୀ ହୋଇଥାଏ । ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ ପ୍ରକଳ୍ପ ଦ୍ବାରା କେନାଲ ମାଧ୍ୟମରେ ପାଣି ପାଇ ଏଠାକାର ଚାଷୀ ଖରିଫ ଓ ରବି ଚାଷ କରିଥାନ୍ତି । କିନ୍ତୁ ବର୍ଷା ଅଭାବ ଯୋଗୁଁ ବର୍ତ୍ତମାନ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ମଧ୍ୟ ଜଳସଙ୍କଟ ଦେଖାଦେଇଛି । ଜଳ ଭଣ୍ଡାରରେ ଜଳ ଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ବର୍ତ୍ତମାନ ଏଥିରେ ୬୩୮.୬୫ ମିମି ପାଣି ରହିଛି । ଯଦି ଜିଲ୍ଲାରେ ଆଗକୁ ଭଲ ବର୍ଷା ନ ହୁଏ ତେବେ ଇନ୍ଦ୍ରାବତୀ କେନାଲ ମଧ୍ୟ ପାଣି ଯୋଗାଇ ପାରିବ ନାହିଁ ।

ପ୍ରତ୍ୟେକ ବର୍ଷ ଜୁନ ମାସ ଆରମ୍ଭରୁ କଳାହାଣ୍ଡି ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହଇଥାଏ । ତଳି ପକାଇବା ସହ ମାସ ଶେଷବେଳକୁ ରୁଆଁ ବେଉଷଣ କାର୍ଯ୍ୟ ସରି ଯାଇଥାଏ । ହେଲେ ଚଳିତ ବର୍ଷ ଚାଷୀଙ୍କୁ ଧୋକା ଦେଇଛି ମୌସୁମୀ । ତେବେ ଆଗକୁ ଭଲ ବର୍ଷ ହେଉଛି କି ନାହିଁ ତାକୁ ନେଇ ଆଶା ଓ ଆଶଙ୍କାରେ ଜିଲ୍ଲାର ଚାଷୀ ।

ଇଟିଭି ଭାରତ, କଳାହାଣ୍ଡି

Last Updated :Jul 2, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.