ETV Bharat / state

ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ଡି ଜିଲ୍ଲା

author img

By

Published : Oct 3, 2022, 8:00 AM IST

Updated : Oct 3, 2022, 8:06 AM IST

ଆରମ୍ଭ ହୋଇଯାଇଛି କଳାହାଣ୍ଡି ଇଷ୍ଟଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ମାଣିକେଶ୍ବରୀଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ଅଧିକ ପଢ଼ନ୍ତୁ

famous chhatar yatra of maa manikeswari in kalahandi
ଆଜି ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ଛତର ଯାତ୍ରା, 20 ପ୍ଲାଟୁନ ଫୋର୍ସ ମୁତୟନ

ଭବାନୀପାଟଣା: ଆଜି କଳାହାଣ୍ଡିର ଇଷ୍ଟଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଆଶ୍ବିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ତଥା ମୂଳାଷ୍ଟମୀ ତିଥିରେ ମା' ମାଣିକେଶ୍ବରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଏହି ଅବସରରେ ଚଳଚଞ୍ଚଳ ହୋଇଉଠିଛି କଳାହାଣ୍ଡି ଜିଲ୍ଲା ।

ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ବାହାରିଛି ବିଜୟ ପ୍ରତିମା ଛତର (ଛତ୍ର)। ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି । ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳେ । ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରା ତାଳେ ତାଳେ ମା'ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ । ଏହି ପ୍ରସିଦ୍ଧ ଯାତ୍ରାରେ ମାଣିକେଶ୍ବରୀଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଜେନାଖାଲ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ । ମା' ମାଣିକେଶ୍ବରୀଙ୍କ ପାଖରେ ବଳି ଦିଆଯିବା ଏକ ସ୍ବତନ୍ତ୍ର ପରମ୍ପରା ରହିଛି । ମା'ଙ୍କ ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି କଳାହାଣ୍ଡିବାସୀ ।

ଭକ୍ତଙ୍କ କହିବା ଅନୁଯାୟୀ, "ମାଣିକେଶ୍ବରୀଙ୍କ ଆର୍ବିଭାବ ସହ ଯୋଡ଼ିକି ଅଛି ବଳି ପ୍ରଥା । ଏହାକୁ ଅଲଗା କରି ଦେଖାଯାଇପାରିବନି । ବଳି ପ୍ରଥା କଳାହାଣ୍ଡିବାସୀଙ୍କର ଏକ ପରମ୍ପରା । ଏହା କଳାହାଣ୍ଡିର ଜୀବନଶୈଳୀ ସହ ଯୋଡ଼ି ହୋଇ ରହିଛି । ଆଦିବାସୀ ସଂସ୍କୃତିରେ ଯାହା ନିୟମ ଅଛି ତାହା ଭିତରୁ ଛତର ଯାତ୍ରାରେ ହେଉଥିବା ଏହି ବଳି ପ୍ରଥା ପରମ୍ପରା ଏକ ବଡ଼ ପରମ୍ପରା। "

ଏହା ମଧ୍ୟ ପଢ଼ନ୍ତୁ: ମହାମାୟାଙ୍କ ମହାସପ୍ତମୀ, ଜାଣନ୍ତୁ କାହିଁକି କରାଯାଏ ନଦୀ କୂଳରେ ଘଟ ପୂଜା

ଦୀର୍ଘ ଦୁଇ ବର୍ଷ ପରେ ବେଶ ଆଡ଼ମ୍ବର ଭାବେ ଛତର ଯାତ୍ରା ପାଳନ କରିବେ କଳାହାଣ୍ଡିବାସୀ । ତେଣୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ 22ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି।

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 3, 2022, 8:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.