ପାହାଡ଼ ଚଢି ପାରୁନି ବିକାଶ ରଥ: ଗାଁର ନାଁ ମନ୍ତ୍ରୀଗୁଡା, ଲୋକେ ମୁଖ୍ୟମନ୍ତ୍ରୀ କିଏ ଜାଣି ନାହାନ୍ତି

author img

By

Published : Nov 22, 2022, 10:45 AM IST

ପାହାଡ ଉପରେ ଜନବସତି, ପାହାଡ଼ ଚଢି ପାରୁନି ବିକାଶ ରଥ

ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ପଞ୍ଚାୟତ ପାହାଡର ୩ କିଲୋମିଟର ଉପରେ ଜନବସତି ଗାଁ ମନ୍ତ୍ରୀଗୁଡା । ଯେଉଁଠାରେ ଅପହଞ୍ଚ ସରକାରୀ ଯୋଜନା । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଏମିତିବି ଦୁର୍ଗମ ଅଞ୍ଚଳରେ ଅଛି ଜନବସତି ଗାଁ । ଯେଉଁ ଗାଁର ଲୋକେ ଶିକ୍ଷା କଣ ଜାଣି ନାହାଁନ୍ତି । ଗାଁର ନାଁ ହେଉଛି ମନ୍ତ୍ରୀଗୁଡା କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଜାଣି ନାହାଁନ୍ତି କି ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ ନାଁ ମଧ୍ୟ ଜାଣି ନାହାଁନ୍ତି । ଏମାନଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ ହୋଇ ପଡିଛି । ନା ଅଛି ଗମନାଗମନ, ନା ଅଛି ଶିକ୍ଷା, ନା ସ୍ବାସ୍ଥ୍ୟ, ନା ରହିବା ପାଇଁ ଆବାସ ଯୋଜନାରେ ଘର । ସରକାରଙ୍କ ଯୋଜନା ଏବେ ଫମ୍ପା ମାଠିଆରେ ରହି ଯାଉଛି । ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ପଞ୍ଚାୟତ ପାହାଡର ୩ କିଲୋମିଟର ଉପରେ ଜନବସତି କରିଥିବା ଏକ ଗାଁ ହେଉଛି ମନ୍ତ୍ରୀଗୁଡା ।

ପାହାଡ ଉପରେ ଜନବସତି, ପାହାଡ଼ ଚଢି ପାରୁନି ବିକାଶ ରଥ

ଏହି ଗାଁରେ କେଉଁ ଆବାହମାନ କାଳରୁ ବସବାସ କରିଆସୁଛନ୍ତି ଲୋକେ । ଏହି ଗାଁରେ ଆଗରୁ ୨୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରି ଆସୁଥିଲେ । କିଛି ପରିବାର ପାହାଡ଼ ତଳକୁ ଆସି ରହିଥିବା ବେଳେ ବର୍ତ୍ତମାନ ୬ ଆଦିବାସୀ ପରିବାର ୨୫ରୁ ଉର୍ଦ୍ଧ୍ବ ଲୋକେ ସେହି ପାହାଡ଼ ଉପରେ ହିଁ ରହି ଆସୁଛନ୍ତି । ଏହି ୬ ଆଦିବାସୀ ପରିବାରର ପାଇଁ ସରକାରଙ୍କ ମୌଳିକ ଯୋଜନା ସାତ ସପନ ହୋଇଛି । ତେବେ ଗାଁରେ ନଳକୂପ ଟିଏ ନଥିବା ଯୋଗୁଁ ନାଳ ପାଣି ଉପରେ ଭରସା କରନ୍ତି ଗ୍ରାମବାସୀ । ଗାଁକୁ ରାସ୍ତା ନଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଲୋକେ ।

ପିଡ଼ିଏସ ଚାଉଳ ପାଇଁ ଦୀର୍ଘ ୩ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ୩ କିଲୋମିଟର ପାହାଡ଼ ଉପରେ ଥିବା ଯୋଗୁଁ ଏମାନଙ୍କ ଉପରେ ସରକାରୀ ବାବୁଙ୍କ ନଜର ମଧ୍ୟ ପଡୁ ନାହିଁ । ଏମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ହିଁ ସ୍ବପ୍ନ ପାଲଟିଛି ଯାହା ଫଳରେ ଦେହ ଅସୁସ୍ଥ ହେଲେ ଡାକ୍ତର ନୁହେଁ ବରଂ ଲୋକେ ଗୁଣିଆ ନିକଟକୁ ଯାଇଥାନ୍ତି । ତେବେ ଏଥିପ୍ରତି ଦୃଷ୍ଟି ଦେଇ ଏହି ଗାଁ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କଲେ ଲୋକେ ଉପକୃତ ହୋଇ ପାରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.