ETV Bharat / state

ତାତିଲେ ଛାତ୍ରଛାତ୍ରୀ: କଲେଜ କାନ୍ଥରେ ଫାଟ, ଅଧ୍ୟାପକ ଅଭାବ

author img

By

Published : Nov 4, 2022, 12:46 PM IST

କଲେଜରେ ଅଧ୍ୟାପକ ଓ ଆବଶ୍ୟକ ପଦବୀ ପୂରଣ ଦାବିରେ ରାଜ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କଲେ ଅମୋହମଣୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ।

ଅମୋହମଣୀ ମହାବିଦ୍ୟାଳୟରେ ନାହାନ୍ତି ଅଧ୍ଯାପକ
ଅମୋହମଣୀ ମହାବିଦ୍ୟାଳୟରେ ନାହାନ୍ତି ଅଧ୍ଯାପକ

ଭବାନୀପାଟଣା: କଲେଜରେ ଅଛନ୍ତି ଛାତ୍ରଛାତ୍ରୀ କିନ୍ତୁ ପାଠ ପଢାଇବାକୁ ନାହାନ୍ତି ଅଧ୍ୟାପକ । ଫଳରେ ପାଠ ପଢା ନେଇ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ, କଲେଜର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି, ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଲାହାଣ୍ଡି ଜିଲ୍ଲାର କଲମପୁରରେ ଥିବା ଅମୋହମଣୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକରେ ଶିକ୍ଷାର ବିକାଶ ପାଇଁ 1985 ମସିହାରେ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ତତ୍କାଳୀନ ମହାରାଣୀଙ୍କ ଅମୋହମଣୀଙ୍କ ନାମରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ନିର୍ମାଣ କରାଯାଇଥିଲା ।

ତାତିଲେ ଛାତ୍ରଛାତ୍ରୀ: କଲେଜ କାନ୍ଥରେ ଫାଟ, ଅଧ୍ୟାପକ ଅଭାବ

ସେତେବେଳେ ଥୁଆମୂଳ ରାମପୁରର ମହାରାଜ ଉକ୍ତ କଲେଜର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ନେଇ ଥିଲେ ଏବଂ କଲେଜରେ ଛାତ୍ରଛାତ୍ରୀ କେମିତି ସୁବିଧାରେ ପାଠ ପଢି ପାରିବେ ସେ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ଏହି କଲେଜରେ 300ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି କିନ୍ତୁ ଏବେ ରକ୍ଷଣାବେକ୍ଷଣ ଅଭାବରୁ କଲେଜଟି ବିପଦ ସଂକୁଳ ଅବସ୍ଥାରେ ରହିଛି । କଲେଜର କୋଠରି ଗୁଡିକ ପୁରୁଣା ହୋଇଥିବାରୁ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଏମିତିକି ଛାତ ଉପରୁ ବାରମ୍ବାର ପ୍ଲାଷ୍ଟର ଖସୁଥିବାର ଦେଖିବାକୁ ମିଳୁଛି । କଲେଜର ଅବ୍ୟବସ୍ଥା ନେଇ ଅଭିଯୋଗ ହେବା ପରେ ଦେଖି ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ 2013-14 ମସିହାରେ ତିନି ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇ ୨ଟି ଶ୍ରେଣୀ ଗୃହର ମରାମତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ରୋଗୀଙ୍କୁ ମିଳୁନି, କଳାହାଣ୍ଡିରେ ଫିଙ୍ଗାହେଉଛି ନିରାମୟ ଔଷଧ

ଯେଉଁ କୋଠରିରେ ଏବେ ପ୍ରଥମ ଏବଂ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢୁଛନ୍ତି । ଅନ୍ୟପଟେ କଲେଜରେ ଅଧ୍ୟାପକ ପଦବୀ ମଧ୍ୟ ଖାଲି ପଡିଛି । କେବଳ ଭୂଗୋଳ ଓ ଇଂରାଜୀକୁ ଛାଡିଦେଲେ ଆଉ କୌଣସି ଅଧ୍ୟାପକ ନାହାନ୍ତି । ମାତ୍ର ୨ଟି କ୍ଳାସ ହେଉଥିବାବେଳେ ଅନ୍ୟ ବିଷୟ ରେ ଛାତ୍ରଛାତ୍ରୀମାନେ ନିଜେ ଅନ୍ୟତ୍ର କୋଚିଂ ନେଉଥିବା ଅଭିଯୋଗ ହୋଇଛି । ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା ଏବଂ ପଛୁଆ ଅଞ୍ଚଳ ମାନଙ୍କରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବା ଦାବି କରୁଥିବା ବେଳେ ଏମିତି କିଛି ଚିତ୍ର ସରକାରଙ୍କ ବିକାଶର ସ୍ଲୋଗାନ ଉପରେ ଉଠାଇଛି ପ୍ରଶ୍ନବାଚୀ ।

ସେପଟେ ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶେଷରେ ରାଜ ରାସ୍ତାରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି । ଆଜି ଥୁଆମୂଳ ରାମପୁର ଜୁନାଗଡ଼ ରାସ୍ତାକୁ କଲମପୁର ୪ ଛକ ଠାରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଥାଶୀଘ୍ର ରାଜ୍ୟ ସରକାର କଲେଜର ପୁନଃ ଉଦ୍ଧାର କରିବା ସହ ଆବଶ୍ୟକ ପଦବୀ ପୂରଣ ଓ ବିଶେଷ କରି ଅଧ୍ୟାପକ ନିଯୁକ୍ତି ଦାବିରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ । ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଥିବାବେଳେ ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ମୌଷଧି ବାଗ, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

କଳାହାଣ୍ଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.