ETV Bharat / state

ନବ ଦାସ ହତ୍ୟା ମାମଲା, ଝାରସୁଗୁଡା ଭର୍ଚୁଆଲ କୋର୍ଟରେ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ

author img

By ETV Bharat Odisha Team

Published : Nov 16, 2023, 8:41 PM IST

statement of witness recorded virtually
ନବ ଦାସଙ୍କ ହତ୍ୟା ମାମଲାରେ ସାକ୍ଷ ଗ୍ରହଣ

Naba Das Murder Case: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା । ନବ ଦାସଙ୍କ ପୋଷ୍ଟମୋର୍ଟମ କରିଥିବା କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ଦୁଇଜଣ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ

ନବ ଦାସଙ୍କ ହତ୍ୟା ମାମଲାରେ ସାକ୍ଷ ଗ୍ରହଣ

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା । ଆଜି ଝାରସୁଗୁଡା ଭର୍ଚୁଆଲ କୋର୍ଟରେ ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏଡିଜେ ତଥା ଆଡିସନାଲ ସେସନ ଜଜ୍ ସୁବାଷ ଧଳଙ୍କ ଦ୍ୱାରା ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ନବ ଦାସଙ୍କ ପୋଷ୍ଟମୋର୍ଟମ କରିଥିବା କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ଦୁଇଜଣ ଡାକ୍ତର ଲଷ୍ମୀକାନ୍ତ ବେହେରା ଏବଂ ପ୍ରମୋଦ ସାମନ୍ତରାୟଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଏହି ଅବସରରେ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ଭର୍ଚୁଆଲ ମୋଡ଼ରେ ଉପସ୍ଥିତ ଥିଲା । ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଏବଂ କିଶୋର ପଟେଲ ଉଭୟ ଡାକ୍ତରଙ୍କୁ ଜେରା କରିଥିଲେ ।

ଅନ୍ୟପଟେ ଆସିଷ୍ଟାଣ୍ଟ ପବ୍ଲିକ ପ୍ରୋସିକ୍ୟୁଟର ଗଙ୍ଗାଧର ଗଡ଼ନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ । ଆଜିର ସାକ୍ଷ୍ୟ ଗ୍ରହଣବେଳେ ନବ ଦାସଙ୍କୁ ହୋଇଥିବା ଗୁଳିମାଡ଼ର କ୍ଷତ ଉପରେ ପ୍ରାଞ୍ଜଳ ଭାବରେ ଜେରା କରାଯାଇଥିବା ନେଇ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ସୂଚନା ଦେଇଛନ୍ତି । ଗତ ଜାନୁଆରୀ 29 ତାରିଖରେ ବ୍ରଜରାଜନଗର ଗାନ୍ଧି ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ନବଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିଲା ASI ଗୋପାଳ ଦାସ ।

ଏହା ବି ପଢନ୍ତୁ...ନବ ଦାସ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ, ଭିଡିଓ କନଫେରେନ୍ସ ଜରିଆରେ ହାଜର ହେଲା ଗୋପାଳ

ନବଦାସଙ୍କୁ ଗୁଳି ମାରିବା ପରେ ତୁରନ୍ତ ବ୍ରଜରାଜନଗର ପୋଲିସ ଗୋପାଳକୁ କାବୁ କରି ନେଇଥିଲା । ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକାଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ଦାଖଲ କରାଯାଇଥିଲା । ପୂର୍ବରୁ ନବ ଦାସଙ୍କ ଭାଇ ରାଜ କିଶୋର ଏବଂ ତାଙ୍କର ପିଏଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ତେବେ ଆଜି ପୋଷ୍ଟମୋର୍ଟମ କରିଥିବା ଡାକ୍ତର ପି.କେ ସାମନ୍ତରାୟ ଓ ଡାକ୍ତର ଲକ୍ଷ୍ମୀକାନ୍ତ ବେହେରାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏହା ଭିଡିଓ କନଫ୍ରେନ୍ସ ମାଧ୍ୟମରେ କରାଯାଇଥିବା ଜଣାପଡିଛି ।

ସେପଟେ ଅକ୍ଟୋବରରେ ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲରୁ ଭିଡିଓ କନଫେରେନ୍ସରେ ହାଜର ହୋଇଥିଲା । ଏହା ନବଦାସ ହତ୍ୟାକାଣ୍ଡ ମାମଲାରେ ଗୋପାଳ ଦାସର ପ୍ରଥମ ସାକ୍ଷ୍ୟ ଗ୍ରହଣ ଥିଲା । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଏହି ସାକ୍ଷ୍ୟ ଗ୍ରହଣ କରାଇଥିଲେ । ତେବେ ଆଜି ଝାରସୁଗୁଡା ଭର୍ଚୁଆଲ କୋର୍ଟରେ ଦୁଇ ଜଣ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.