ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ମାନପୁର ଓଭବ୍ରିଜ ! ଅଧାପନ୍ତରିଆ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସାରିବାକୁ ଦାବି

author img

By ETV Bharat Odisha Team

Published : Oct 3, 2023, 5:32 PM IST

କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାତାୟାତର ପାଇଁ ଥିବା ମାନପୁର ଓଭବ୍ରିଜ ଏବେ ବିପଦ ସଙ୍କୁଳ ଅବସ୍ଥାରେ । ତୁରନ୍ତ ଦ୍ବିତୀୟ ଓଭରବ୍ରିଜ୍ କାର୍ଯ୍ୟ ଶେଷ କରିବା ପାଇଁ ଦାବି । ଅଧିକ ପଢ଼ନ୍ତୁ

ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ଯାଜପୁରବାସୀ
ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ଯାଜପୁରବାସୀ

ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ଯାଜପୁରବାସୀ

ଯାଜପୁର: ବିପଦ ସଙ୍କୁଳ ଅବସ୍ଥାରେ ମାନପୁର ଓଭରବ୍ରିଜ୍‌ । କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାତାୟାତର ସୁବିଧା ପାଇଁ କେନ୍ଦ୍ରରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ନିର୍ମାଣ ହୋଇଥିଲା ମାନପୁର ଓଭରବ୍ରିଜ୍‌ । ମାତ୍ର ଏହି ବ୍ରିଜ୍‌ ଏବେ ଲୋକଙ୍କ ପାଇଁ ପାଲଟିଛି ବିପଦ । ପ୍ରତ୍ୟେକ ଦିନ ଏହି ବ୍ରିଜ୍‌ ଉପରେ ହଜାରହଜାର ସଂଖ୍ୟକ ଭାରିଯାନ ଯାଉଥିବାରୁ କେତେବେଳେ ଏହା ଭୁଶୁଡି ପଡିବା ଆଶଙ୍କାରେ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟବାସୀ ।

ସୂଚନା ଅନୁଯାୟୀ, କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଯାଜପୁର ରୋଡ୍‌ ଡ଼ୁବୁରୀ ମୁଖ୍ୟ ରାସ୍ତାରେ ଥିବା ମାନପୁର ଓଭରବ୍ରିଜଟି ଏବେ ବିପଦ ସଙ୍କୁଳ ହୋଇପଡିଛି । ଏହି ଓଭରବ୍ରିଜ୍ ଉପରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ଭାରିଯାନ ଚଳାଚଳ କରୁଥିବା ବେଳେ ବ୍ରିଜ୍‌ର ଅନେକସ୍ଥାନରେ ଲୁହା ଛଡ଼ ବାହାରି ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନେକ ସମୟରେ ଏହି ବ୍ରିଜ ଉପରେ ଶହ ଶହ ଗାଡି ଜାମ ହେଇବା କାରଣରୁ ଘଣ୍ଟାଘଣ୍ଟା ଟ୍ରାଫିକ ଜାମ ହେଉଥିବା ଦେଖିବାକୁ ମିଳୁଛି । ସେପଟେ ତୁରନ୍ତ ଦ୍ୱିତୀୟ ବ୍ରିଜ କାମ ସାରିବା ସହ ମାନପୁର ବ୍ରିଜର ମରାମତି ତୁରନ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ପୁରୀବାସୀ: ସରୁନି ଶ୍ରୀସେତୁ, ରେଲୱେ ଓଭର ବ୍ରିଜ କାମ, ବଢୁଛି ଅସନ୍ତୋଷ

ଏହି ଓଭରବ୍ରିଜ୍‌ଟି କଳିଙ୍ଗନଗର ଶିଳ୍ପାଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବାବେଳେ ଏହି ଅଞ୍ଚଳରେ ୧୫ରୁ ଉର୍ଦ୍ଧ୍ବ କଳକରଖାନା ଗଢ଼ି ଉଠିଛି । ସେଥିପାଇଁ ପ୍ରତ୍ୟେକ ଦିନ ଯାଜପୁର ରୋଡ଼ ଡୁବୁରୀ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବୃଦ୍ଧି ପାଉଛି । ତେଣୁ ଯଥାଶୀଘ୍ର ମାନପୁର ଓଭରବ୍ରିଜ୍ ଉପରେ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ହୋଇଛି । ଏଥିସହିତ ଅଧାପନ୍ତରିଆ ହୋଇପଡି ରହିଥିବା ବ୍ରିଜର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ମଧ୍ୟ ଦାବି କରାଯାଇଛି ।

ଏହାକୁ ନେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, "ଜମିଜମା ମାମଲା ପାଇଁ ଦ୍ବିତୀୟ ବ୍ରିଜ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜୁଛି । ତେଣୁ ବ୍ରିଜ୍ ଉପରେ ଭାରିଯାନ ଚଳାଚଳ ବନ୍ଦ କରିବା ସହ ଦ୍ବିତୀୟ ବ୍ରିଜର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ସାରିବାକୁ ଯୋଜନା ଚାଲିଛି । ପ୍ରଥମେ କୋଭିଡ ଏବଂ ପରେ ଜମି ଅଧିଗ୍ରହଣକୁ ନେଇ ବ୍ରିଜ୍ ନିର୍ମାଣ କାର୍ଯ୍ୟର ବାଧା ସୃଷ୍ଟି ହୋଇଛି । ଏହାର ସମାଧାନ କରାଯାଇ ଦ୍ବିତୀୟ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରାଯିବ ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.