ETV Bharat / state

ଧାନ ବିକ୍ରିରେ ସମସ୍ୟା, ପ୍ରତିବାଦ କଲେ ଚାଷୀ

author img

By

Published : Jan 20, 2023, 1:39 PM IST

ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ଢ଼ାଳି କଲେ ପ୍ରତିବାଦ । ଅଧିକ ପଢ଼ନ୍ତୁ

Farmer protest
ଧାନ ଢ଼ାଳି ପ୍ରତିବାଦ

ଯାଜପୁର: ଧାନ ବିକ୍ରି ସମସ୍ୟା ପରେ ଚାଷୀଙ୍କର ଅଭିନବ ଉପାୟରେ ପ୍ରତିବାଦ। ଯାଜପୁର ଜିଲ୍ଲାପାଳଙ୍କ ସରକାରୀ ଗୃହ ଆଗରେ ଧାନ ଢ଼ାଳି କଲେ ପ୍ରତିବାଦ ଓ ଧାରଣା । ଯାଜପୁର ଜିଲ୍ଲାରେ ଧାନ ବିକ୍ରିରରେ ଅନେକ ସମସ୍ୟା ଦେଖିବାକୁ ମିଳିଛି । ଚାଷୀଙ୍କର ଧାନ ବିକ୍ରି ନହେଇପାରିବାରୁ ଦଲାଲମାନେ ଶାଗମାଛ ଦରରେ ଧାନ କିଣି ହେଉଛନ୍ତି ମାଲେମାଲ । ଏହାକୁ ପ୍ରତିବାଦ କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତକାଲି ଜିଲ୍ଲାପାଳଙ୍କ ସରକାରୀ ବାସଗୃହ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଜିଲ୍ଲାରେ ହଜାର ହଜାର ଚାଷୀ ଠିକ ସମୟରେ ଖରିଫ ଧାନ ବିକ୍ରି କରି ନପାରି ହିନସ୍ତା ହେଉଛନ୍ତି ।

ଜିଲ୍ଲାରେ ୧୨୦ଟି ସମବାୟ ସମିତି ଓ ୪୮ଟି ସ୍ବୟଂସହାୟକ ଗୋଷ୍ଠୀ ଜରିଆ‌ରେ ଧାନ କିଣାଯାଉଥିବା ବେଳେ ଅନେକ ମଣ୍ଡି ଏବେବି ଖୋଲିପାରିନାହିଁ । ଅନ୍ୟପଟେ ଧାନ କିଣା ଦାୟିତ୍ବ ପାଇଥିବା ୬ଜଣ ମିଲରଙ୍କ ମନମାନୀ ଯୋଗୁଁ ମଣ୍ଡିରେ ଧାନ ପଡି ରହୁଛି । ସେପଟେ ଚାଷୀଙ୍କ ସମସ୍ୟାକୁ ନେଇ ଗତକାଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହାକୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।

ଚାଷୀମାନେ ନିଜ ଧାନକୁ ମୁଣ୍ଡେଇ ଜିଲ୍ଲାପାଳଙ୍କ ସରକାରୀ ଗୃହ ଆଗରେ ପକେଇ ଧାରଣାରେ ବସିଥିଲେ । ସେପଟେ ଚାଷୀଙ୍କ ଧାରଣା ଖବରପାଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଚାଷୀଙ୍କ ଆନ୍ଦୋଳନସ୍ଥଳକୁ ଆସି ଚାଷୀଙ୍କ ସାଙ୍ଗରେ ତଳେ ବସି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ତେବେ ଜିଲ୍ଲାପାଳଙ୍କ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହେଇଥିବା ସୂଚନା ମିଳିଛି l

ସେହିପରି ଜଗତସିଂହପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ ଫସଲକୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଢାଳି ଜିଲ୍ଲା ପ୍ରଶାସନର ଦାୟିତ୍ବହୀନତା ବିରୁଦ୍ଧରେ ପ୍ରତିବାଦ କରିଥିଲେ । ଗତକାଲି ସକାଳୁ ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ଚାଷୀ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା । କେହି କିଛି ବୁଝିବା ପୂର୍ବରୁ ସକାଳ ୭ଟା ସମୟରେ ୨୦ ରୁ ୨୫ଜଣ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହାସହିତ ନିଜ ସହ ଆଣିଥିବା ବସ୍ତା ବସ୍ତା ଧାନକୁ ସେହିଠାରେ ଢାଳିଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ଧାନବସ୍ତା ପକାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଅବରୋଧ କଲେ ଚାଷୀ, ୧୦ ଅଟକ

ଏହାପରେ ସେଠାରେ ମୁତୟନ ଦୁଇ ପୋଲିସ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲେ । ତେଣୁ ବାଧ୍ୟ ହୋଇ ସେମାନେ ଥାନାକୁ ଖବର ଦେଇଥିଲେ । ଖବରପାଇ ଏସଡିପିଓ ଓ ଜଗତସିଂହପୁର ଆଇଆଇସି ଶୁଭ୍ରାଂଶୁ ପରିଡା ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ଓଲଟା ପୋଲିସ ଓ ଚାଷୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ପୋଲିସ ଚାଷୀମାନଙ୍କୁ ଥାନାକୁ ଉଠାଇ ନେଇଛି । ତେବେ ଯେପର୍ଯ୍ୟନ୍ତ ଚାଷୀମାନଙ୍କ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.