ETV Bharat / state

ଦିବ୍ୟାଙ୍ଗ ସାବିତ୍ରୀଙ୍କୁ ମିଳୁନି ସରକାରୀ ସୁବିଧା, ଭଙ୍ଗା ଷ୍ଟୁଲ ପାଲଟିଛି ସାହାରା

author img

By

Published : Nov 6, 2020, 7:07 PM IST

ଦିବ୍ୟାଙ୍ଗକୁ ସରକାରଙ୍କ ଅଣଦେଖା ! ଦୀର୍ଘ 2 ବର୍ଷ ଧରି ଖଣ୍ଡିଏ ଭଙ୍ଗା ଷ୍ଟୁଲ ପାଲଟିଛି ସାବିତ୍ରୀଙ୍କ ସାହାରା । ଅଧିକ ପଢନ୍ତୁ....

ଦିବ୍ୟାଙ୍ଗଙ୍କୁ ମିଳୁନି ସରକାରୀ ସୁବିଧା
ଦିବ୍ୟାଙ୍ଗଙ୍କୁ ମିଳୁନି ସରକାରୀ ସୁବିଧା

ଯାଜପୁର: ମଦ୍ୟପ ସ୍ବାମୀର ଅତ୍ୟାଚାର ସହି ନ ପାରି ଏକାକୀ ଜୀବନ ଲଢିବାକୁ ଆଗେଇ ଆସିଥିଲେ । ହେଲେ ମଦ୍ୟପ ସ୍ବାମୀ ଠାରୁ ବଳିଗଲା ଦଇବର ଦୁଃଖ । ଦୁର୍ଘଟଣାରେ ଗୋଡ ହରାଇ ଦିବ୍ୟାଙ୍ଗ ପାଲଟିଗଲେ ଯାଜପୁର ବ୍ୟାସନଗରର ସାବିତ୍ରୀ ଦାସ । 2 ବର୍ଷ ପୂର୍ବରୁ ଦୁର୍ଘଟଣାରେ ଦିବ୍ୟାଙ୍ଗ ପାଲଟିଥିବା ସାବିତ୍ରୀଙ୍କୁ ଆଜି ଯାଏଁ ମିଳିପାରିନି ସରକାରୀ ସୁବିଧା । ଫଳରେ ଭଙ୍ଗା ଷ୍ଟୁଲ ସାଜିଛି ସାବିତ୍ରୀଙ୍କ ସାହାରା । ଭଙ୍ଗା ଷ୍ଟୁଲରେ ଘୁଷୁଡି ଘୁଷୁଡି ଏଠାରୁ ସେଠାକୁ ହେଉଛନ୍ତି ଯାଜପୁର ବ୍ୟାସନଗର ପୌରପାଳିକାର 26 ନମ୍ବର ୱାର୍ଡର ସାବିତ୍ରୀ ଦାସ ।

ଦିବ୍ୟାଙ୍ଗଙ୍କୁ ମିଳୁନି ସରକାରୀ ସୁବିଧା, ଭଙ୍ଗା ଷ୍ଟୁଲ ପାଲଟିଛି ସାହାରା

ମଦ୍ୟପ ସ୍ବାମୀ ଠାରୁ ଅଲଗା ହେବା ପରେ ଆହୁରି ଦୁର୍ବିଶହ ହୋଇପଡିଛି ତାଙ୍କ ଜୀବନ । ସାବିତ୍ରୀ ନିଜ ଅପାଙ୍କ ଘରେ ରହୁଛନ୍ତି । ଘର କହିଲେ ଚାଳ ଛପର ଟିଏ । ଚାରି ଆଡୁ ଖୋଲାମେଲା । ଚଟାଣରେ ଖାଲି ମଶିଣା ଟିଏ । ଏତିକିରେ ବସବାସ କରନ୍ତି ସାବିତ୍ରୀ । ପେଟ ପାଟଣା ପାଇଁ ଦିନେ ମଜୁରୀ ସାରି ବାଲେଶ୍ଵରରୁ ଯାଜପୁର ରୋଡକୁ ଟ୍ରେନ ମାଧ୍ୟମରେ ଫେରୁଥିଲେ । ଏହି ସମୟରେ ସେ ହଠାତ ଟ୍ରେନରୁ ଖସି ପଡିବାରୁ ତାଙ୍କୁ ବାମ ଗୋଡଟି ହରାଇବାକୁ ପଡିଥିଲା । ସେହି ଦିନଠୁ ଦିବ୍ୟାଙ୍ଗ ପାଲଟିଥିବା ସାବିତ୍ରୀ ଅନ୍ୟ ଉପରେ ବୋଝ ପାଲଟିଛନ୍ତି ।

ଚାଖେଣ୍ଡ ବାଟକୁ ଷ୍ଟୁଲ ସହ ସେ ଘୁଷୁଡି ଘୁଷୁଡି ଯାଉଛନ୍ତି । ଷ୍ଟୁଲକୁ ବାଦ ଦେଲେ ସେ ଯେମିତି ଜଣେ ଅଚଳ ମଣିଷ । ଫଳରେ କାମଧନ୍ଦା ନ ପାଇ ଘୋର ଅନଟନରେ ଜୀବନ କାଟୁଛନ୍ତି ଦିବ୍ୟାଙ୍ଗ ସାବିତ୍ରୀ । ତେବେ ବିଡମ୍ବନାର ବିଷୟ ଦୀର୍ଘ 2 ବର୍ଷ ଧରି ଏପରି ଦୟନୀୟ ସ୍ଥିତି ଥିବା ସାବିତ୍ରୀଙ୍କ ଉପରେ ନାହିଁ ପ୍ରଶାସନର ନଜର । ତେଣୁ ତାଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ପରିବାର ଓ ସମାଜସେବୀ ପକ୍ଷରୁ ଦାବି ହୋଇଛି । ସେପଟେ, ଆମେ ଏହି ଘଟଣା ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସାବିତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.