ETV Bharat / state

ବେଣାପାଟିଆରେ ଏଯାଏଁ ପହଞ୍ଚିନି ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ଗ୍ରାମବାସୀ

author img

By

Published : Jan 26, 2022, 5:45 PM IST

ନିର୍ବାଚନ ପରେ ନିର୍ବାଚନ ବିତି ଯାଉଥିଲେ ମଧ୍ୟ ଲୋକଙ୍କ ସମସ୍ୟା ସୁଧୁରିବାର ନାଁ ଧରୁନି । ରାଜ୍ୟରେ ଏଭଳି ଅନେକ ଗାଁ ରହିଛି । ତାହାରି ମଧ୍ୟରୁ ଗୋଟିଏ ଗାଁ ହେଉଛି ଯାଜପୁର ଦାନଗଦି ବ୍ଲକର ବେଣାପାଟିଆ ଗ୍ରାମ । ଅଧିକ ପଢ଼ନ୍ତୁ

benapatia villagers threaten to boycott panchayat election as do not have basic facilities in their village in jajpur
ବେଣାପାଟିଆରେ ଏଯାଏଁ ପହଞ୍ଚିନି ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ଗ୍ରାମବାସୀ

ଯାଜପୁର:ଚାହୁଁ ଚାହୁଁ ଆସିଯିବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରତିଶ୍ରୁତି ଦିଆ ପର୍ବ । ଗାଁ ଗାଁର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତ । ତେବେ ନିର୍ବଚିତ ହେବାପରେ ସତରେ କଣ ଏହି ପ୍ରତିଶ୍ରୁତି ପୁରଣ ହୁଏ ? ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉଦାସିନତା ଯୋଗୁଁ ହନ୍ତସନ୍ତ ହୁଅନ୍ତି ସାଧାରଣ ଲୋକେ । ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ଶାଳିଜଙ୍ଗା ଗ୍ରାମପଞ୍ଚାୟତ ବେଣାପାଟିଆ ଗ୍ରାମରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ।

ବେଣାପାଟିଆରେ ଏଯାଏଁ ପହଞ୍ଚିନି ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ଗ୍ରାମବାସୀ

ଗାଁକୁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରିଲା ନାହିଁ । ଦୀର୍ଘ ବର୍ଷ ହେଲା ଗ୍ରାମକୁ ଆଜି ପର୍ଯ୍ୟନ୍ତ ଗମନାଗମନ ପାଇଁ ରାସ୍ତା ନାହିଁ କି ପାନୀୟ ଜଳର ସୁବିଧା ନାହିଁ । ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଲୋକଙ୍କ ପାଇଁ ସାତ ସପନ ପାଲଟିଛି । ଭତ୍ତା କଥା ନକହିବା ଭଲ, କାରଣ ଯୋଗ୍ୟ ହିତାଧିକାରୀଙ୍କୁ ଆଜିଯାଏଁ ରାସନ କାର୍ଡ, ଜବ୍‌ କାର୍ଡ, ବିଧବା ଭତ୍ତା ଦିବ୍ୟାଙ୍ଗ ଭତ୍ତା ଆଦି ମିଳିପାରି ନାହିଁ । ଜଙ୍ଗଲ ଜମିରେ ରହୁଥିବା ଲୋକଙ୍କୁ ଘରବାଡ଼ି ପଟ୍ଟା ମିଳିନାହିଁ । ଏଭଳି ସବୁ ସମସ୍ୟାରେ ଅତିଷ୍ଠ ହୋଇ ଗ୍ରାମବାସୀ ଆସନ୍ତା ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଧମକ ଦେଇଛନ୍ତି ।

ଶାଳିଜଙ୍ଗା ଗ୍ରାମପଞ୍ଚାୟତର ୮ ନମ୍ବର ୱାର୍ଡରେ ରହିଛି ବେଣାପାଟିଆ ଗାଁ । ଏହି ୱାର୍ଡର ଭୋଟର ସଂଖ୍ୟା ୫୦୦ ହୋଇଥିବା ବେଳେ ଏଠାରେ ପ୍ରାୟ ୨୦୦ ପରିବାର ବସବାସ କରନ୍ତି । ଦୈନିକ ପଥୁରିଆ ଖାଲଖମା ରାସ୍ତାରେ ଲୋକମାନେ ଯାତାୟତ କରିଥାନ୍ତି । ଆଦିବାସୀ ସାହିର ଲୋକମାନେ ଭଙ୍ଗାରୁଜା ଘରେ ପାଲ ଟାଣି ରହିବା ଖୁବ କଷ୍ଟକର ହୋଇପଡୁଛି । ଏନେଇ ଗ୍ରାମବାସୀ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଅବଗତ କରିଥିଲେ ହେଁ ଏଯାଏଁ କିଛି ବି ଫଳ ମିଳିନି ।

ଗାଁରେ ପାନୀୟ ଜଳ ସମସ୍ୟା ବି ଲାଗି ରହିଛି । ୮ ବର୍ଷ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ପାଇଁ ବୋରିଂ ଖୋଳାଯାଇଥିଲେ ସୁଦ୍ଧା ତାହା ଆଜିଯାଏଁ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ପିଇବା ପାଣି ପାଇଁ ଗାଁ ଲୋକେ ଏକ ମାତ୍ର କୂଅ ଉପରେ ଭରସା କରି ରହୁଛନ୍ତି । ତାହା ପୁଣି ମହିଳାମାନଙ୍କୁ ଘଣ୍ଟାଘଣ୍ଟା ଧରି ଲାଇନ ଲଗାଇଲେ ହିଁ ମିଳୁଛି । ଏଭଳି ସମସ୍ୟାକୁ ନେଇ ଦାନଗଦି ବିଡିଓଙ୍କୁ ଅବଗତ କରାଯାଇଥିଲା । ନିର୍ବାଚନ ପରେ ଏହି ସବୁ ସମସ୍ୟା ଦିଗରେ ତଦନ୍ତ କରାଯାଇ ସମସ୍ତ ବନ୍ଦୋବସ୍ତ କରାଯିବ ବୋଲି ସେ କହିଛନ୍ତି । ତାସହିତ ପଞ୍ଚାୟତ ନର୍ବାଚନ ବର୍ଜନ ନକରିବାକୁ ସେ ଲୋକଙ୍କୁ ଅପିଲ୍‌ କରିବେ ବୋଲି କହିଛନ୍ତି ।

ବେଣାପାଟିଆ ଗାଁ ଲୋକମାନେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି । କେବେ ଏହି ଗାଁକୁ ରାସ୍ତା ନିର୍ମାଣ, ପାନୀୟ ଜଳ ସୁବିଧା ସହ ଅନ୍ଯାନ୍ଯ ମୌଳିକ ସୁବିଧା ମିଳିବ ତାହା ଦେଖିବାକୁ ବାକି ରହିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.