ETV Bharat / state

ନବାପାଟଣାରେ ନିଆରା ଲଷ୍ମୀ ପୂଜା, ଆଜି ବି ଜମିଦାର ପତ୍ନୀଙ୍କ ଅପେକ୍ଷା ରେ ମା'

author img

By ETV Bharat Odisha Team

Published : Nov 6, 2023, 1:35 PM IST

ଜଗତସିଂହପୁର ଜିଲ୍ଲା ନବାପାଟଣାରେ କାହି କେଉଁ କାଳକୁ ପୂଜା ପାଇ ଆସୁଛନ୍ତି ମାଆ ପଦ୍ମାଳୟା । ଆଜି ବି ଜମିଦାର ପତ୍ନୀଙ୍କ ଅପେକ୍ଷାରେ ମା' ରହିଥିବା ଲୋକକଥାରେ ରହିଛି । ଅଧିକ ପଢନ୍ତୁ

Gajalaxmi puja
Jagatsinghpur Gajalaxmi puja

Jagatsinghpur Gajalaxmi puja

ଜଗତସିଂହପୁର: କାର୍ତ୍ତିକ ପୂର୍ଣ୍ଣିମାଠୁ ଧରାଧାମକୁ ଅବତରଣ କରିଛନ୍ତି ଧନଲକ୍ଷ୍ମୀ । ଧନଦାତ୍ରୀଙ୍କ ଆଗମନକୁ ନେଇ ଚଳ ଚଞ୍ଚଳ ବାଣୀକ୍ଷେତ୍ର ଜଗତସିଂହପୁର । ବିଭିନ୍ନ ପୂଜା କମିଟି ଦ୍ବାରା ଧୁମଧାମରେ ପାଳନ ହେଉଛି ଗଜଲକ୍ଷ୍ମୀ ପୂଜା । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକ ସାଙ୍ଗକୁ ସୁସଜ୍ଜିତ ତୋରଣରେ ଝଲସି ଉଠୁଛି ସହର । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ ପଦ୍ମାଳୟା । ମନ୍ତ୍ର ଧ୍ବନୀରେ କମ୍ପି ଉଠୁଛି ପୂଜା ମଣ୍ଡପ । ଜଗତସିଂହପୁର ଜିଲ୍ଲା ଦର ବ୍ଲକ ଅନ୍ତର୍ଗତ ନବାପାଟଣା ଗ୍ରାମରେ ନିଆରା ଢଙ୍ଗରେ ପୂଜା ପାଉଛନ୍ତି ମାଆ । ଗ୍ରାମରେ ଲକ୍ଷ୍ମୀପୂଜା ଆରମ୍ଭ ନେଇ କିମ୍ବଦନ୍ତୀ ରହିଛି । ଆଜି ମାଆ ଜମିଦାର ପତ୍ନୀଙ୍କ ଅପେକ୍ଷାରେ ରହିଥିବା ଲୋକକଥାରେ ରହିଛି । ଖାଲି ସେତିକି ନୁହେଁ ଏହି ପୂଜାରେ ମୁସଲମାନ ଶ୍ରଦ୍ଧାଳୁ ମଧ୍ୟ ସାମିଲ ହୋଇଥାନ୍ତି ।
ନବାପାଟଣାରେ ଏହି ପୂଜା ପ୍ରାୟ 100 ବର୍ଷ ହେବ ହୋଇ ଆସୁଛି । କୁମାର ପୂର୍ଣ୍ଣିମାଠୁ ଆରମ୍ଭ ହେଉଥିବା ଏହି ପୂଜା ଦୀର୍ଘ 7ଦିନ ଧରି ଚାଲିଥାଏ । ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଲୋକେ ଏହି ପୂଜାରେ ସାମିଲ ହୋଇଥାନ୍ତି । ମିନା ବଜାର ଓ ରାମଦୋଳି ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିଥାଏ । ଅସ୍ଥାୟୀ ଦୋକାନ ବଜାରରେ ଲାଗିଥାଏ । ଶୀତର ପ୍ରାରମ୍ଭରେ ମା' ଲଷ୍ମୀଙ୍କ ଆବାହନରେ ବିଭୋର ହୋଇଉଠେ ଶ୍ରଦ୍ଧାଳୁ । 100ବର୍ଷ ପୂର୍ବେ ଏହି ଗ୍ରାମରେ ହଇଜା ବ୍ୟାପିଥିଲା । ଗାଁର ଧୁନ ଦାସ ନାମକ ବ୍ୟକ୍ତି କୁମାର ପୂର୍ଣ୍ଣିମାରେ ମା' ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ଗାଁ ହଇଜାମୁକ୍ତ ହୋଇଥିଲା ସେବେଠୁ ଏଠାରେ ମା'ଙ୍କ ପୂଜା ହୋଇ ଆସୁଛି ।

ଏହା ବି ପଢନ୍ତୁ...ଶାରଦୀୟ ଦୁର୍ଗାପୂଜା, ମା' ଶାରଳା ପୀଠରେ ଅପରାଜିତା ପୂଜା

କଣ କୁହେ କିମ୍ବଦନ୍ତୀ: ଲୋକ କଥା ଅନୁସାରେ ଜଗତସିଂହପୁର ଜିଲ୍ଲାର ଏହି ଅଞ୍ଚଳରେ ଜଣେ ଜମିଦାର ଥିଲେ । ସେ ସିଙ୍ଗାରପୁର, ଅୟର, ମଧୁସୂଦନପୁର ଶାସନ, ଚାନ୍ଦଗଡ଼ ଆଦି ଗ୍ରାମ ତାଙ୍କ ଅଧିନରେ ରହିଥିଲା । ଏହି ଗାଁରେ ବସବାସ କରୁଥିବା ଲୋକଙ୍କଠାରୁ ଜମିଦାର କର ଆଦାୟ କରୁଥିଲେ । ଲୋକଙ୍କ ଉପରେ ଅତ୍ୟାଚାର କରୁଥିଲେ । ଯେଉଁ ବ୍ୟକ୍ତି କର ଦେବାରେ ଅସମର୍ଥ ହେଉଥିଲା ତାର ଚାଷ ଜମି, ଘରକୁ ନିଜ ଅକ୍ତିଆରକୁ ଆଣୁଥିଲେ । ଜମିଦାରଙ୍କ ପତ୍ନୀ ମା' ଲଷ୍ମୀଙ୍କ ଭକ୍ତ ଥିଲେ ।

ଏକଦା ରାତ୍ରିରେ ଜଣେ ଝିଅ କାନ୍ଦୁଥିବାର ଶବ୍ଦ ଶୁଣିଥିଲେ ଜମିଦାରଙ୍କ ପତ୍ନୀ । କାନ୍ଦ ଶବ୍ଦ ଆସୁଥିବା ସ୍ଥାନରେ ଜମିଦାରଙ୍କ ପତ୍ନୀ ପହଞ୍ଚି କିଏ କାନ୍ଦୁଛ ବୋଲି ପଚାରିଥିଲେ । ଉତ୍ତରରେ ଝିଅ ଟି କହିଥିଲା କି ମୁଁ ହେଉଛି ମା, ଲକ୍ଷ୍ମୀ । ତୋର ଭକ୍ତି ବଳରେ ମୁଁ ଜମିଦାରର ଭଣ୍ଡାରରେ ରହିଥିଲି କିନ୍ତୁ ତୋର ସ୍ୱାମୀର ଅନ୍ୟାୟ ଓ ପ୍ରଜାମାନଙ୍କ ପ୍ରତି ଅତ୍ୟାଚାର ମୋତେ ବ୍ୟଥିତ କରିଛି । ତେଣୁ ମୁଁ ତୋର ଗୃହ ପରିତ୍ୟାଗ କରିବାକୁ ଯାଉଛି । ଏହା ଶୁଣି ଜମିଦାରଙ୍କ ପତ୍ନୀ କାନ୍ଦି ବାକୁ ଲାଗିଥିଲେ ଓ କହିଥିଲେ ମା' ମୁଁ ତୋତେ ପ୍ରକୃତରେ ଯଦି ଭକ୍ତି କରିଥିବି ତେବେ ଗଲାବେଳେ ମୋତେ ବର ଦେଇ କି ଯାଅ ।

ଭୋର ହୋଇ ଆସୁଛି । ମୁଁ ଅଳକା ନଦୀରେ ସ୍ନାନ ସାରି ଆସିବା ପରେ ଶେଷ ଥର ପାଇଁ ପୂଜା କଲାପରେ ତୁମେ ଏହି ସ୍ଥାନକୁ ଛାଡ଼ିକି ଯିବୁ ବୋଲି ମା'ଙ୍କୁ ଶପଥ କରାଇ ଦେଇଥିଲେ । ପରେ ଜମିଦାରଙ୍କ ପତ୍ନୀ ଅଳକା ନଦୀକୁ ଗାଧୋଇବା ପାଇଁ ଯାଇ ସେହି ଜଳରେ ନିଜ ଆତ୍ମ ବିସର୍ଜନ କରି ଦେଇଥିଲେ । ସେହିଦିନଠାରୁ ମା' ଲକ୍ଷ୍ମୀ ଜମିଦାରଙ୍କ ପତ୍ନୀଙ୍କୁ ଆଜି ଯାଏଁ ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି । ସେହି ଦିନଠାରୁ ଏହି ଗ୍ରାମରେ ମା'ଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.