ETV Bharat / state

ତେଜିଲା ବିଜୟ ଶଙ୍କରଙ୍କ ଗିରଫ ଦାବି, ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରିଲା ବିଜେପି

author img

By

Published : Feb 8, 2023, 8:44 PM IST

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ବ୍ୟାପାରକୁ ନେଇ ସରଗରମ ହୋଇଛି ଜଗତସିଂହପୁର ରାଜନୀତି । ଗତକାଲି ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ବିଧାୟକଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଆଜି ଶୋଭାଯାତ୍ରାରେ ଯାଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରାଉ କରିଛି ବିଜେପି । ଅଧିକ ପଢ଼ନ୍ତୁ

ତିର୍ତ୍ତୋଲ ବିଧାୟକଙ୍କ ଗିରଫ ଦାବିରେ ବିଜେପିର ବିକ୍ଷୋଭ
ତିର୍ତ୍ତୋଲ ବିଧାୟକଙ୍କ ଗିରଫ ଦାବିରେ ବିଜେପିର ବିକ୍ଷୋଭ

ତିର୍ତ୍ତୋଲ ବିଧାୟକଙ୍କ ଗିରଫ ଦାବିରେ ବିଜେପିର ବିକ୍ଷୋଭ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ବ୍ୟାପାରକୁ ନେଇ ଜଗତସିଂହପୁର ରାଜନୀତି ସରଗରମ ହୋଇଛି । ଗତକାଲି ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ବିଧାୟକ ବିଜୟ ଶଙ୍କରଙ୍କ ଗିରଫ ଦାବିରେ SPଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବାବେଳେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର SP ରାହୁଲ ପିଆର୍‌ଙ୍କୁ ପ୍ରଦାନ କରାଯାଇଛି ।

ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲଖ ରହିଛି, 'ସୋମାଲିକା ଦାଶ ନାମକ ଜଣେ ଯୁବତୀଙ୍କୁ ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ପ୍ରେମ ବ୍ୟାପାରରେ ଫସାଇ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ । ସେ ବିବାହ ପାଇଁ କହିବାରୁ ବିଧାୟକ ଧରାଛୁଆଁ ଦେଇନଥିଲେ । ଫଳରେ ଯୁବତୀ ଜଣକ ବାଧ୍ୟହୋଇ ମେ, ୧୩ ତାରିଖ ୨୦୨୨ରେ ଜଗତସିଂହପୁର ଥାନାରେ ବିଧାୟକଙ୍କ ନାମରେ ଏତଲା ଦେଇଥିଲେ । ଯେଉଁ ଏତଲାକୁ ପୋଲିସ ଗ୍ରହଣ କରି ନଥିଲା । ଫଳରେ ପୀଡିତା ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଜଗତସିଂହପୁର ପୋଲିସ ୩୭୬, ୩୧୩, ୫୦୬ ଓ ୩୪ରେ ମାମଲା ରୁଜ୍ଜୁ କରିଛି ।'

କିନ୍ତୁ ଆଜିକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ କଣ ପାଇଁ ଅଭିଯୁକ୍ତ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଗିରଫ କରୁନାହିଁ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ବିଜେପି ଦାବି କରିଛି । ଏ ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପିର ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ, ପାରାଦ୍ବୀପର ବିଜେପି ନେତା ସମ୍ପଦ ସ୍ବାଇଁ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତା ରାଜକିଶୋର ବେହେରା, ବିଜେପି ମହିଳା ମୋର୍ଚ୍ଚା ସଭାପତି କୃଷ୍ଣା ମହାନ୍ତି ପ୍ରମୁଖ ଏସ୍‌ପିଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଘଟଣାକୁ ନେଇ ଜଗତସିଂହପୁର ରାଜନୀତି ସରଗରମ ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.