ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ

author img

By ETV Bharat Odisha Team

Published : Nov 23, 2023, 7:16 AM IST

ନାବାଳିକା ଦୁଷ୍କର୍ମ ମାମଲା
ନାବାଳିକା ଦୁଷ୍କର୍ମ ମାମଲା

9 ବର୍ଷ ପରେ ମିଳିଲା ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ । ଅଭିଯୁକ୍ତକୁ 20 ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁରର ଫାଷ୍ଟଟ୍ରାକ୍‌ କୋର୍ଟ । ଅଧିକ ପଢ଼ନ୍ତୁ

ଜଗତସିଂହପୁର: 9 ବର୍ଷ ପରେ ମିଳିଲା ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ । ଅଭିଯୁକ୍ତକୁ 20 ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁରର ଫାଷ୍ଟଟ୍ରାକ୍‌ କୋର୍ଟ । ଏହାସହ ଅଭିଯୁକ୍ତକୁ 45 ହାଜର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାର ଆଜି ଏଭଳି ରାୟ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୋଠକଟା ଗ୍ରାମର ପଞ୍ଚୁ ପ୍ରଧାନଙ୍କ ପୁଅ ଯୁଧିଷ୍ଠିର ପ୍ରଧାନ(୩୦) ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲେ । 2014 ମସିହାରେ ଦଶମ ଶ୍ରେଣୀ ପରୀକ୍ଷା ଦେଇ ନାବାଳିକା ଜଣଙ୍କ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଯୁଧିଷ୍ଠିର ପ୍ରଧାନ ତାଙ୍କୁ ଅପହରଣ କରି ନେଇ ଯାଇଥିଲା । ପ୍ରଥମେ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ଭୁବନେଶ୍ୱରରେ ଦୁଇଦିନ ରଖିବା ପରେ ସେଠାରୁ ତାଙ୍କୁ ଚେନ୍ନାଇ ନେଇ ପଳାଇଥିଲା । ସେଠାରେ ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଯୁଧିଷ୍ଠିର ।

ଅପର ପକ୍ଷରେ ନାବାଳିକାର ପରିବାର ଲୋକେ ଝିଅର ଅପହରଣକୁ ନେଇ 2014 ଡିସେମ୍ବର 15 ତାରିଖରେ କୁଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କୁଜଙ୍ଗର ତତ୍କାଳୀନ ଥାନା ଅଧିକାରୀ ଘଟଣାର ଗୁରୁତ୍ୱକୁ ଦେଖି ଧାରା 365, 372 ଓ 376 ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେପଟେ ଅଭିଯୁକ୍ତ ଯୁଧିଷ୍ଠିର ଚେନ୍ନାଇରେ ନାବାଳିକା ଜଣକୁ ଏକ ଘରେ ବନ୍ଦି କରି ରଖିଥିବା ସମୟରେ ନାବାଳିକା ଜଣକ କୌଶଳ କ୍ରମେ ସେଠାରୁ ଖସି ଆସିଥିଲେ । ନାବାଳିକା ଜଣଙ୍କ ଚେନ୍ନାଇରୁ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଞ୍ଚି ରେଳ ଷ୍ଟେସନରେ ବସିଥିବା ସମୟରେ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଗଠନ ନଜରକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ...ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ତେବେ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ନାବାଳିକାକୁ ଷ୍ଟେସନରୁ ଉଦ୍ଧାର କରାଯାଇ କୁଜଙ୍ଗ ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ କୁଜଙ୍ଗ ଥାନା ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହିତ ଚେନ୍ନାଇ ଯାଇ ଅଭିଯୁକ୍ତ ଯୁଧିଷ୍ଠିରକୁ ଗିରଫ କରିଥିଲା । 9 ବର୍ଷ ପରେ ଜଗତସିଂହପୁର ଫାଷ୍ଟଟ୍ରାକ୍‌ କୋର୍ଟ ବୁଧବାର ଏହାର ରାୟ ଶୁଣାଇଛନ୍ତି । ବିଚାରପତି ଜଷ୍ଟିସ ଅଜୟ କୁମାର ମହାନ୍ତି ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ 45 ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟରେ ଅଧିକ 9 ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ସଜା ଶୁଣାଇଛନ୍ତି କୋର୍ଟ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.