ପ୍ରହସନ ପାଲଟିଛି ସରକାରୀ ଯୋଜନା ! ଆଜି ବି ଆଦିବାସୀ ଗାଁକୁ ପହଞ୍ଚିନି ପକ୍କା ଘର
Published: May 22, 2023, 10:22 PM


ପ୍ରହସନ ପାଲଟିଛି ସରକାରୀ ଯୋଜନା ! ଆଜି ବି ଆଦିବାସୀ ଗାଁକୁ ପହଞ୍ଚିନି ପକ୍କା ଘର
Published: May 22, 2023, 10:22 PM
ସ୍ବାଧୀନତାର 76ବର୍ଷ ପରେ ଆଜି ବି ଏତମିତି ଏକ ଗାଁ ରହିଛି, ଯେଉଁଠି ଗୋଟିଏ ବି ପକ୍କା ଘରଟିଏ ନାହିଁ । ସରକାରଙ୍କ ବାସଗୃହ ଯୋଜନା ଗଜପତି ଜିଲ୍ଲା ମୋହନା ବ୍ଲକ ଆରୁମପାଟା ଗ୍ରାମବାସୀଙ୍କ ପାଇଁ ଫେଲ ମାରିଛି । ଅଧିକ ପଢ଼ନ୍ତୁ
ଗଜପତି: ବିକାଶ ନାଁରେ ସରକାରଙ୍କ ମାଳମାଳ ଯୋଜନା । ସେଥି ମଧ୍ୟରେ ମଣିଷର ମୌଳିକ ଆବଶ୍ୟକତା ବାସଗୃହ । ହେଲେ ରାଜ୍ୟ ସରକାରଙ୍କ ପକ୍କାଘର ପ୍ରତିଶୃତି ସତେ ଯେମିତି ପାଣିର ଗାର ପାଲଟିଛି । ସ୍ବାଧୀନତାର ୭୬ ବର୍ଷ ପରେ ଆଜି ବି ଏତମିତି ଏକ ଗାଁ ରହିଛି, ଯେଉଁଠି ଗୋଟିଏ ବି ପକ୍କା ଘରଟିଏ ନାହିଁ । କିଏ ପଲିଥିନ ଟାଣି ରହୁଛନ୍ତି ତ ଆଉ କିଏ ଟିଣ ଛପର କରି ରହୁଛନ୍ତି । ଏହି ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି ଆବାସ ଯୋଜନା । ଗଜପତି ଜିଲ୍ଲା ମୋହନା ବ୍ଲକ ଆରୁମପାଟା ଗାଁର ଏହି ବିକଳ ଚିତ୍ର ହିଁ ସରକାରୀ ବ୍ୟବସ୍ଥାକୁ ଉପହାସ କରୁଛି ।
ଗଜପତି ଜିଲ୍ଲା ମୋହନା ବ୍ଲକ୍ ଖାରିଗୁଡ଼ା ପଞ୍ଚାୟତର ଆରୁମପାଟା ଗାଁ । ପାହାଡ ତଳେ ଅବସ୍ଥିତ ଏହି ଗାଁରେ ପ୍ରାୟ ୪୦ଆଦିବାସୀ ପରିବାର ବସବାସ କରୁଛନ୍ତି । ହେଲେ ବିଡମ୍ବନା ବିଷୟ ଯେ, ଗାଁରେ ଗୋଟିଏ ବି ପରିବାରର ପକ୍କା ଘର ନାହିଁ । ଗାଁର ଅଧିକାଂଶ ପରିବାର ଝାଟିମାଟି ଘର ଉପରେ ପଲିଥିନ ଟାଣି ରହୁଥିବା ବେଳେ କିଛି ପରିବାର ଟିଣ ଛପର କରି ରହୁଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଗ୍ରାମବାସୀ ବହୁବାର ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ହେଲେ ଆଜି ଯାଏଁ ତାହା କେବଳ ପ୍ରତିଶୃତିରେ ହିଁ ସୀମିତ ହୋଇ ରହିଛି । କେହି ହେଲେ ଗୁହାରି ଶୁଣୁ ନଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ କହିଛନ୍ତି, "ଘର ଖଣ୍ଡିଏ ପାଇଁ ପ୍ରଶାସନ ପାଖକୁ ଦୌଡିଦୌଡି ହାଲିଆ । ହେଲେ କୌଣସି ସୁଫଳ ମିଳିନାହିଁ । ବର୍ଷା ଦିନରେ ଗାଁର ସ୍ଥିତି ଅତି ଶୋଚନୀୟ ହୋଇଯାଏ । ଘରେ ପାଣି ଗଳୁ ଥିବାବେଳେ ପାହାଡ଼ରୁ ପାଣି ଖସି ଗାଁ ଓ ଘର ଭିତରେ ପାଣି ପଶିଯାଏ । ଗାଁର ଉପର ମୁଣ୍ଡରେ ପାହାଡ ପାଣିକୁ ଅଟକାଇବା ପାଇଁ ସୁରକ୍ଷା ପ୍ରାଚୀର ନିର୍ମାଣ ଲାଗି ବହୁବାର ପଞ୍ଚାୟତରେ ଜଣାଇ ଥିଲେ ମଧ୍ୟ ତାହା ନିର୍ମାଣ ହୋଇ ପାରିନାହିଁ ।" ଅନ୍ୟପଟେ ପିଇବା ପାଣି କଥା ନକହିବା ଭଲ, ଗାଁର ତଳ ମୁଣ୍ଡରେ ଥିବା ନାଳ ପାଖରେ ଖୋଳା ହୋଇଥିବା ବହୁ ପୁରୁଣା କୂଅର ଦୂଷିତ ପାଣି ପିଇ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ଏସବୁ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି ।
ସରକାର ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନାରେ ଗରିବ ଜନ ସାଧାରଣଙ୍କୁ ଘର ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ବ୍ଲକ ଓ ପଞ୍ଚାୟତ ସ୍ତରରେ ସର୍ଭେ ମଧ୍ୟ କରାଯାଉଛି । ହେଲେ ଏହି ଗାଁର ଚିତ୍ର ହିଁ ବୟାନ କରୁଛି ସରକାରୀ ଯୋଜନା କିଭଳି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚୁଛି । ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନଯନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରାଯିବାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏହି ଗାଁକୁ ଘର ଯୋଗାଇଦବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିବା ସହ ଗାଁର ପାନୀୟ ଜଳ ସମସ୍ୟା ଦୂର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସାରା ଓଡ଼ିଶାରେ ବୋଧହୁଏ ଏକମାତ୍ର ଗ୍ରାମ ଯେଉଁଠି ଶତ ପ୍ରତିଶତ ପରିବାର ପଲିଥିନ ତଳେ କିମ୍ବା ଚାଳଛପର ଘରେ ରହୁଛନ୍ତି । ତେଣୁ ଏହି ଗ୍ରାମର ଲୋକଙ୍କୁ ତୁରନ୍ତ ଘର ଯୋଗାଇ ଦେବା ଜରୁରୀ ହୋଇପଡିଛି ।
ଇଟିିଭି ଭାରତ, ଗଜପତି
