ଆଧୁନିକତାର ଛାପରେ ହଜିନି ଜହ୍ନିଓଷା, 1 ମାସ ଜହ୍ନି ଛୁଇଁବା ମନା

author img

By

Published : Oct 19, 2021, 8:38 PM IST

ଆଧୁନିକତାର ଛାପରେ ହଜିନି ଜହ୍ନିଓଷା, 1 ମାସ ଜହ୍ନି ଛୁଇଁବା ମନା

କୁଆଁରୀ କନ୍ୟାଙ୍କ ସୁଲଳିତ କଣ୍ଠରେ ଗୀତ ବୋଲା ସହିତ ହୁଳହୁଳି ଶବ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ । ମେଳ ହୋଇ ସମସ୍ତେ କରୁଛନ୍ତି ମା' ବୃନ୍ଦାବତୀଙ୍କ ଆରାଧନା । ତେବେ ଭଲ ବର ସହିତ ପରିବାରର ସୁଖ କାମନା କରି ଜହ୍ନିଓଷା ପାଳୁଛନ୍ତି ଗଜପତି ଜିଲ୍ଲାର ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ କୁଆଁରୀମାନେ । ତେବେ କୁଆଁରୀମାନେ ବିଭିନ୍ନ ନିୟମ ମାନି କରିଥାନ୍ତି ଏହି ପୂଜା । ତେବେ ଜହ୍ନିଓଷା ଉପରେ ଦେଖନ୍ତୁ ଏହି ରିପୋର୍ଟ...

ଗଜପତି: କୁଆଁରୀଙ୍କ ବହିପଢା ଓ ହୁଳହୁଳି ଶବ୍ଦରେ ଫାଟି ପଡୁଛି ଗାଁଦାଣ୍ଡ । କୁଆଁରୀମାନେ ମେଳ ହୋଇ ମା' ବୃନ୍ଦାବତୀଙ୍କୁ ପୂଜା କରିବା ସହିତ ବୋଲୁଛନ୍ତି ଗୀତ । ତେବେ ଭଲ ବର ପାଇବା ସହିତ ପରିବାରରେ ସୁଖ, ବାପା ଭାଇଙ୍କ ଅଭିବୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରି ବିଶେଷ କରି ଦକ୍ଷିଣ ଓଡ଼ିଶାରେ କୁଆଁରୀ ପାଳିଥାନ୍ତି ଏହି ଓଷା । ଯାହାକୁ କୁହାଯାଏ 'ଜହ୍ନି ଓଷା' । ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଜପତି ଜିଲ୍ଲାରେ ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି କୁଆଁରୀମାନେ ଏହି ପୂଜା କରୁଥିବାର ଦେଖିବାକୁ ମିଳୁଛି । ଭାଦ୍ରବ ମାସଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁଆଁରୀମାନେ ପାଳନ କରିବେ ଏହି ପୂଜା । ଆଉ ପୁରା ଗୋଟିଏ ମାସ ପର୍ଯ୍ୟନ୍ତ ଛୁଇଁ ପାରିବେନି ଜହ୍ନି ।

ଆଧୁନିକତାର ଛାପରେ ହଜିନି ଜହ୍ନିଓଷା, 1 ମାସ ଜହ୍ନି ଛୁଇଁବା ମନା

କେବଳ ଗାଁର ଝିଅମାନେ ନୁହଁନ୍ତି, ବରଂ ବାହାରକୁ ଯାଇ ପାଠ ପଢୁଥିବା ଝିଅମାନେ ବି ଏହି ଓଷା ପାଳନ କରିଥାନ୍ତି । ଆଧୁନିକତାର ଛାପରେ ଅନେକ ସଂସ୍କୃତି ଓ ପରମ୍ପରା ହଜିଯାଉଥିବା ବେଳେ ଏହି ବିଶ୍ବାସ ଆଜି ବି ବଞ୍ଚି ରହିଛି । ଭାଦ୍ରବ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଏହି ପୂଜା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ । ଏହି ଏକ ମାସ ଧରି ପାଳନ କରାଯାଉଥିବା ଓଷାରେ ବ୍ରତଧାରୀ କୁଆଁରୀମାନେ ମା' ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା ସହ ଗୋଟିଏ ଓଳି ସାତ୍ତ୍ବିକ ଭୋଜନ କରିଥାନ୍ତି । ଏହି ବ୍ରତ ସମୟରେ ଜହ୍ନି ଖାଇବା କିମ୍ବା ଗଛରୁ ଜହ୍ନି ଫୁଲ କିମ୍ବା ଫଳ ତୋଳିବା ମନା ହୋଇଥାଏ ।

ଯଦିଓ ମା'ଙ୍କୁ ଜହ୍ନି ଫୁଲ ଦେଇ ପୂଜା କରାଯାଇଥାଏ ତଥାପି ଅନ୍ୟ କେହି ଏହାକୁ ତୋଳି ଆଣିଥାନ୍ତି । ପ୍ରତିଦିନ ସକାଳେ ଉଠି ନିତ୍ୟକର୍ମ ସାରି ବୃନ୍ଦାବତୀଙ୍କ ନିକଟରେ ଜଳ ପ୍ରଦାନ କରିବା ପରେ ହିଁ ଅନ୍ୟ କିଛି କାର୍ଯ୍ୟ କରିଥାନ୍ତି ବ୍ରତଧାରୀ କୁଆଁରୀମାନେ । ତେବେ ଦଶହରା ଠାରୁ ନୂଆ ଚାଙ୍ଗୁଡିରେ ନଦୀବାଲି ରଖି 7ପ୍ରକାର ଡାଲି ଜାତୀୟ ପଦାର୍ଥ ବୁଣିଥାନ୍ତି । ଶେଷରେ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂଜା ସହ ଓଷା ଉଦଯାପିତ ହୁଏ । ଏହାକୁ ନିୟମ ସହ ପାଳନ କଲେ ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ଝିଅମାନେ ବିଶ୍ବାସ ରଖିଥିବା କହିଛନ୍ତି ।

ପୁରାଣ ଯୁଗରେ ମଧ୍ୟ ଶିବଙ୍କୁ ପାଇବା ପାଇଁ ମାତା ପାର୍ବତୀ ଏହି ପୂଜା କରିଥିଲେ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ଏହି ଓଷା କାହିଁ କେଉଁ କାଳରୁ କରାଯାଉଥିଲେ ମଧ୍ୟ ଓଡ଼ିଶାର ଅନ୍ୟ ପ୍ରାନ୍ତରେ ଏହା ଏତେ କରାଯାଏ ନାହିଁ । ଦକ୍ଷିଣ ଓଡି଼ଶାରେ ବିଶେଷ କରି ଗଜପତି ଜିଲ୍ଲାର କୁଆଁରୀମାନେ ଏହାକୁ ପାଳନ କରିଥାନ୍ତି । ପାଠ ପଢିବା ପାଇଁ ବାହାରେ ରହୁଥିଲେ ମଧ୍ୟ ପୂଜାର ସମସ୍ତ ନିୟମ ମାନିଥାନ୍ତି କୁଆଁରୀ । ଗାଁରେ ସନ୍ଧ୍ୟା ବେଳେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହୋଇ ମା' ବୃନ୍ଦାବତୀଙ୍କ ଆଗରେ ଏହି ପୂଜା କରିଥାନ୍ତି ।

ତେବେ ବିଭିନ୍ନ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମ ରାଜ୍ୟ ବେଶ ପରିଚିତ । ସେଥିମଧ୍ୟରୁ କିଛି ହଜି ଯାଉଥିବା ବେଳେ ଆଉ କିଛି ଏବେ ବି ବଞ୍ଚି ରହିଛି । ତେବେ ଦକ୍ଷିଣ ଓଡି଼ଶାର ଜହ୍ନି ଓଷା ପରମ୍ପରା ଓ ସଂସ୍କୃତି ଆଜି ବି କୁଆଁରୀମାନଙ୍କ ଦ୍ବାରା ପାଳିତ ହୋଇଆସୁଥିବା ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.