ETV Bharat / state

ହୁ ହୁ ହୋଇ ବଢୁଛି ପିଆଜ ଦର, ଢେଙ୍କାନାଳରେ କିଲୋ ପିଛା 60 ଟଙ୍କା

author img

By ETV Bharat Odisha Team

Published : Nov 2, 2023, 1:53 PM IST

ପିଆଜ ଦର ବୃଦ୍ଧି ପାଉଥିବାରୁ ଚିନ୍ତାରେ ଖାଉଟି। ନିର୍ଦ୍ଧାରିତ ଦରରେ ବିକ୍ରି କରିବାକୁ ମୂଲ୍ୟ ନିର୍ଦ୍ଧାରଣ କଲା ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ

onion price
onion price

onion price

ଢେଙ୍କାନାଳ: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ପିଆଜ ଦର। ପିଆଜ ନାଁ ଶୁଣିଲେ ଗ୍ରାହକ କିଣିବାକୁ ଭୟ କରୁଛନ୍ତି। ପିଆଜ ଦର କିଲୋ ପ୍ରତି କେଉଁଠି 60 ତ ଆଉ କେଉଁଠି 80ରେ ବିକ୍ରି ହେଉଛି। ଯାହକି ନେଇ ଚିନ୍ତାରେ ଖାଉଟି। ଦର ବୃଦ୍ଧିର ସୁଯୋଗ ନେଇ କାମାକ୍ଷାନଗରର କିଛି ଅସାଧୁ ବ୍ୟବସାୟି ଚଢା ଦରରେ ପିଆଜ ବିକ୍ରି କରୁଥିବାର ଅଭିଯୋଗ ହୋଇଛି। ଏହାକୁ ରୋକିବା ପାଇଁ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଚଢାଉ କରିଥିଲେ । କାମାକ୍ଷାନଗରରେ ଥିବା ସମସ୍ତ ଆଳୁ ଓ ପିଆଜ ଗୋଦାମରେ ଅଚାନକ ଚଢ଼ାଉ କରି ସରକାରଙ୍କ ନିୟମ ଅନୁସାରେ ଖାଉଟି ମାନଙ୍କୁ ବିକ୍ରି କରିବା ପାଇଁ ପରାମର୍ଶ ଦେବା ସହ ଦୋକାନ ଆଗରେ ନିର୍ଦ୍ଧାରିତ ଦରର ବୋର୍ଡ ଲଗାଇବାକୁ କହିଥିଲେ।

ଏହା ମଧ୍ୟ ପଢନ୍ତୁ-Onion Price Hike: ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍, କହିଲା ଫେଲ୍ ମାରିଛି 'ପିଆଜ ମିଶନ'

ଅସାଧୁ ଉପାୟରେ ପିଆଜ ମହଜୁଦ ରଖି କଳାବଜାରି କରୁଥିବାର ଅଭିଯୋଗ ଆସିଲା ପରେ ଜିଲ୍ଲା ବେସାମାରିକ ଯୋଗାଣ ବିଭାଗ ତରଫରୁ ପିଆଜ ଗୋଦାମ ମାନଙ୍କରେ ଚଡାଉ କରି ତନଖି କରାଯାଇଛି । ଏହାସହିତ ଉପଖଣ୍ଡ ସ୍ତରରେ ମଧ୍ୟ ଉପଜିଲ୍ଲାପାଳ, ବେସାମାରିକ ଯୋଗାଣ କର୍ମଚାରୀ ଓ ଫୁଡ୍‌ ଇନସ୍ପେକ୍ଟର ମିଳିତ ଭାବେ ସ୍ଥାନୀୟ ବଜାରରେ ଚଢାଉ କରି ତନଖି କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ପିଆଜ ଗୋଦାମର ମାଲିକ ମାନଙ୍କ ସହ ଆଲୋଚନା କରି ପିଆଜର ଦର ନିର୍ଦ୍ଧାରଣ କରାଯାଇଛି। ଢେଙ୍କାନାଳକୁ ପିଆଜ ମୁଖ୍ୟତଃ ନାସିକ ଓ ରାୟପୁରରୁ ଆସୁଛି । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ନିମ୍ନମତେ ପିଆଜ ଦର ନିର୍ଦ୍ଧାରଣ କରାଯାଇଛି ।

ମୂଳ ଦର କେଜି ପ୍ରତି 50ଟଙ୍କା ରହିଥିବା ବେଳେ ବହନ ଖର୍ଚ୍ଚ 3.35ଟଙ୍କା ରହିଥିବାରୁ ସମସ୍ତ ଖର୍ଚ୍ଚକୁ ଦୃଷ୍ଟିରେ ରଖି ପିଆଜ ହୋଲସେଲ ବେପାରୀ ମାନେ କେଜି ପିଛା 55 ଟଙ୍କା ଓ ଖୁଚୁରା ବେପାରୀ କେଜି ପିଛା 60 ଟଙ୍କାରେ ବିକ୍ରି କରିପାରିବେ । ଏହାଠାରୁ ଅଧିକ ଦରରେ ବିକିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଯଦି ପରବର୍ତ୍ତୀ ସମୟରେ ପିଆଜର ମୂଳ ଦର କମିବ ତେବେ ସେହି ଅନୁସାରେ ହୋଲସେଲ ଦର ଓ ଖୁଚୁରା ଦର ମଧ୍ୟ କମିବ । ଏହି ବୈଠକରେ ଜିଲ୍ଲା ବେସାମାରିକ ଯୋଗାଣ ଅଧିକାରୀ ବସନ୍ତ କୁମାର ପଣ୍ଡା ଓ ଆନନ୍ଦବଜ଼ାରର ପିଆଜ ହୋଲସେଲର ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.