ETV Bharat / state

Onion Price Hike: ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍, କହିଲା ଫେଲ୍ ମାରିଛି 'ପିଆଜ ମିଶନ'

author img

By ETV Bharat Odisha Team

Published : Nov 1, 2023, 9:29 PM IST

ପିଆଜ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । "ରାଜ୍ୟ ସରକାରଙ୍କ ପିଆଜ ମିଶନ ସମ୍ପୂର୍ଣ୍ଣ ଫେଲ ମାରିଛି" ବୋଲି କହିଛି ଦଳ । ଅଧିକ ପଢନ୍ତୁ

congress targets state govt
ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍

ଭୁବନେଶ୍ବର: ପିଆଜ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । "ଏହା ସରକାରଙ୍କର ଅପାରଗତା ନା ସରକାର ଏଥିରେ ସମ୍ପୃକ୍ତ ଅଛନ୍ତି ?" ବୋଲି ପ୍ରଶ୍ନ କରିଛି ଦଳ । "ରାଜ୍ୟରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ଅନୁଗୋଳ, ବୌଦ୍ଧ ଜିଲ୍ଲାମାନଙ୍କରେ ଅଧିକ ପିଆଜ ଚାଷ କରାଯାଇଥାଏ । କିନ୍ତୁ ରାଜ୍ୟରେ ଚାଷୀ ପିଆଜକୁ ବହୁ କମଦାମରେ ବିକ୍ରି କରିଦିଅନ୍ତି । ଏପରିକି ପିଆଜ କିଲୋ ପ୍ରତି ୫ରୁ ୮ ଟଙ୍କା ଭିତରେ ବିକ୍ରି କରାଯାଏ । ରାଜ୍ୟରେ ପିଆଜ ସଂରକ୍ଷଣ କରିବା ପାଇଁ ଆବଶ୍ୟକ ପରିମାଣରେ ଶୀତଳ ଭଣ୍ଡାର ନଥିବା ହେତୁ ରାଜ୍ୟରେ ଏଭଳି ପରିସ୍ଥିତି ଦେଖାଯାଉଛି" ବୋଲି କହିଛି କଂଗ୍ରେସ । "ରାଜ୍ୟ ସରକାରଙ୍କ ପିଆଜ ମିଶନ ସମ୍ପୂର୍ଣ୍ଣ ଫେଲ ମାରିଛି" ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ।

କଂଗ୍ରେସ ମୁଖପାତ୍ର ରଜନୀ ରଞ୍ଜନ ମହାନ୍ତି କହିଛନ୍ତି,"ଯେ ପର୍ଯ୍ୟନ୍ତ ନୂଆ ପିଆଜ ବଜାରକୁ ନଆସିଛି ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ 'ଫେଆର ପ୍ରାଇସ ସପ୍' ମାଧ୍ୟମରେ ଜନସାଧାରଣଙ୍କୁ ୩୦ ଟଙ୍କା ହିସାବରେ ପିଆଜ ଯୋଗାଇ ଦିଅନ୍ତୁ । ୨୦୧୫ ମସିହାରେ ରାଜ୍ୟ ସରକାର 'ପିଆଜ ମିଶନ' ଘୋଷଣା କଲେ । ଏଥିପାଇଁ ୧୫ କୋଟି ବ୍ୟୟ ବରାଦ ହୋଇଥିଲା । ମୂଳ ଉଦ୍ଦେଶ୍ୟ ଥିଲା ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ବର୍ଷ ତମାମ ଯୋଗାଇ ଦିଆଯିବ । ଯାହାଦ୍ବାରା ଓଡ଼ିଶାବାସୀ ଅଧିକ ଦାମରେ ପିଆଜ କିଣିବେ ନାହିଁ କି ହନ୍ତସନ୍ତ ହେବେ ନାହିଁ ।"


"ତତ୍କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ, ଯେତିକି ପିଆଜ ଉତ୍ପାଦନ କରାଯାଉଛି ତାକୁ ସଂରକ୍ଷଣ କରିବା ପାଇଁ ୩୦୦ ଶୀତଳ ଭଣ୍ଡାରର ଆବଶ୍ୟକତା ଅଛି । ସେଥିପାଇଁ ଏହି ମିଶନ ଜରିଆରେ ରାଜ୍ୟରେ ୩୦୦ ଶୀତଳ ଭଣ୍ଡାର କରାଯିବ ବୋଲି କୁହାଗଲା । ସେତେବେଳର ଖାଦ୍ୟ ଯୋଗାଣ, ସାଧାରଣ ବଣ୍ଟନ ଓ କୋଅପରେସନ ମନ୍ତ୍ରୀ ଆରଏମସି ମାଧ୍ୟମରେ ୧୦ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବେ ବୋଲି କହିଲେ। ପିଆଜ ମିଶନ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କୁହାଯାଉଥିବାବେଳେ ରାଜ୍ୟରେ କେତେ ଶୀତଳ ଭଣ୍ଡାର ହୋଇଛି ଏକଥା କୁହାଯାଉନାହିଁ ।" ଏମିିତି କହି ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ।

ଏହା ବି ପଢନ୍ତୁ...Onion Price Hike: ଦର ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ, ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

"ରାଜ୍ୟ କୃଷି ବିଭାଗ ମନ୍ତ୍ରୀ କହୁଛନ୍ତି ଯେ, ରାଜ୍ୟରେ ୩ ଲକ୍ଷ ୭୫ ହଜାର ମେଟ୍ରିକ ଟନର ପିଆଜ ଉତ୍ପାଦନ ହେଉଛି । ୨୦୧୮ ମସିହାରେ କହିଥିଲେ, ୩ ଲକ୍ଷ ୭୮ ହଜାର ମେଟ୍ରିକ ଟନର ପିଆଜ ଉତ୍ପାଦନ ହେଉଛି । କିନ୍ତୁ ରାଜ୍ୟ ସରକାରଙ୍କର ଉଦ୍ୟାନ କୃଷି ବିଭାଗ କହୁଛି, ରାଜ୍ୟରେ ୩ ଲକ୍ଷ ୯୫ ହଜାର ମେଟ୍ରିକ ଟନର ପିଆଜ ଉତ୍ପାଦନ ହେଉଛି । ରାଜ୍ୟର ହାରାହାରି ପିଆଜ ଆବଶ୍ୟକତା ୨ ଲକ୍ଷ ୬୫ ହଜାର ମେଟ୍ରିକ ଟନ । ତଥାପି ଏଠି ପିଆଜ ଚଢ଼ା ଦରରେ ବିକ୍ରି କେମିତି ହେଉଛି ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.