ETV Bharat / state

ପଡ଼ିଆରେ କାର୍ଯ୍ୟକ୍ରମ ସାରି ଚାଲି ଯାଉଛି ପ୍ରଶାସନ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଳିଆ ଗଦାଇ ପ୍ରତିବାଦ

author img

By ETV Bharat Odisha Team

Published : Sep 3, 2023, 8:00 PM IST

ଢେଙ୍କାନାଳରେ କୁନିକୁନି ହକି ପ୍ରଶିକ୍ଷାର୍ଥୀ ଅଭିନବ ଉପାୟରେ ପ୍ରତିବାଦ କରି ପ୍ରଶାସନକୁ ନିଜ ଦାବି ଜଣାଇଛନ୍ତି । ପଡ଼ିଆରେ କାର୍ଯ୍ୟକ୍ରମ ସରିବା ପରେ ଅଳିଆ ଆବର୍ଜନା ସଫା କରାଯାଉନଥିବା ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଗଦାଇଲେ ହକି ପ୍ରଶିକ୍ଷାର୍ଥୀ । ଅଧିକ ପଢ଼ନ୍ତୁ

hockey trainee protest in dhenkanal
ହକି ପ୍ରଶିକ୍ଷାର୍ଥୀଙ୍କ ପ୍ରତିବାଦ

ହକି ପ୍ରଶିକ୍ଷାର୍ଥୀଙ୍କ ପ୍ରତିବାଦ

ଢେଙ୍କାନାଳ: ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖେଳ ଓ ଖେଳାଳିଙ୍କୁ ବିଭିନ୍ନ ପ୍ରୋତ୍ସାହନ ଦେଇ ଖେଳୁଆଡ଼ ମନୋଭାବ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଢେଙ୍କାନାଳରେ ପ୍ରୋତ୍ସାହନ ବଦଳରେ କିପରି ପ୍ରତାରଣା କରାଯାଉଛି ତାହାର ଆଜି ନିଚ୍ଛକ ଦୃଶ୍ୟ ଦେଖିବାକୁ ମିଳିଛି । କୁନିକୁନି ହକି ପ୍ରଶିକ୍ଷାର୍ଥୀଙ୍କ ଅଭିନବ ପ୍ରତିବାଦ ଜିଲ୍ଲାରେ କ୍ରୀଡ଼ା ବିକାଶର ଅସଲ ଚିତ୍ରକୁ ଦେଖାଇଛି ।

ଓଡ଼ିଶାକୁ ହକିର ଏନ୍ତୁଡ଼ିଶାଳ ବୋଲି ବିବେଚନା କରାଯାଉଥିବା ବେଳେ ଏହାର ବିକାଶ ଦିଗରେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଆଉ ଢେଙ୍କାନାଲ ଜିଲ୍ଲା ଏଥିରୁ ବାଦ ପଡ଼ିନି । ଟାଟା ଷ୍ଟିଲ୍‌ ସହାୟତାରେ ଢେଙ୍କାନାଳ ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମିନି ଷ୍ଟାଡିୟମ ପଡ଼ିଆରେ କୁନି କୁନି ପିଲା ମାନେ ଦୈନନ୍ଦିନ ହକି ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳୁଛି । ମାତ୍ର ଜିଲ୍ଲା ପ୍ରଶାସନର ଅବହେଳା ହକି ଖେଳାଳିଙ୍କ ବିକାଶ ଦିଗରେ ବାଧା ସୃଷ୍ଟି କରିଛି । ଏହି ମିନି ଷ୍ଟାଡିୟମରେ ବର୍ଷର ପ୍ରାୟ ଦିନ ବିଭିନ୍ନ ସଭା ସମିତି ଓ କାର୍ଯ୍ୟକ୍ରମ ଚାଲୁ ରହୁଛି । କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଶାସନ ପକ୍ଷରୁ ପଡ଼ିଆକୁ ଚିକ୍କଣ କରି ଦିଆଯାଉଛି । ମାତ୍ର କାର୍ଯ୍ୟକ୍ରମ ସରିଲେ ପଚାରେ କିଏ ? କାର୍ଯ୍ୟକ୍ରମରୁ ବାହାରୁଥିବା ଅଳିଆ ଅବର୍ଜନା ପଡ଼ିଆରେ ପଡ଼ିରହୁଛି । ବାରମ୍ବାର ଦାବି ସତ୍ତ୍ବେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଫଳରେ କୁନିକୁନି ହକି ପ୍ରଶିକ୍ଷାର୍ଥୀ ଅଭିନବ ଉପାୟରେ ପ୍ରତିବାଦ କରି ନିଜର ଦାବି ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପଦାରେ ପଡ଼ିଲା ଷ୍ଟିଲସିଟି ଉନ୍ନତିମୂଳକ କାର୍ଯ୍ୟର ସ୍ବଚ୍ଛତା, ଗୋଟିଏ ବର୍ଷାରେ ବେହାଲ ହକି ଷ୍ଟାଡିୟମ

ପିଲା ମାନେ ତାଙ୍କ ପ୍ରଶିକ୍ଷଣକୁ ବର୍ଜନ କରି ପଡ଼ିଆର ସମସ୍ତ ଅଳିଆ ଆବର୍ଜନା ଓ କାଚ ବୋତଲ ସବୁକୁ ଗୋଟାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପକାଇ ପ୍ରତିବାଦ କରିଥିଲେ । ସହରର ମୁଖ୍ୟ ରାସ୍ତାରେ ଅଳିଆ ଅବର୍ଜନା ଓ କାଚ ଯୋଗୁଁ ଜନ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଟାଟା ଷ୍ଟିଲ ସହାୟତାରେ ଏକ ଏକାଡେମୀ ଗଠନ କରାଯାଇ କୁନିକୁନି ପିଲା ମାନଙ୍କୁ ହକି ପ୍ରଶିକ୍ଷଣ ଦିଆଯାଉଛି ସତ । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପଡ଼ିଆଟିଏ ଯୋଗାଇ ନପରିବାରୁ ନାହିଁ । ତେଣୁ ବାଧ୍ୟ ହୋଇ ଏହି ମିନି ଷ୍ଟାଡିୟମ ପଡ଼ିଆରେ ପ୍ରତିଦିନ ହକି ପ୍ରଶିକ୍ଷଣ ଦିଆଯାଉଛି । ମାତ୍ର ଏହି ମିନି ଷ୍ଟାଡିୟମରେ ବର୍ଷ ତମାନ ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମ କରୁଥିବା ବେଳେ ବାହାରୁଥିବା ଆବର୍ଜନାକୁ ସଫା ଉପରେ ଗୁରୁତ୍ୱ ଦିଆଯାଉନାହିଁ । ଫଳରେ ପଡିଆ ଅଳିଆ ଅବର୍ଜନରେ ଭର୍ତ୍ତି ହୋଇଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏହି ପଡିଆଟି ରାତି ହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟୁଛି । ହେଲେ ପ୍ରଶାସନର ଏଥିପ୍ରତି ନିଘା ନାହିଁ । ଖବର ପାଇ ଢେଙ୍କାନାଳ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ପହଞ୍ଚି ପିଲାଙ୍କୁ ବୁଝାସୁଝା ପରେ ଆନ୍ଦୋଳନରୁ ହଟିଥିଲେ । ଏଥିସହ ତୁରନ୍ତ ଏକ ସ୍ୱତନ୍ତ୍ର ପଡ଼ିଆ ଯୋଗାଇଦେବାକୁ ଛୋଟ ପିଲାମାନେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.