ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

author img

By

Published : Jan 31, 2023, 10:28 AM IST

driver burnt after truck accident in dhenkanal

ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ। ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ। ଅଧିକ ପଢନ୍ତୁ

ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ

ଢେଙ୍କାନାଳ: ଜିଲ୍ଲାରେ ଅଭାବନୀୟ ଘଟଣା। ଭାରସାମ୍ୟ ହରାଇ ଓଲିଟି ପଡିଲା ଟ୍ରକ । ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଏଭଳି ଘଟଣା ଘଟିଛି । ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଡ୍ରାଇଭରର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ସୋମବାର) ତାଳଚେରରୁ କୋଇଲା ବୋଝେଇ କରି ଏହି ଟ୍ରକଟି ପାରାଦ୍ବୀପ ଯାଉଥିଲା । ଏହାପରେ ପରଜଙ୍ଗ ଥାନା ବାରିହାପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଟ୍ରକ ଟି ଦ୍ରୁତ ବେଗ ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟିପଡିଥିଲା । ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକରେ ଥିବା କୋଇଲା ଯୋଗୁଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଦୁର୍ଘଟଣା ପରେ ଟ୍ରକରେ ଡ୍ରାଇଭର ଜଣଙ୍କ ଚାପି ହୋଇ ରହିଯାଇଥିବାରୁ ବାହାରି ପାରିନଥିଲେ । ଫଳରେ ନିଆଁର ଆଁରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏନେଇ ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିଶ୍ରମ ବାହିନୀ ନିଆଁକୁ ଲିଭାଇବା ପରେ ମୃତ ଚାଳକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିଥିଲେ । ସେପଟେ ଟ୍ରକଟି ୧୪ ଚକିଆ ବିଶିଷ୍ଟ ହୋଇଥିବା ବେଳେ,ଗାଡି ନମ୍ବର OD35C0436 ଅଟେ । କିନ୍ତୁ ଚାଳକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସୂଚନା ମିଳିଛି । ଏ ସମ୍ପର୍କରେ ପରଜଙ୍ଗ ପୋଲିସ ସହ ଅଧିକ ତଦନ୍ତ ଜାରି ରଖିଛି । ଟ୍ରକଟିର ମାଲିକ କିଏ ତାହା ମଧ୍ୟ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ମୃତକଙ୍କର ପରିଚୟ ମିଳିବା ସହ ଗାଡିର ମାଲିକାନା ବିଷୟରେ ଜଣାପଡିବ ।

ଗତ କିଛିଦିନ ତଳେ କେନ୍ଦୁଝର ପଣ୍ଡାପଡା ଥାନା ଅନ୍ତର୍ଗତ ଉକୁଚାବେଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଉକୁଚାବେଡାରେ ଭାରସାମ୍ୟ ହରାଇ ଅଟୋ ସହ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼କମଣ୍ଡରା ଗ୍ରାମର କିଛି ଲୋକ ସୋଲା ବିକିବାକୁ କେନ୍ଦୁଝର ସହରକୁ ଆସିଯାଥିଲେ । ସେଠାରୁ ଫେରିବା ସମୟରେ ସ୍ଥାନୀୟ ଉକୁଚାବେଡାରେ ଏକ ପିକ୍‌-ଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.