ETV Bharat / state

ସମସ୍ୟା ଘେରରେ ରେଙ୍ଗାଲି ବିସ୍ଥାପିତ, 40 ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା

author img

By

Published : May 9, 2023, 10:13 AM IST

ମାଳମାଳ ସମସ୍ୟା ଘେରରେ ରହିଛନ୍ତି ରେଙ୍ଗାଲି ବିସ୍ଥାପିତ । ଦୀର୍ଘ 40 ବର୍ଷ ହେଲା ସ୍ଥାୟୀ ଜମିପଟ୍ଟା ଅପେକ୍ଷାରେ ରହିଛନ୍ତି । ଅଧିକ ପଢନ୍ତୁ

ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା
displaced people problem

displaced people problem

ଦେବଗଡ: ବର୍ଷେ ନୁହଁ କି ଦୁଇବର୍ଷ, ଆଜକୁ ଦୀର୍ଘ 40 ବର୍ଷ ହେଲା ଅସମାହିତ ହୋଇ ରହିଯାଇଛି ରେଙ୍ଗାଲି ବିସ୍ଥାପିତଙ୍କ ସମସ୍ୟା । ନେତା ମନ୍ତ୍ରୀ ଆସିଛନ୍ତି ପ୍ରତିଶ୍ରୁତି ମଧ୍ୟ ମିଳିଛି ହେଲେ ସବୁ ପାଣିର ଗାର ହୋଇଛି । ଏଯାଏଁ ଲୋକଙ୍କୁ ମିଳିପାରି ନାହିଁ ସ୍ଥାୟୀ ଜମିପଟ୍ଟା । ଗାଁକୁ ମିଳିପାରିନି ରାଜସ୍ବ ଗ୍ରାମର ମାନ୍ୟତା । ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଶତାଧିକ ବିସ୍ଥାପିତ ପରିବାର । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତର ଫୁଲପଥର ଖୋଳ ଗ୍ରାମ ଆଜିକୁ 40ବର୍ଷ ହେବ ସ୍ଥାୟୀ ଜମିପଟ୍ଟା ଅପେକ୍ଷାରେ ରହିଛନ୍ତି ।

ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ବାରା ବିସ୍ଥାପିତ ହୋଇଥିବା 100ରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ 40 ବର୍ଷ ହେଲା ଫୁଲପଥର ଖୋଳରେ ବସବାସ କରି ଆସୁଛନ୍ତି । ଗତ 1980 -81 ମସିହାରେ ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ବାରା ନଈକୂଳ ଗ୍ରାମ ଜଳମଗ୍ନ ହୋଇଥିଲା । ଏହି ଗ୍ରାମରେ ବସବାସ କରୁଥିବା 53ଟି ପରିବାରକୁ ସରକାର ଲିଜ ଆକାରରେ ସାଢ଼େ 6 ଏକର ଲେଖାଏଁ ଜମି ଓ କେ ଫର୍ମ ଜମିପଟ୍ଟା ପ୍ରଦାନ କରି ଫୁଲପଥର ଖୋଳ ଗ୍ରାମରେ ଥଇଥାନ କରାଇଥିଲେ । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଇତିମଧ୍ୟରେ ଦୀର୍ଘ 40 ବର୍ଷ ବିତିଯାଇଥିଲେ ବି ବିସ୍ଥାପିତ ଲୋକଙ୍କୁ ସ୍ଥାୟୀ ଜମିପଟ୍ଟା ମିଳିପାରି ନାହିଁ । ସ୍ଥାୟୀ ଜମିପଟ୍ଟା ପ୍ରଦାନ କରିବାକୁ ଯେପରି ସମ୍ପୁର୍ଣ୍ଣ ରୂପେ ଭୁଲି ଯାଇଛନ୍ତି ସରକାର ।

ଏହା ବି ପଢନ୍ତୁ...ଭାରତୀୟ ଆର୍ଥିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଏପରିକି ଦୀର୍ଘ 40 ବର୍ଷ ହେଲା ଶତାଧିକ ବିସ୍ଥାପିତ ପରିବାର ବସବାସ କରି ଆସୁଥିବା ଫୁଲପଥର ଖୋଳ ଗ୍ରାମକୁ ଏପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିନାହିଁ । ଫଳରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ବିସ୍ଥାପିତ ପରିବାର । ଗ୍ରାମବାସୀଙ୍କ ପାଖରେ ସ୍ଥାୟୀ ଜମିପଟ୍ଟା ଓ ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳି ନଥିବାରୁ ସେମାନେ ନିଜନିଜ ଜମିକୁ ଚିହ୍ନଟ କରି ପାରୁନାହାନ୍ତି । ଚାଷ କାର୍ଯ୍ୟ ପାଇଁ କୃଷି ଋଣ କିମ୍ବା ଅନ୍ୟାନ୍ୟ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ପିଲାଙ୍କ ପାଠପଢ଼ା ପାଇଁ ରେସିଡେନ୍ସିଆଲ ସାର୍ଟିଫିକେଟ ଖଣ୍ଡିଏ ମିଳିପାରୁ ନାହିଁ । କେବଳ ଏତିକି ନୁହେଁ, ସମସ୍ତ ପ୍ରକାର ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଆସୁଛନ୍ତି ଗ୍ରାମବାସୀ ।

ଏହା ବି ପଢନ୍ତୁ...ଆଜି ନୀତିଶ-ନବୀନ ଭେଟଘାଟ; ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଦେବେ ପ୍ରସ୍ତାବ !

ବିସ୍ଥାପିତ ଲୋକଙ୍କୁ ସ୍ଥାୟୀ ଜମିପଟ୍ଟା ଓ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଆଜକୁ ଦୀର୍ଘ 40 ବର୍ଷ ହେଲା ଗ୍ରାମବାସୀ ଦେବଗଡ଼ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଆସୁଛନ୍ତି । ବିଭିନ୍ନ ସମୟରେ ଏନେଇ ଜନ ଆନ୍ଦୋଳନ ମଧ୍ୟ କରିଛନ୍ତି । ତଥାପି କୌଣସି ସୁଫଳ ମିଳିପାରିନାହିଁ । ଗୋଟିଏ ପକ୍ଷରେ ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା ଲୋକେ ନିଜର ଭିଟାମାଟି ହରାଇ ସର୍ବାହରା ହୋଇଥିବା ବେଳେ , ଅନ୍ୟପକ୍ଷରେ ବିସ୍ଥାପିତଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ କାରଣରୁ ଲୋକଙ୍କ ଦୁର୍ଦ୍ଦଶା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ରେଙ୍ଗାଲି ବିସ୍ଥାପିତ ଲୋକଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ ଓ ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବା ଦିଗରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

ଇଟିିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.