ETV Bharat / state

ପର୍ଯ୍ୟଟନ ଋତୁରେ ଲୋକଲୋଚନରୁ ଦୂରରେ ରହିଛି ବାଘିଆଣି ଜଳପ୍ରପାତ

author img

By

Published : Nov 20, 2020, 9:08 PM IST

ବାଘିଆଣି ଜଳପ୍ରପାତ ଦେବଗଡ ଜିଲ୍ଲାର ଏକ ସୁନ୍ଦର ଓ ମନୋରମ ପର୍ଯ୍ୟଟନ ସ୍ଥଳୀ । ଲୋଚନରୁ ବହୁ ଦୂରରେ ରହିଯାଇଛି ଜିଲ୍ଲାର ଏହି ଅନ୍ୟତମ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ । ଗମନାଗମନର ଅସୁବିଧା ଯୋଗୁଁ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ନିଜର ପରିଚୟ ହରାଇବାକୁ ବସିଛି । ଅଧିକ ପଢନ୍ତୁ...

baghiani waterfall
ପର୍ୟଟନ ଋତୁରେ ଲୋକଲୋଚନରୁ ଦୂରରେ ରହିଛି ବାଘିଆଣି ଜଳପ୍ରପାତ

ଦେବଗଡ: ବଣମଲ୍ଲୀ ବଣରେ ଫୁଟି ମଉଳିଗଲା ଭଳି ଲୋକଲୋଚନରୁ ବହୁ ଦୂରରେ ରହିଯାଇଛି ଦେବଗଡ଼ ଜିଲ୍ଲାର ଅନ୍ୟତମ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ବାଘିଆଣି ଜଳପ୍ରପାତ । ଗମନାଗମନର ଅସୁବିଧା ଯୋଗୁଁ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ନିଜର ପରିଚୟ ହରାଇବାକୁ ବସିଛି ।

ପର୍ୟଟନ ଋତୁରେ ଲୋକଲୋଚନରୁ ଦୂରରେ ରହିଛି ବାଘିଆଣି ଜଳପ୍ରପାତ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ଅନ୍ତର୍ଗତ ମର୍ହା ଗାଁ ଠାରୁ ତିନି କିଲୋମିଟର ଦୂର ପାହାଡ଼ ଶୀର୍ଷରେ ରହିଛି ଏକ ସୁନ୍ଦର ଜଳ ପ୍ରପାତ । ଏହାକୁ ସ୍ଥାନୀୟ ଲୋକେ ବାଘିଆଣି ଦରହ ବୋଲି କହିଥାନ୍ତି । ନିଘଞ୍ଚ ଅରଣ୍ୟ ପରିବେଷ୍ଟିତ ଦୁଇଟି ପାହାଡ଼ର ମିଳନ ସ୍ଥଳରୁ ପ୍ରାୟ ଦୁଇଶହ ଫୁଟ ଉଚ୍ଚରୁ ଭୂପୃଷ୍ଟ ଉପରକୁ ବୋହି ଆସୁଥିବା ପାହାଡିଆ ଝରଣାର ଅପୂର୍ବ ଶୋଭା ସହଜେ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଏହି ଜଳପ୍ରପାତ ନିକଟରେ ରହିଛି ଏକ ପଥର ଚଟାଣ ଓ ସେଠାରେ ରହିଛି ଏକ ପ୍ରାଚୀନ ପାହାଡିଆ ଗୁମ୍ଫା ।

ବହୁବର୍ଷ ପୂର୍ବେ ଏଠାରେ ବାଘ ରହୁଥିବାରୁ ଏହି ଗୁମ୍ଫାକୁ ମଧ୍ୟ ବାଘିଆଣି ଗୁମ୍ଫା ବୋଲି ସ୍ଥାନୀୟ ଲୋକେ କହିଥାନ୍ତି । ବାଘିଆଣି ଜଳପ୍ରପାତ ଜିଲ୍ଲାର ଯେ ଏକ ସୁନ୍ଦର ଓ ମନୋରମ ପର୍ଯ୍ୟଟନ ସ୍ଥଳୀ ଏଥିରେ ତିଳେହେଲେ ବି ସନ୍ଦେହ ନାହିଁ । ମାତ୍ର ଏଠାକୁ ଗମନା ଗମନର ଅସୁବିଧା ଯୋଗୁଁ ଏହି ପର୍ଯ୍ୟଟନ ସ୍ଥଳୀଟି ଲୋକଲୋଚନକୁ ଏଯାଏ ଆସିପାରିନାହିଁ । ବଣ ମଲ୍ଲୀ ବଣରେ ଫୁଟି ମଉଳି ଗଲା ସଦୃଶ ହୋଇଛି । ତେବେ ସଂରକ୍ଷିତ ଜଙ୍ଗଲ ପ୍ରତିବନ୍ଧକ ରହୁଥିବାରୁ ଏଠାକୁ ଗମନା ଗମନର ସୁବିଧା ଏଯାଏଁ ହୋଇପାରିନାହିଁ ।

ଜିଲ୍ଲାର ଦୁର୍ଗମ ପାହାଡିଆ ଅଞ୍ଚଳରେ ଲୋକଲୋଚନରୁ ବହୁ ଦୂରରେ ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଗଲେ ପର୍ଯ୍ୟଟକ ଏହା ଦେଖିବାର ସୁଯୋଗ ପାଇଥାନ୍ତେ । ଏହା ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ କରିପାରିବ ଏଥିରେ ସନ୍ଦେହ ନାହିଁ ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.