ETV Bharat / state

କଟକରେ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ ! ପୋଲିସର ତଦନ୍ତ ଜାରି

author img

By ETV Bharat Odisha Team

Published : Aug 31, 2023, 8:24 PM IST

Updated : Sep 1, 2023, 11:43 AM IST

କଟକରେ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ । ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

Woman molested on pretext of offering Lift
Woman molested on pretext of offering Lift

ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ

କଟକ: ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ । ବିରୋଧ କରିବାରୁ ଗାଡ଼ିରୁ ଠେଲି ହତ୍ୟା ଉଦ୍ୟମ । ଘଟଣା ଘଟିଛି ଟାଙ୍ଗୀ ଥାନା ଓ ଚୌଦ୍ବାର ଥାନା ମଧ୍ୟବର୍ତ୍ତୀ ଅଞ୍ଚଳରେ । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି ।

ଗତକାଲି (ବୁଧବାର) ଭୁବନେଶ୍ବର ପଟିଆ ଅଞ୍ଚଳର ଜଣେ ଯୁବତୀ ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ । ରାତି ପାଖାପାଖି ୮ଟା ସମୟରେ କଟକ ଆସିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ତାଙ୍କୁ ଗାଡ଼ିରେ ନେଇ କଟକ ଛାଡିଦେବେ ବୋଲି କହିଥିଲା । ତେଲ ପକାଇବା ଲାଗି ଯୁବତୀ ଜଣକ ଅଭିଯୁକ୍ତ ଯୁବକକୁ ୩୦୦ ଟଙ୍କା ମଧ୍ୟ ଦେଇଥିଲେ । ତେବେ କିଛି ବାଟ ଆସିବା ପରେ କଟକ ମୁଖ୍ୟ ରାସ୍ତାରେ ନଯାଇ ଏକ ଜଙ୍ଗଲ ଅଞ୍ଚଳକୁ ନେବା ବେଳେ ଯୁବତୀ ଜଣକ ପ୍ରତିବାଦ କରିଥିଲେ । ତେବେ ସେହି ଯୁବକ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଚଳନ୍ତା ଗାଡ଼ିରୁ ପେଲି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡିତାଙ୍କ ଭଉଣୀ ।

ଏହା ବି ପଢନ୍ତୁ- UP: ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ, ବାଧା ଦେବାରୁ ପୁଅକୁ ଗୁଳି !

ଯୁବତୀ ଜଣକ ରକ୍ତାକ୍ତ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇ ମେଡିକାଲ ପଠେଇଥିଲେ । ତାଙ୍କର ଗୋଟିଏ ହାତ ଭାଙ୍ଗିଯିବା ସହ ମୁଣ୍ଡ, ଗୋଡ଼, ପେଟ ଓ ଛାତିରେ ଆଘାତ ଲାଗିଛି । ଏବେ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ତେବେ ଯେଉଁ ଆମ୍ବୁଲାନ୍ସରେ ତାଙ୍କୁ ଅଣାଯାଇଥିଲା ଆଉ କିଏ ଘଟଣା ସମ୍ପର୍କରେ ଜାଣିଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ଜଣକ ଫେରାର ମାରିବା ପୂର୍ବରୁ ଯୁବତୀଙ୍କଠାରୁ ସୁନା ଚେନ୍‌, ମୁଦି ଭଳି ମୂଲ୍ୟବାନ ଅଳଙ୍କାର ଛଡ଼ାଇବା ଲାଗି ଉଦ୍ୟମ କରିଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହା ୩ଟି ଥାନା ଅଧୀନରେ ଘଟଣା ଘଟିଥିବାରୁ କମିଶନରେଟ ପୋଲିସ କଟକ ଜିଲ୍ଲା ପୋଲିସ ସହାୟତାରେ ତଦନ୍ତ ଆରମ୍ଭ କରିଥିବା ଡିସିପି କହିଛନ୍ତି ।

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ପୀଡ଼ିତା ଜଣକ ନିଶ୍ଚିନ୍ତକୋଇଲିରୁ ଲିଫ୍ଟରେ ଆସିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ-ଚୌଦ୍ବାରରୁ ଉଦ୍ଧାର କରାଯାଇଛି । ଏ ନେଇ ତଦନ୍ତ ଜାରି ରହିଛି । ଦୋଷୀ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, କଟକ

Last Updated : Sep 1, 2023, 11:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.