ETV Bharat / state

ଗାଡି ଚାଳକ ସାବଧାନ ! HSRP ନମ୍ବର ପ୍ଲେଟ ନଥିଲେ କଟୁଛି ଫାଇନ

author img

By

Published : Feb 16, 2023, 9:20 AM IST

ଗାଡିରେ ଏଚଏସଆରପି ନମ୍ବର ପ୍ଲେଟ ନଥିବାରୁ ୧୧ ଦିନ ମଧ୍ୟରେ ୨୬୭୪ଟି ଯାନ ବିରୋଧରେ ଚାଲାଣ କଟିଛି ରାଜ୍ୟ ପରିବହନ ବିଭାଗ । ଅଧିକ ପଢନ୍ତୁ

High security number plate
High security number plate

High security number plate

କଟକ: ଗାଡି ଚଳାଉଥିଲେ ସାବଧାନ । ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଫାଇନ କାଟୁଛି ରାଜ୍ୟ ପରିବହନ ବିଭାଗ । ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇ ୨୬୭୪ଟି ଯାନ ବିରୋଧରେ ଚାଲାଣ କଟାଯାଇଛି । ଚଳିତ ମାସ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ୱର ପ୍ଲେଟ ନଥିବା ଗାଡିରେ ୨୬୦୦ରୁ ଊର୍ଦ୍ଧ୍ବ ଉଲ୍ଲଘଂନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

୧ ଏପ୍ରିଲ ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ି ଗୁଡ଼ିକର ନମ୍ବର ପ୍ଲେଟକୁ ଏଚଏସଆରପି ଅଧୀନରେ ଆଣିବା ପାଇଁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସମୟସୀମା ଥିଲା । ତେବେ ନମ୍ବର ୧ରୁ୬ ପର୍ଯ୍ୟନ୍ତ ସମୟସୀମା ଡିସେମ୍ବର ୩୧, ୨୦୨୨ ଥିବା ବେଳେ ୭ ଓ ୮ର ସମୟସୀମା ଜାନୁଆରୀ ୩୧, ୨୦୨୩ ପର୍ଯ୍ୟନ୍ତ ଥିଲା। ସେହିପରି ୯ ଓ ୦ ର ସମୟସୀମା ଫେବୃଆରୀ ୨୮ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।

ତେବେ ଚଳିତ ମାସ ୧୩ ସୁଧା ରାଜ୍ୟରେ ୩୮ ଲକ୍ଷ ୪୯ ହଜାର ୪୯୮ ଗାଡ଼ି ମାଲିକ ସ୍ଲଟ ବୁକ୍ କରିଥିବା ବେଳେ ସେଥି ମଧ୍ୟରୁ ୩୧ ଲକ୍ଷ ୬୫ ହଜାର ୮୫୦ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ଲଗାଯାଇଛି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ନଥିବା ଉଲ୍ଲଂଘନକାରୀଙ୍କ ଠାରୁ ୫ ହଜାର ରୁ ୧୦ ହଜାର ଟଙ୍କାର ଜୋରିମାନା ନେବା ପାଇଁ ନିୟମ ରହିଛି।

କିଛି ଦିନ ପୂର୍ବେ ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାର ଶୁଣାଣି ହୋଇଥିଲା। ଗାଡି ନମ୍ବର ଶେଷରେ ୧,୨,୩,୪ ଥିଲେ ଶେଷ ଦିନ ଡିସେମ୍ବର ୩୧କୁ ଅବଧି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହି ଏକ ମାସ ସମୟ ଅବଧି ବୃଦ୍ଧି କରାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ ଆଡଭୋକେଟ ଜେନେରାଲ। ଏ ନେଇ ପରିଵହନ ବିଭାଗ ପକ୍ଷରୁ ପୂର୍ବରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କେବଳ ବୁକିଂ ଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ହାଇକୋର୍ଟ କହିଥିଲେ। ପବିତ୍ର ଖଟୁଆଙ୍କ ଆବେଦନ ଉପରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିବା ବେଳେ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କାଜଲ ସାହୁ ମାମଲା ପରିଚାଳନା କରୁଥିଲେ। ଅନଲାଇନରେ ସ୍ଲଟ ପାଇଁ ଭିତ୍ତିଭୂମି ବିକାଶ କରାଯିବ। ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବ, ଅନ ଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ ମିଳିବ, ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ପ୍ରତିଶୃତି ଦେଇଥିଲେ। ପୂର୍ବରୁ ରାଜ୍ୟରେ ଦୈନିକ ୨୫ ହଜାର ନମ୍ବର ପ୍ଲେଟ ସ୍ଲଟ ବୁକିଂ ପାଇଁ ରହୁଥିବା ବେଳେ ଏବେ ୫୭ ହଜାରକୁ ବୃଦ୍ଧି କରାଯାଇଛି। ତେଣୁ ଜନସାଧାରଣ ଆଉ ସମସ୍ୟାରେ ପଡିବେ ନାହିଁ ବୋଲି ଆଶା କରାଯାଉଛି।

୨୦୧୯ ଏପ୍ରିଲ ୧ ରୁ ବିଭିନ୍ନ ଯାନବାହାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବା ଏଚଏସଆରପି ଲାଗୁ କରାଯାଇଛି । ତା ପୂର୍ବରୁ ଥିବା ଯାନ ଗୁଡିକରେ ମଧ୍ୟ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବା ଏଚଏସଆରପି ଫିଟମେଣ୍ଟ କରାଇବାକୁ କେନ୍ଦ୍ର ସରକାରଙ୍କ ପରିଵହନ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ । ଓଡିଶାରେ ଏହାକୁ ଲାଗୁ କରିବା ପାଇଁ ରାଜ୍ୟ ପରିବହନ ନିଗମ ମେ ୨୬ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା । ନିଜ ଗାଡି ନମ୍ବରର ଶେଷରେ ୧ ଓ ୨ ଥିଲେ ଅଗଷ୍ଟ ୩୧ ଏଚଏସଆରପି ଫିଟମେଣ୍ଟ ପାଇଁ ଶେଷ ତାରିଖ ଥିଲା । କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ତାହାକୁ ଆଉ ଏକମାସ ବୃଦ୍ଧି କରିଥିଲେ । ସେପ୍ଟେମ୍ବର ୩୦ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।

ଅକ୍ଟୋବର ଶେଷ ସପ୍ତାହରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧,୨,୩,୪ ନମ୍ବର ପାଇଁ ୨୦୨୨ ନଭେମ୍ବର ୩୦, ଗାଡି ନମ୍ବର ଶେଷରେ ୫ ଓ ୬ ଥିଲେ ଡିସେମ୍ବର ୩୧, ୭ ଓ ୮ ଥିଲେ ୨୦୨୩ ମସିହା ଜାନୁଆରୀ ୩୧, ଗାଡି ନମ୍ବର ଶେଷରେ ୯ ଓ ୦ ଥିଲେ ୨୦୨୩ ଫେବୃଆରୀ ୨୮କୁ ଶେଷ ତାରିଖ ଭାବେ ଏଚଏସଆରପି ଫିଟମେଣ୍ଟ ପାଇଁ ଧାର୍ଯ୍ୟ କରିଥିଲା ବିଭାଗ । ରାଜ୍ୟରେ ପାଖାପାଖି ୩୦ ଲକ୍ଷ ଗାଡ଼ିରେ ଏଚଏସଆରପି ଲାଗିବାର ରହିଛି ।

ରାଜ୍ୟର ୩୮ ଆରଟିଓ ଓ ଏଆରଟିଓ ଅଫିସରେ ନମ୍ବର ପ୍ଲେଟ ଆବେଦନ କରିବାର ବ୍ୟବସ୍ଥା ହୋଇଛି । ଯେଉଁ କମ୍ପାନୀ ଗୁଡିକ ବନ୍ଦ ହୋଇଯାଇଛି, ସେ ଗାଡି ଗୁଡ଼ିକର ନମ୍ବର ପ୍ଲେଟ ଆରଟିଓ ଅଫିସ ମାଧ୍ୟମରେ ଲଗାଇବାର ଵ୍ୟଵସ୍ଥା ହୋଇଛି । ନମ୍ବର ପ୍ଲେଟ ଭାଙ୍ଗି ଯାଇଥିଲେ ବା ନଷ୍ଟ ହୋଇଗଲେ ଡୁପ୍ଲିକେଟ ନମ୍ବର ପ୍ଲେଟ ଅନଲାଇନରେ ବୁକ କରିବାର ବ୍ୟବସ୍ଥା ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.