ETV Bharat / state

BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌; ସିଲ୍‌ଭର ସିଟିରେ ଲଢ଼ିବେ ୩୦ ଦେଶର ୩୦୦ ଖେଳାଳି

author img

By ETV Bharat Odisha Team

Published : Dec 12, 2023, 8:21 PM IST

BWF Super 100 Badminton Tournament: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡ଼ିଶା ମାଷ୍ଟର୍‌ସ୍‌ ଓପନ BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ । ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩୦ଟି ଦେଶରୁ ପ୍ରାୟ ୩୦୦ ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ

BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌
BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌

BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌

କଟକ: ଆଜିଠାରୁ ଆରମ୍ଭ ହୋଇଯାଇଛି ଓଡ଼ିଶା ମାଷ୍ଟର୍‌ସ୍‌ ଓପନ BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ । ବ୍ୟାଡ୍‌ମିଣ୍ଟନ ୱାର୍ଲ୍ଡ ଫେଡେରେସେନ୍‌ (BWF)ର ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଥର ପାଇଁ କଟକ ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୩୦ଟି ଦେଶରୁ ପ୍ରାୟ ୩୦୦ ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ କେବଳ ମହିଳା ଓ ପୁରୁଷ ଏକକ ବର୍ଗର ମ୍ୟାଚ୍‌ ଖେଳାଯିବ । ତେବେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ଏବଂ ଶ୍ବେତାପର୍ଣ୍ଣା ପଣ୍ଡାଙ୍କ ସମେତ ଅଲ୍‌ ଇଣ୍ଡିଆ ଟପ୍‌ ୫୦ରେ ଥିବା ଖେଳାଳି ମଧ୍ୟ ମ୍ୟାଚ୍‌ ଖେଳିବା ପାଇଁ କୋର୍ଟକୁ ଓହ୍ଲାଇଛନ୍ତି ।

ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଷ୍ଟାରଙ୍କ ଉପରେ ନଜର: ଏହି ହାଇପ୍ରୋଫାଇଲ୍‌ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୨, ଅର୍ଥାତ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ ୩୦ଟି ଦେଶରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ଵ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଇଂଲଣ୍ଡ, କାନାଡା, ଡେନ୍‌ମାର୍କ୍‌, ଥାଇଲାଣ୍ଡ, ଇଟାଲି, ୟୁରୋପ,ବାଂଲାଦେଶ ଓ ନେପାଳ ଭଳି ଦେଶର ଟପ୍‌ ରାଙ୍କ୍‌ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଚମକିବେ । ହେଲେ ସମସ୍ତଙ୍କ ନଜର ରହିଛି ଓଡ଼ିଆ ଷ୍ଟାର ସଟ୍‌ଲର୍‌ ଋତୁପର୍ଣ୍ଣା ପଣ୍ଡା ଏବଂ ଶ୍ବେତାପର୍ଣ୍ଣା ପଣ୍ଡାଙ୍କ ଉପରେ । ଘରୋଇ ମାଟିରେ ସେମାନେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଆଶା କରାଯାଉଛି । ଏମାନଙ୍କ ସହିତ ଅନ୍ୟତମ ଭାରତୀୟ ଟପ୍‌ ରାଙ୍କ୍‌ ପ୍ଲେୟର ସିକି ରେଡ୍ଡୀ ଓ ଅଶ୍ବିନୀ ପୋନ୍ନାପାଙ୍କ ଭଳି ଖେଳାଳିଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

ଏହା ମଧ୍ୟ ପଢ଼ନ୍ତୁ...କଳିଙ୍ଗ ଷ୍ଟାଡିୟମରେ ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟିତ

ପ୍ରଦର୍ଶନ ଆଧାରରେ ମିଳିବ ଅଲିମ୍ପିକ୍ସ ଟିକେଟ୍‌: ଘରୋଇ ମାଟିରେ ଏହି ସମ୍ମାନଜନକ ପ୍ରତିଯୋଗିତା ଖେଳୁଥିବା ଓଡ଼ିଶା ତଥା ଭାରତୀୟ ଖେଳାଳି ମାନଙ୍କର ପ୍ରଦର୍ଶନ ଭଲ ହେବା ସହ ସେମାନଙ୍କ ରାଙ୍କ୍‌ରେ ମଧ୍ୟ ଉନ୍ନତି ଘଟିବ ବୋଲି ସମସ୍ତ ଖେଳାଳି ଆଶା ରଖିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କଟକ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ଇଣ୍ଟରନାସ୍‌ନାଲ୍‌ ଟୁର୍ଣ୍ଣାମେଣ୍ଟରେ ଯେଉଁ ଖେଳାଳି ମାନେ ଭଲ ପ୍ରଦର୍ଶନ କରିବେ, ସେମାନେ ଅନ୍ତର୍ଜାତୀୟ ସହ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରିବେ । ଏହି ଟୁର୍ଣ୍ଣାମେଣ୍ଟରେ ପୁରୁଷ ଏକକ, ମହିଳା ଏକକ, ପୁରୁଷ ଯୁଗଳ, ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ବର୍ଗରେ ୪ଟି କୋର୍ଟରେ ମ୍ୟାଚ୍‌ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେଲା ରାଜ୍ୟସ୍ତରୀୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ୍‌, ସମ୍ବଲପୁରକୁ ହରାଇ KIIT ଚମ୍ପିଆନ୍‌

ରାଜ୍ୟ କ୍ରୀଡ଼ା ବିଭାଗ କରିଛି ସବୁ ପ୍ରସ୍ତୁତି: ଏହି ବିଶ୍ବସ୍ତରୀୟ ଚମ୍ପିଆନ୍‌ସିପ୍‌ ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ସମସ୍ତ ସୁବିଧା ଯୋଗାଇ ଦେଇଥିବା କହିଛନ୍ତି ସିଏମ୍‌ସି କମିଶନର । ଓଡ଼ିଶାବାସୀ, ବିଶେଷ କରି ଯୁବବର୍ଗଙ୍କୁ ଏହି ଟୁର୍ଣ୍ଣାମେଣ୍ଟର ସବୁ ମ୍ୟାଚ୍‌ ଦେଖି ଖେଳାଳିଙ୍କୁ ଉତ୍ସାହିତ କରିବାକୁ ସେ ଆହ୍ବାନ କରିଛନ୍ତି । ସେପଟେ 'ଓଡ଼ିଶା ଓପନ୍‌'ର ଖେଳାଳି ଓ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ୫ ଦିନ ବ୍ୟାପୀ ହେବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ କ୍ରୀଡାପ୍ରେମୀ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.