ETV Bharat / state

ଆସିଲା ନୂଆ ସର୍କୁଲାର: ଏଣିକି ମାଟ୍ରିକ ପରୀକ୍ଷାର୍ଥୀ ଦେବେ ୨ଟି ପରୀକ୍ଷା

author img

By

Published : Aug 11, 2021, 1:24 PM IST

Updated : Aug 11, 2021, 8:59 PM IST

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା । ଏଣିକି ମାଟ୍ରିକ ପରୀକ୍ଷାର୍ଥୀ ଦେବେ ୨ଟି ପରୀକ୍ଷା । 2021-22 ଶିକ୍ଷାବର୍ଷ ପାଇଁ ପ୍ରଥମ ଥର ଆସେସମେଣ୍ଟ ସ୍କିମ୍ ପଦ୍ଧତି ଆପଣାଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଅଧିକ ପଢନ୍ତୁ...

ଏଣିକି ମାଟ୍ରିକ ପରୀକ୍ଷାର୍ଥୀ ଦେବେ ୨ ଟି ପରୀକ୍ଷା
ଏଣିକି ମାଟ୍ରିକ ପରୀକ୍ଷାର୍ଥୀ ଦେବେ ୨ ଟି ପରୀକ୍ଷା

କଟକ: କୋଭିଡ ସଙ୍କଟ ଯୋଗୁଁ ଚଳିତ ବର୍ଷ ସ୍କୁଲ କଲେଜ ପରୀକ୍ଷା ବାତିଲ କରାଯାଇଥିଲା । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ ହୋଇ ରେଜଲ୍ଟ ପ୍ରକାଶ ପାଇଥିଲା । ଯାହାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି । ତେବେ ଆଗକୁ ଯେପରି ଏହି ସମସ୍ୟା ନ ଉପୁଜେ ସେଥିଲାଗି 2021-22 ଶିକ୍ଷାବର୍ଷ ପାଇଁ ପ୍ରଥମ ଥର ଆସେସମେଣ୍ଟ ସ୍କିମ ପଦ୍ଧତି ଆପଣାଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଏହି ନୂଆ ଶିକ୍ଷା ବ୍ୟବସ୍ଥା ନବମ ଦଶମ ଶ୍ରେଣୀ ପାଇଁ ଲାଗୁ ହେବ । ସିବିଏସଇ ଢାଞ୍ଚା ଭଳି ନବମ ଦଶମ ପିଲା ବର୍ଷକୁ ଦୁଇ ଥର ପରୀକ୍ଷା ଦେବେ ।

ଏଣିକି ମାଟ୍ରିକ ପରୀକ୍ଷାର୍ଥୀ ଦେବେ ୨ଟି ପରୀକ୍ଷା

2021-22 ଶିକ୍ଷାବର୍ଷ ଦୁଇ ଭାଗରେ ବିଭକ୍ତ ହେବ । ଏହା ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ଶେଷ ହେବ । ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଏବଂ ଦ୍ବିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ମାସ ଯାଏଁ ଚାଲିବ । ପ୍ରତି ଟର୍ମରେ 50 ପ୍ରତିଶତ ସିଲାବସ୍ ପରୀକ୍ଷା ହେବ ।

ଇଣ୍ଟରନାଲ ଆସେସମେଣ୍ଟ ମଡେଲ:

ପ୍ରତି ଟର୍ମରେ ଫର୍ମେଟିଭ ଆସେସମେଣ୍ଟ ଆକାରରେ ଇଣ୍ଟରନାଲ ଆସେସମେଣ୍ଟ ହେବ । ଏହି ଆସେସମେଣ୍ଟ ଶ୍ରେଣୀ ଶିକ୍ଷକଙ୍କ ଦ୍ବାରା କ୍ରମାଗତ ଭାବେ କରାଯିବ । ପ୍ରତି ଶିକ୍ଷାବର୍ଷରେ 4ଟି ଇଣ୍ଟରନାଲ ଆସେସମେଣ୍ଟ ରହିବ । ପ୍ରଥମ ଟର୍ମରେ ଦୁଇଟି ଓ ଦ୍ବିତୀୟ ଟର୍ମରେ ଦୁଇଟି ଫର୍ମେଟିଭ ଆସେସମେଣ୍ଟ କରାଯିବ । ଅର୍ଥାତ୍ ବର୍ଷକୁ ଛାତ୍ରଛାତ୍ରୀ 4ଟି ଛୋଟ ପରୀକ୍ଷା ବା ଇଣ୍ଟରନାଲ ଆସେସମେଣ୍ଟ ଓ ଦୁଇଟି ବଡ ପରୀକ୍ଷା ଦେବେ ।

ପ୍ରଥମ ଫର୍ମେଟିଭ ଆସେସମେଣ୍ଟ ସେପ୍ଟମ୍ବର ମାସ ଦ୍ବିତୀୟ ସପ୍ତାହ ଏବଂ ଦ୍ବିତୀୟ ଆସେସମେଣ୍ଟ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କରାଯିବ । ସେହିପରି ତୃତୀୟ ଏବଂ ଚତୁର୍ଥ ଫର୍ମେଟିଭ ଆସେସମେଣ୍ଟ ଯଥାକ୍ରମେ ଜାନୁଆରୀ ଦ୍ବିତୀୟ ସପ୍ତାହ ଓ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ କରାଯିବ । ପ୍ରତ୍ୟେକ ଫର୍ମେଟିଭ ଆସେସମେଣ୍ଟ 20 ମାର୍କର ହେବ ହେବ ।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଦେବେ । ଅର୍ଥାତ୍ ଶିକ୍ଷାବର୍ଷର ପ୍ରଥମ ଟର୍ମ ଶେଷ ଏବଂ ଦ୍ବିତୀୟ ଟର୍ମ ଶେଷରେ ଗୋଟିଏ ଲେଖାଏଁ ପରୀକ୍ଷା କରାଯିବ । ଯାହା ବୋର୍ଡ ପରିଚାଳନା କରିବ । ପ୍ରଥମ ପରୀକ୍ଷା ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହରେ କରାଯିବ । ଦଶମ ଶ୍ରେଣୀ ପରୀକ୍ଷାର୍ଥୀ OMR ସିଟରେ 50 ମାର୍କ MCQ ପରୀକ୍ଷା ଦେବେ । ସିଲାବସର ଅଧା ବା 50 ପ୍ରତିଶତ ସିଲାବସରୁ ପରୀକ୍ଷା ହେବ । ପରୀକ୍ଷାର ଅବଧି 1 ଘଣ୍ଟା ରହିବ । ବୋର୍ଡ ପକ୍ଷରୁ କମ୍ପ୍ୟୁଟର ମାଧ୍ୟମରେ ଏହାର ମୂଲ୍ୟାୟନ କରାଯିବ ।

2022 ଏପ୍ରିଲ ଶେଷ ସପ୍ତାହରେ ଶେଷ ବା ଫାଇନାଲ ପରୀକ୍ଷା କରାଯିବ । ପ୍ରତ୍ୟେକ ବିଷୟରେ 50 ନମ୍ବର MCQ ଓ 30 ନମ୍ବର ସବଜେକଟିଭ ପ୍ରଶ୍ନ ପରୀକ୍ଷା ହେବ । ପୁରା ସିଲାବସରୁ ପରୀକ୍ଷାରେ ପ୍ରଶ୍ନ ପଡିବ । ପରୀକ୍ଷାର୍ଥୀ MCQ ଉତ୍ତର OMR ସିଟରେ ଲେଖିବେ ।

ମହାମାରୀ ଯୋଗୁଁ ଯଦି ପରୀକ୍ଷା ନ ହୁଏ, ତେବେ ଛାତ୍ରଛାତ୍ରୀ ନିଜ ଘରୁ ପରୀକ୍ଷା ଦେଇପାରିବେ । ଜିଲ୍ଲା ପରୀକ୍ଷା ଅଧିକାରୀ ନିର୍ଦ୍ଧାରଣ କରିବେ କେଉଁ ସ୍କୁଲ ଶିକ୍ଷକ କେଉଁ ଖାତା ଦେଖିବେ । ବୋର୍ଡ ପୋଟାଲରେ ଏହି ରେଜଲ୍ଟ ପ୍ରକାଶ କରାଯିବ ।

ଯଦି ଦୁଇଟି ଯାକ ପରୀକ୍ଷା ସ୍କୁଲରେ ନ ହୁଏ ତେବେ 20% ଇଣ୍ଟରନାଲ ଆସେସମେଣ୍ଟ, 30% ପ୍ରଥମ ଟର୍ମ ପରୀକ୍ଷା ଏବଂ ଶେଷ ଟର୍ମ ପରୀକ୍ଷାର 50% ହିସାବକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ । ଯଦି ଶେଷ ପରୀକ୍ଷା ନ ହୋଇ ପାରିଲା ତେବେ ଇଣ୍ଟରନାଲ ଆସେସମେଣ୍ଟର 20% ଓ ପ୍ରଥମ ଟର୍ମ ପରୀକ୍ଷାର 50% ଓ ଘରେ ରହି ଦେଇଥିବା ବାର୍ଷିକ ପରୀକ୍ଷାର 20% ବିଚାରକୁ ନେଇ ମାର୍କସିଟ୍ ପ୍ରସ୍ତୁତ କରାଯିବ ।

ଯଦି ପିଲା ଦୁଇଟି ଯାକ ପରୀକ୍ଷା ଦେଲେ ତେବେ ଇଣ୍ଟରନାଲ ଆସେସମେଣ୍ଟ 20%, ଅର୍ଦ୍ଧବାର୍ଷିକ ପରୀକ୍ଷା 30% ଓ ବାର୍ଷିକ ପରୀକ୍ଷା 50% ହିସାବରେ ରେଜଲ୍ଟ ପ୍ରକାଶିତ ହେବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 11, 2021, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.