ETV Bharat / state

Bahanaga Tragedy: 5ମାସ ପରେ SCBରୁ ଫେରିଲେ ବିହାରର ବଜରଙ୍ଗୀ, ଲାଗିଲା କୃତିମ ଗୋଡ଼

author img

By ETV Bharat Odisha Team

Published : Nov 9, 2023, 10:03 PM IST

ବାହନଗା ରେଳ ଦୁର୍ଘଟଣାରେ ଆହତ ହୋଇ SCBରେ ଚିକିତ୍ସିତ ହେଉଥିବା ବିହାରର ବଜରଙ୍ଗୀ ୫ ମାସ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ନଷ୍ଟ ହୋଇଯାଇଥିବାବେଳେ କୃତିମ ଗୋଡ଼ ଲଗାଯାଇଛି । ଅଧିକ ପଢନ୍ତୁ

bahanaga accident survivor returns home
SCBରୁ ଫେରିଲେ ବିହାରର ବଜରଙ୍ଗୀ

SCBରୁ ଫେରିଲେ ବିହାରର ବଜରଙ୍ଗୀ

କଟକ: ପ୍ରାୟ ୫ ମାସ ପରେ ସୁସ୍ଥ ହୋଇ ଘରକୁ ଫେରିଲେ ବିହାରର ବଜରଙ୍ଗୀ । ବାହନଗା ରେଳ ଦୁର୍ଘଟଣାରେ ଆହତ ହୋଇ SCBରେ ଚିକିତ୍ସିତ ହେଉଥିବା ଶେଷ ଆହତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବଜରଙ୍ଗୀ ଠାକୁରଙ୍କ ବାମ ଗୋଡ କଟିଯାଇଥିବାବେଳେ ତାଙ୍କର କୃତିମ ଗୋଡ ଲଗାଯାଇଛି। ୫ ମାସ ପରେ ଘରକୁ ଫେରୁଥିବା ଯୋଗୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ପରିବାର । ସେହିଭଳି ବଜରଙ୍ଗୀଙ୍କ ଚିକିତ୍ସା କେତେ କଷ୍ଟ ସାଧ୍ୟ ଥିଲା ସେ ବିଷୟରେ କହିଛନ୍ତି ମେଡ଼ିକାଲର ବରିଷ୍ଠ ଡାକ୍ତର ଓ ଅଧିକାରୀ ।

୨୦୨୩ ମସିହା ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଳା ବାହାନଗା ରେଳ ଷ୍ଟେସନଠାରେ ଘଟିଥିଲା ଭୟାବହ ଟ୍ରେନ ଦୁର୍ଘଟଣା । ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଥିବାବେଳେ ହଜାରରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଥିଲେ । ଗୁରୁତରମାନଙ୍କୁ କଟକ SCB ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ବିହାରର ବଜରଙ୍ଗୀ ଠାକୁର। ସେ ଯଶବନ୍ତ ପୁର ହାଓରା ଏକ୍ସପ୍ରେସରେ ନିଜର କର୍ମକ୍ଷେତ୍ର ବାଙ୍ଗାଲୋରରୁ ନିଜ ଘର ବିହାରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ତେବେ ଦୁର୍ଘଟଣାରେ ବଜରଙ୍ଗୀଙ୍କର ବାମ ଗୋଡ ଖଣ୍ଡ ବିଖଣ୍ଡିତ ହୋଇଯାଇଥିବାବେଳେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା କରାଯାଇଥିଲା। ଗୋଡଟିକୁ କଟାଯାଇ ଏକ କୃତ୍ରିମ ଗୋଡ ଲଗାଯାଇଛି। ଦୀର୍ଘ ୫ ମାସ ଧରି ମେଡ଼ିକାଲରେ ଚିକିତ୍ସିତ ହେବା ପରେ ଆଜି ଶେଷରେ ବଜରଙ୍ଗୀ ଘରକୁ ଫେରିଛନ୍ତି। ଏନେଇ ବେଶ ଖୁସି ବ୍ୟକ୍ତ ବଜରଙ୍ଗୀ ଓ ତାଙ୍କ ପତ୍ନୀ।

ଏହା ବି ପଢନ୍ତୁ...ଅଚିହ୍ନା ମୃତକଙ୍କ ସାଥି ମଧୁସ୍ମିତା ପୃଷ୍ଟି, ଚ୍ୟାଲେଞ୍ଜ ଥିଲା ବାହାନଗା ଅପରିଚିତ ମୃତକଙ୍କ ଅନ୍ତିମ ସଂସ୍କାର

ଅପରପକ୍ଷେ, ବିଭିନ୍ନ ସମୟରେ କଟା ହାତ ଓ ଗୋଡ ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା SCB ମେଡ଼ିକାଲକୁ ମିଳିଛି ଆଉ ଏକ ସଫଳତା । ବଜରଙ୍ଗୀଙ୍କ କ୍ଷେତ୍ରରେ ମଧ୍ୟ ସଫଳ ଅସ୍ତ୍ରୋପଚାର କରାଯାଇଛି ।" ବଜରଙ୍ଗୀଙ୍କ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଥିଲା । ବହୁ ଚ୍ୟାଲେଞ୍ଜ ସତ୍ତ୍ବେ ବଜରଙ୍ଗୀଙ୍କ କଟା ଗୋଡ଼ ଜାଗାରେ କୃତ୍ରିମ ଅଙ୍ଗକୁ ଲଗାଯାଇ ପାରିଛି," ବୋଲି କହିଛନ୍ତି ଅର୍ଥୋପେଡିକ ବିଭାଗ ଡାକ୍ତର ତାପସ କୁମାର ପାଣିଗ୍ରାହୀ। ସେ ଏବେ ଅନ୍ୟ ସମସ୍ତ କାର୍ଯ୍ୟ କରି ପାରିବେ ବୋଲି କହିଛନ୍ତି ବରିଷ୍ଠ ଡାକ୍ତରୀ ଦଳ। ସେହିଭଳି ଘରକୁ ଫେରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଥିବା କଥା କହିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.