ETV Bharat / state

ବାଲିଯାତ୍ରା ଟେଣ୍ଡର ପାର୍କିଂରେ ଅନିୟମିତତା ଅଭିଯୋଗ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ କହିଲେ ମେୟର

author img

By ETV Bharat Odisha Team

Published : Nov 21, 2023, 8:33 PM IST

Updated : Nov 21, 2023, 10:31 PM IST

କଟକର ପ୍ରସିଦ୍ଧ ବାଲିଯାତ୍ରା ଟେଣ୍ଡର ପାର୍କିଂରେ ଅନିୟମିତତା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ମେୟର । ଅଧିକ ପଢ଼ନ୍ତୁ

tender irregularity in Cuttack Baliyatra Parking
tender irregularity in Cuttack Baliyatra Parking

ବାଲିଯାତ୍ରା ଟେଣ୍ଡର ପାର୍କିଂରେ ଅନିୟମିତତା ଅଭିଯୋଗ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ କହିଲେ ମେୟର

କଟକ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ଲଟ୍‌ ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାଇକ ଷ୍ଟାଣ୍ଡ୍‌ର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଏହି ନିଲାମ ପ୍ରକ୍ରିୟା ଆରମ୍ଭରୁ ଏହି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ ଆସିବା ପରେ ଆସିଛି କଟକ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ପାର୍କିଂ ପାଇଁ କଟକ ମହାନଗର ନିଗମ ପକ୍ଷରୁ ପ୍ରଥମେ ୧୫ ଟି ବାଇକ ଷ୍ଟାଣ୍ଡ୍‌ର ନିଲାମ ପ୍ରକ୍ରିୟା କରାଯାଇଥିଲା । ହେଲେ ସିଲଭର୍‌ ସିଟି ବୋଟ୍‌ କ୍ଲବ ନିକଟରେ ଥିବା ଦୁଇଟି ଷ୍ଟାଣ୍ଡ A ଓ B ପାଇଁ ବିଡ଼ରମାନେ ଅସମ୍ଭବ ଓ ଅବାସ୍ତବ ବିଡିଂ କରିଛନ୍ତି । ଗୋଟିଏ ଷ୍ଟାଣ୍ଡ ପାଇଁ ୬୦ କୋଟି ଟଙ୍କାର ବିଡ୍‌ କରାଯାଇଥିବା ବେଳେ ଦ୍ଵିତୀୟଟିରେ ୪୫ କୋଟି ଟଙ୍କାର ଵିଡ୍‌ କରାଯାଇଛି । ଗୋଟିଏ ଷ୍ଟାଣ୍ଡରେ ପ୍ରତି ବର୍ଗଫୁଟ ପିଛା ସର୍ବନିମ୍ନ ୧୨ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ତାହାକୁ ୧୨ ହଜାର ଅନ୍ୟଟିରେ ୧୦ ଟଙ୍କା ସର୍ବନିମ୍ନ ବର୍ଗଫୁଟ ରଖାଯାଇଥିବା ବେଳେ ତାହାକୁ ୮ ହଜାର ୫୦୦ ଟଙ୍କାରେ ଵିଡ କରାଯାଇଛି । କହିବାକୁ ଗଲେ ଏଗୁଡ଼ିକ ସର୍ବନିମ୍ନ ବିଡ ମୂଲ୍ୟର ପାଖାପାଖି ଏକ ହଜାର ଗୁଣା, ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

କାହିଁକି ଅନିୟମିତତା ଅଭିଯୋଗ ? :- ଯଦି ଜଣେ ୬୦ କୋଟି ଟଙ୍କାର ମୂଲ୍ୟରେ ପାର୍କିଂ ପାଇଁ ସୁଯୋଗ ପାଏ, ତେବେ ଉକ୍ତ ପାର୍କିଂରୁ ଗୋଟିଏ ଗାଡ଼ି ପିଛା ସର୍ବାଧିକ ୫୦ରୁ ୬୦ଟଙ୍କା ଆଦାୟ କରିବ ଏବଂ ୫୦ ହଜାର ବର୍ଗଫୁଟ ହିସାବରେ ମୋଟ ସେ ଗୋଟିଏ ଦିନରେ ୨ ଲକ୍ଷ ଟଙ୍କା ଆଦାୟ କରିପାରିବ । ତେବେ ୮ ଦିନ ବାଲିଯାତ୍ରାରେ ସର୍ବାଧିକ ୧୬ ଲକ୍ଷ ଟଙ୍କା ଆଦାୟ କରିପାରିବ । ହେଲେ ନିଲାମ ପ୍ରକ୍ରିୟାରେ ସର୍ବାଧିକ ୬୦ କୋଟି ଟଙ୍କା କିଭଳି ଭାବରେ ଅବାସ୍ତବ ବିଡ୍‌ କଲେ ତାହାକୁ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ କର୍ପୋରେଟର ଶୁଭାଶିଷ ପଟ୍ଟନାୟକ ।

ଏହା ବି ପଢନ୍ତୁ- ବାଲିଯାତ୍ରାରେ ରହିବ ଇନକମ ଟ୍ୟାକ୍ସ ହବ, ଆୟକର ରିଟର୍ଣ୍ଣ ସମ୍ବନ୍ଧରେ କରାଯିବ ସଚେତନ

ଏହା ସହ କଟକ ମହାନଗର ନିଗମର କିଛି ଅସାଧୁ କର୍ମଚାରୀ ଏଭଳି ସର୍ବାଧିକ ବିଡ୍‌ କରିବା ପାଇଁ ଗୁରୁମନ୍ତ୍ର ଦେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଏହି ନିଲାମ ପ୍ରକ୍ରିୟାରେ ସର୍ବାଧିକ ନିଲାମି ଡାକି ଥିବା ବ୍ୟବସାୟୀଙ୍କୁ L1 ଓ ତାଙ୍କ ତଳକୁ ନିଲାମ ଡାକିଥିବା ବ୍ୟବସାୟୀ L2 ଆଖ୍ୟା ଦିଆଯାଇଥାଏ । ହେଲେ ଏହି ନିଲମୀ ପ୍ରକ୍ରିୟାରେ ଏକ ହଜାର ଗୁଣା କମ୍ ଟଙ୍କାରେ ଦ୍ଵିତୀୟ ନିଲାମଧାରୀ L2 ରହିଥିବା ଯୋଗୁଁ ସିଧାସଳଖ ଲାଭ ଏମାନଙ୍କ ପାଖକୁ ହିଁ ଯିବ । ତେଣୁ ସହଜ ଓ ଅସାଧୁ ଉପାୟରେ ଏହା ଏକ ସ୍କାମ୍‌ ଭଳି କାର୍ଯ୍ୟ କରୁଥିବା କଥା କହିଛନ୍ତି ବିଜେପି କର୍ପୋରେଟର ଦୀପକ କୁମାର ଦାସ ।

ବାଲିଯାତ୍ରା ପାଇଁ ପାର୍କିଂ ଷ୍ଟାଣ୍ଡ୍‌ ଟେଣ୍ଡର ବିଡ଼ିଂରେ ବଡ଼ ଧରଣର ଫିକ୍ସିଂ ଦେଖିବାକୁ ମିଳିଛି । ସହଜରେ ପାର୍କିଂ ହାତେଇବା ପାଇଁ ଆବେଦନକାରୀଙ୍କ ଅଭିନବ ଫିକ୍ସିଂ କରାଯାଇଛି । ପାର୍କିଂର ବିଡ୍‌ ମୂଲ୍ୟ ୬ଲକ୍ଷ ଟଙ୍କା ମୂଲ୍ୟ ଥିବା ବେଳେ ୬୦ କୋଟି ଟଙ୍କାରେ ଷ୍ଟାଣ୍ଡ୍‌ ନିଲାମ ନେବାରେ ଆବେଦନ କରାଯାଇଛି । ଜାଣିଶୁଣି ଦ୍ଵିତୀୟ ବିଡରକୁ କମ୍‌ ମୂଲ୍ୟରେ ଦେବା ପାଇଁ ପ୍ରଥମ ବିଡର ଅବାସ୍ତବ ବିଡିଂ କରୁଥିବା ସହ ଏଥିରେ ବଡ଼ ଘୋଟାଲାର ଗନ୍ଧ ବାରି ହେଉଥିବା କଥା କହିଛନ୍ତି ବିରୋଧୀ ଦଳର କର୍ପୋରେଟର ।

ଏହା ବି ପଢନ୍ତୁ- ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର: ମୁଖ୍ୟ ଆକର୍ଷଣ ହେବ ଟନେଲ ଆକ୍ବାରିୟମ, ଦର୍ଶକଙ୍କୁ ମିଳିବ ବ୍ୟାଙ୍କକ ଅନୁଭବ

ସେହିଭଳି ଅନ୍ୟ ନିଲାମଧାରୀମାନଙ୍କୁ ହଟାଇ ସହଜ ଓ ସୁବିଧା ଉପାୟରେ ଷ୍ଟାଣ୍ଡ୍‌ ନିଲାମ ହାତେଇବାକୁ କରାଯାଉଥିବା ଷଡ଼ଯନ୍ତ୍ର ଉପରେ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାସ ସିଂ । ସେ କହିଛନ୍ତି, "ଏଭଳି ଖେଳ କଟକ ମହାନଗର ନିଗମ କେବେ ବି ବରଦାସ୍ତ କରିବ ନାହିଁ । ଏହା ଯୋଗୁଁ କଟକ ମହାନଗର ନିଗମର କ୍ଷତି ହେବ ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଏଥିସହିତ ଯିଏ ବି ଏଭଳି ଅବାସ୍ତବ ଓ ଅସାଧୁ କାର୍ଯ୍ୟ କରିବାକୁ ପ୍ରୟାସ କରୁଥିବ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, କଟକ

Last Updated : Nov 21, 2023, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.