ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତଙ୍କ ପରଲୋକ, ବାପାଙ୍କ ବିୟୋଗର ବର୍ଷ ପରେ ଚାଲିଗଲେ ପୁଅ

author img

By

Published : Jan 25, 2023, 9:04 AM IST

Updated : Jan 25, 2023, 12:53 PM IST

late actor Mihir Das youngest son passes away

ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତଙ୍କ ଦେହାନ୍ତ ହୋଇଛି । ବାପାଙ୍କ ବିୟୋଗରେ ଗୋଟିଏ ବର୍ଷରେ ଚାଲିଗଲେ ଅକ୍ଳାନ୍ତ । ଅଧିକ ପଢନ୍ତୁ

ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତଙ୍କ ପରଲୋକ

କଟକ: ଓଲିଉଡ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଅକ୍ଳାନ୍ତ । ଭୁବନେଶ୍ବରର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅକ୍ଲାନ୍ତ । କଟକ ସତୀଚଉରା ଶଶ୍ମାନରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ଓଲିଉଡ ଅଭିନେତା ମହିର ଦାସ ଗତବର୍ଷ ଜାନୁଆରୀ 11 ତାରିଖରେ ଦୁନିଆକୁ ଅଲବିଦା କହିଥିଲେ । ମହିର ଦାସଙ୍କ ବିୟୋଗଙ୍କୁ ଗୋଟିଏ ବର୍ଷ ହେଉ ହେଉ ଦୁନିଆ ଛାଡି ଚାଲି ଯାଇଛନ୍ତି ତାଙ୍କ ସାନ ପୁଅ ଅକ୍ଳାନ୍ତ ଦାସ । ଅକ୍ଳାନ୍ତଙ୍କୁ ମାତ୍ର 26 ବର୍ଷ ବୟସ ହୋଇଥିଲା ।

ସ୍ବର୍ଗତ ମିହିର ଦାସଙ୍କ ଦୁଇ ପୁଅ । ବଡପୁଅ ଅମ୍ଳାନ ଦାସ ଓ ଅକ୍ଳାନ୍ତ ଦାସ । ଅମ୍ଳାନ ଓଲିଉଡ ଫିଲ୍ମରେ ଅଭିନୟ କରନ୍ତି । ଅକ୍ଳାନ୍ତ ଅଭିନୟ ଜଗତରୁ ଦୂରରେ ଥିଲେ । ମହିର ଦାସଙ୍କ ବିୟୋଗ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ଅକ୍ଳାନ୍ତ । ଏହାପରେ ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ଭୁବନେଶ୍ବରର AIIMSରେ ଚିକିତ୍ସିତ ହେଉଥିଲେ ଅକ୍ଲାନ୍ତ । ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଲିଭରଜନିତ ସମସ୍ୟା ପାଇଁ ଅସୁସ୍ଥ ଥିଲେ ଅକ୍ଳାନ୍ତ । ଆଜି କଟକ ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମହିର ଦାସ ତାଙ୍କ ସାନପୁଅକୁ ବହୁତ ଭଲ ପାଉଥିଲେ । ବାପାଙ୍କୁ ହରାଇ ଅକ୍ଳାନ୍ତ ମାନସିକ ଚିନ୍ତାରେ ମଧ୍ୟ ଥିଲେ ।

ମହିର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦିନକ ପୂର୍ବରୁ ଅସୁସ୍ଥ ହୋଇଥିଲେ ଅକ୍ଳାନ୍ତ । ବାପାଙ୍କୁ ହରାଇ ସେ ଦୁଃଖରେ ଭାଙ୍ଗି ପଡିଥିଲେ । ମହିର ଦାସ ଯିବାର ବର୍ଷେ ପରେ ଦୁନିଆରୁ ବିଦାୟ ନେଇଛନ୍ତି ଅକ୍ଳାନ୍ତ । ଠିକ ମହିର ଦାସଙ୍କର ଶେଷକୃତ୍ୟ ହୋଇଥିବା ସ୍ଥାନରେ ହିଁ ଅକ୍ଳାନ୍ତଙ୍କ ଶେଷକୃତ୍ୟ ହୋଇଛି । ବଡଭାଇ ଅମ୍ଳାନ ଅକ୍ଳାନ୍ତଙ୍କୁ ମୁଖାଗ୍ନି ଦେଇଛନ୍ତି । ଅତି କମ ବୟସରେ ଅକ୍ଳାନ୍ତଙ୍କ ଚାଲିଯିବାକୁ କେହି ଗ୍ରହଣ କରି ପାରୁନାହାନ୍ତି । ଓଲିଉଡରେ ସମସ୍ତ କଳାକାର ଅକ୍ଳାନ୍ତଙ୍କ ବିୟୋଗ ଖବର ଶୁଣି ଭାଙ୍ଗି ପଡିଛନ୍ତି । ଭଗବାନଙ୍କ ଏ କି ବିଚିତ୍ର ଲୀଳା ଦୁନିଆରେ ଏକୁଟିଆ ହୋଇଯାଇଛନ୍ତି ଅମ୍ଳାନ ଦାସ ।

ଅନେକ ବର୍ଷ ତଳୁ ମହିର ଦାସଙ୍କ ପତ୍ନୀଙ୍କ ବିୟୋଗ ହୋଇଥିଲା । ଗତ ବର୍ଷ ମିହିର ଦାସଙ୍କ ପରଲୋକ ପୁଣି ଏବେ ତାଙ୍କ ସାନ ପୁଅ ଅକ୍ଳାନ୍ତଙ୍କ ଦେହାନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବାପା ମାଆ ଓ ଭାଇଙ୍କୁ ହରାଇ ସମ୍ପୂର୍ଣ୍ଣ ଏକା ହୋଇଯାଇଛନ୍ତି ଅଭିନେତା ଅମ୍ଲାନ ଦାସ । ତିନି ଜଣଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଅମ୍ଳାନ ।

ଇଟିଭି ଭାରତ, କଟକ

Last Updated :Jan 25, 2023, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.