ETV Bharat / state

ବୌଦ୍ଧରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ପୁରା ଉଁଆସ ପର୍ବ

author img

By ETV Bharat Odisha Team

Published : Sep 15, 2023, 7:25 AM IST

ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ପୁରା ଉଁଆସ ପର୍ବ
ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ପୁରା ଉଁଆସ ପର୍ବ

ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟାକୁ ପାଳନ କରାଯାଏ ପୁରା ଉଁଆସ ପର୍ବ । ଅଧିକ ପଢନ୍ତୁ

ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ପୁରା ଉଁଆସ ପର୍ବ

ବୌଦ୍ଧ: ଜିଲ୍ଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଲା ପୁରା ଉଁଆସ । ଏହି ପାରମ୍ପରିକ ପର୍ବ କାହିଁ କେଉଁ କାଳରୁ ପାଳନ ହୋଇ ଆସୁଥିବା ବେଳେ ବର୍ଷ ତମାମ ଏହି ଦିନଟି ପାଇଁ କୁମ୍ଭାର ଓ ବେତରା ସଂପ୍ରଦାୟର କାରିଗରମାନେ ଅପେକ୍ଷା କରିଥାଆନ୍ତି । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ଭାବରେ ପାଳନ କରାଯାଏ । ଏହି ପର୍ବରେ ବିଭିନ୍ନ ଦେବାଦେବୀ ପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଏହାକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁରା ଉଁଆସ ଭାବରେ ପାଳନ କରାଯାଇଥାଏ ।

ଜିଲ୍ଲାର ପ୍ରାୟ ସମସ୍ତ ଗ୍ରାମରେ ପୁରା ଉଁଆସ ଉପଲକ୍ଷେ ବିଭିନ୍ନ ଧାର୍ମିକ ପୀଠରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କୁମ୍ଭାର ସଂପ୍ରଦାୟର କଳାକାର ମାଟିର ବିଭିନ୍ନ ଘରକରଣା ସାମଗ୍ରୀ ସଜ ଆକାରରେ ପସରା ମେଲାଇଥାନ୍ତି । ଏହାସହ ବେତେରା ସଂପ୍ରଦାୟର କାରିଗରମାନେ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ପାଛିଆ, କୁଲା, ଚାଙ୍ଗୁଡି ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି । ତେବେ ବର୍ତ୍ତମାନ ଆଧୁନିକତାର ଚାକଚକ୍ୟ ମଧ୍ୟରେ ତଥା ମୋବାଇଲ ଇଣ୍ଟରନେଟ ଯୁଗରେ ଏଭଳି ପାରମ୍ପରିକ ଉତ୍ସବ ଧିରେ ଧିରେ ମଭଳି ଯାଉଛି ।

ଏହା ମଧ୍ୟ ପଢନ୍ତୁ..ପୁରା ଉଁଆସ ପାଇଁ ଉତ୍ସବମୁଖର ସୁବର୍ଣ୍ଣପୁର, ସାଂସାରିକ ଜୀବନ ବିଷୟରେ ଜାଣିବେ ଶିଶୁ

କଣ ଏହି ପୁରା ଉଁଆସ ପର୍ବ: ପୁରା ଉଁଆସ ପର୍ବ ଉପଲକ୍ଷେ ଗାଁ ଗାଁରେ କୁନି ଝିଅମାନେ ପାଛିଆ, ଚାଙ୍ଗୁଡିରେ ମୁଗ, ଗହମ, ଚଣା, ତିଆସି ବୁଟ, ଶିମ୍ବ ମଞ୍ଜି, କୋଳଥ ଭଳି ବିଭିନ୍ନ ରବିଜାତୀୟ ସାମଗ୍ରୀ ସହିତ ଗାଁର ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ପରେ ଏହି ସବୁ ଦ୍ରବ୍ୟକୁ ଅପରାହ୍ନରେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରାଯାଏ । କୁନିପୁଅମାନେ ମାଟି ଓ କାଠରେ ପ୍ରସ୍ତୁତ ହାତୀ, ଘୋଡ଼ା, ହନୁମାନଙ୍କ ପ୍ରତିମୂର୍ତ୍ତିକୁ ଟାଣି ସେମାନଙ୍କ ପାଇଁ ରବି ଫସଲ ସଂଗ୍ରହ କରିଥାନ୍ତି । ଏଥିରେ କୁନି ପୁଅ ଝିଅଙ୍କ ଅଂଶ ଗ୍ରହଣ କରୁଥିବା ବେଳେ ବୟସ୍କମାନେ ସେମାନଙ୍କୁ ସବୁକିଛି ମାର୍ଗଦର୍ଶନ କରନ୍ତି । କେତେକ ଏହାକୁ ପ୍ରାଚୀନ କାଳରେ ଯୁଦ୍ଧ ସମୟର କାହାଣୀ ସହ ଯୋଡାଯାଏ ତ ଆଉ କେତେବଳେ ବୋହୂ ହେବା ପୂର୍ବରୁ ଝିଅଙ୍କୁ ଏଭଳି ଶିକ୍ଷା ପ୍ରଦାନ ସହ ଯୋଡ଼ି ଥାଆନ୍ତି । ତେବେ ଏଭଳି ପ୍ରାଚୀନ ପାରମ୍ପରିକ ଯାତ୍ରା ଜିଲ୍ଲାର ପ୍ରାୟ ସମସ୍ତ ପ୍ରାଚୀନ ଗ୍ରାମ ତଥା ବସ୍ତିରେ ପାଳନ କରାଯାଇଛି । ବୌଦ୍ଧ ସହରର ନୂଆସାହି, ଶୁଦସାହି, କୁଷ୍ଠାସାହି ଭଳି ଅନେକ ବସ୍ତିରେ ଏଭଳି ପାରମ୍ପରିକ ଉତ୍ସବ ପାଳନ କରାଯାଇଥିଲା । ଜିଲ୍ଲାରେ କେତେକ ଏହାକୁ ବାଣ୍ଠୁଖେଳ ବୋଲି ମଧ୍ୟ କହିଥାନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.