ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 14, 2023, 4:54 PM IST

ବୌଦ୍ଧ ସଦର ବ୍ଲକ ବଘିଆପଡ଼ା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା । ଏନେଇ ଅଭିଯୋଗ ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

Pradhan Mantri Awas Yojana
Pradhan Mantri Awas Yojana

Pradhan Mantri Awas Yojana

ବୌଦ୍ଧ: ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା । ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ପକାଇ ଅଯୋଗ୍ୟ ହିତାଧାରୀଙ୍କୁ ଆବାସ ପ୍ରଦାନ କରାଯିବା ଏବଂ ଆକାଉଣ୍ଟରେ ବ୍ୟାପକ ହେରଫେର କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ହିତାଧିକାରୀଙ୍କ ଅଭିଯୋଗ ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗରିବ ଅସହାୟ ହିତାଧିକାରୀଙ୍କୁ ପକ୍କାଘର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମସ୍ତ ୬୯ ପଞ୍ଚାୟତରେ ଏହି କଲ୍ୟାଣକାରୀ ଯୋଜନାରୁ ଅନେକ ଗରିବ ହିତାଧିକାରୀ ଉପକୃତ ହୋଇଛନ୍ତି । କିନ୍ତୁ ଜିଲ୍ଲାର କେତେକ ପଞ୍ଚାୟତର କର୍ତ୍ତୃପକ୍ଷ ତଥା ବ୍ଲକର କରିତକର୍ମା କର୍ମଚାରୀ ଏହି ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ତଥା ହେରଫେର କରୁଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧୀକାରୀଙ୍କୁ ଏଭଳି ଯୋଜନାରେ ସାମିଲ କରାଯାଇଥିବା ନେଇ ଅଭିଯୋଗ ହୋଇ ଆସୁଛି ।

ଏହା ମଧ୍ୟ ପଢନ୍ତୁ- ଆସୁନି ଆବାସ ଯୋଜନା ସହାୟତା ରାଶି, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

ହେଲେ ବର୍ତ୍ତମାନ ହିତାଧିକାରୀଙ୍କ ଆକାଉଣ୍ଟ ହେରଫେର କରି ଏହି ଆବାସ ଯୋଜନାରେ ଦୁର୍ନୀତି ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଜିଲ୍ଲା ସଦର ବ୍ଲକ ବଘିଆପଡା ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ଆବାସ ଗୃହ ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟକୁ ବିଭାଗୀୟ ଅଧିକାରୀ ଛାଡ଼ି ଦେଇଛନ୍ତି । ଏହାର ଅଭିଯୋଗ କରିବା ପରେ ଓଲଟି ପ୍ରକୃତ ହିତାଧିକାରୀଙ୍କୁ ନାଲି ଆଖି ଦେଖାଇ ବାରମ୍ବାର ହଇରାଣ କରାଯାଉଥିବା ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ହିତାଧିକାରୀ କାନ୍ଦି କାନ୍ଦି ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଭଳି ଅନିୟମିତତା ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ହୋଇଥିବା ସାମାଜିକ କର୍ମୀ ଅଭିଯୋଗ ଆଣିଛନ୍ତି । ତେଣୁ ଏନେଇ ବିଭିନ୍ନ ତଥ୍ୟକୁ ଆଧାର କରି ଜିଲ୍ଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.