ରାସନ ପାଇଁ ହିତାଧିକାରୀଙ୍କ ଆମରଣ ଅନଶନ, ପ୍ରତିଶୃତି ଦେଲେ ବିଡିଓ

author img

By

Published : Mar 18, 2023, 12:23 PM IST

ରାସନ କାର୍ଡ  ହିତାଧିକାରୀଙ୍କ ଆମରଣ ଅନଶନ

ରାସନ ସାମଗ୍ରୀ ମିଳୁନଥିବା ଅଭିଯୋଗରେ ବ୍ଲକ ପରିସରରେ ହିତାଧିକାରୀଙ୍କ ଆମରଣ ଅନଶନ । ଅଧିକ ପଢନ୍ତୁ

ରାସନ କାର୍ଡ ହିତାଧିକାରୀଙ୍କ ଆମରଣ ଅନଶନ

ଭଦ୍ରକ: କାର୍ଡ ଅଛି ହେଲେ ମିଳୁନି ରାସନ ସାମଗ୍ରୀ । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ରାସନ କାର୍ଡରେ ପରିବାର ସଦସ୍ୟଙ୍କ ନାମ ଯୋଡା ହେଉନି । ରାସନ ସାମଗ୍ରୀ ନମିଳିବା ଏବଂ ଏହି କାର୍ଡରେ ତ୍ରୁଟିକୁ ନେଇ ଶୁକ୍ରବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପରିସରରେ ଆମରଣ ଅନଶନ କରିଛନ୍ତି ହିତାଧିକାରୀ । ଯୋଗାଣ ବିଭାଗର କର୍ମଚାରୀଙ୍କ ପରାମର୍ଶ ମୁତାବକ ଆଧାର କାର୍ଡ଼ରେ ଥିବା ତ୍ରୁଟି ସଂଶୋଧନ କରିବା ପରେ ବି ରାସନ କାର୍ଡ଼ରେ ନାମ ସଂଯୋଗ କରାଯାଉନାହିଁ । ଫଳରେ ରାସନ ସାମଗ୍ରୀ ପାଇବାରୁ ହିତାଧିକାରୀମାନେ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ତ୍ରିଲୋଚନ ଗୌତମ ଓ ଗିରିଜା ନନ୍ଦନ ପୋଥାଳଙ୍କ ସମେତ ହିତାଧିକାରୀମାନେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।

ସୂଚନା ଅନୁଯାୟୀ, ଗତ ୭ରୁ ୮ ମାସ ହେଲାଣି ହିତାଧିକାରୀଙ୍କ ନାମ ରାସନ କାର୍ଡରେ ସଂଯୋଗୀକରଣ ହେଉନାହିଁ । ଆଧାର କାର୍ଡ଼ରେ ତ୍ରୁଟି ଥିବା ଯୋଗୁଁ ନାମ ସଂଯୋଗୀକରଣ ହୋଇପାରୁନଥିବା କୁହାଯାଇଥିଲା । ହିତାଧିକାରୀମାନେ ପରେ ଏହି ତ୍ରୁଟି ସଂଶୋଧନ କରିଥିଲେ । ତଥାପି ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ରାସନ କାର୍ଡ଼ରେ ନାମ ସଂଯୋଗୀକରଣ କରାଯାଉନାହିଁ । ଫଳରେ ହିତାଧିକାରୀମାନେ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ରହୁଛନ୍ତି । ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଏବଂ ଗୁରୁବାର ବ୍ଳକ କାର୍ଯ୍ୟାଳୟର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ସେମାନେ ନୟାନ୍ତ ହୋଇଗଲେଣି ହେଲେ କୌଣସି ସୁଫଳ ମିଳୁନି । ହିତାଧିକାରୀଙ୍କୁ ଆଜି ଆସ କାଲି ଆସ କହି ପଠାଇ ଦିଆଯାଉଛି । ଅପେକ୍ଷାର ଧୈର୍ଯ୍ୟ ଅତିକ୍ରମ କରିବା ପରେ ଶେଷରେ ହିତାଧିକାରୀମାନେ ବାଧ୍ୟ ହୋଇ ଆମରଣ ଅନଶନ କରିଛନ୍ତି । ତେବେ ଏନେଇ ପୂର୍ବରୁ ଗତ ୨ତାରିଖରେ ବିଡିଓଙ୍କୁ ଲିଖିତ ଭାବେ ଜଣାଯାଇଥିଲା । ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ ନହେଲେ ଅନଶନରେ ବସିବେ ବୋଲି ମଧ୍ୟ ପ୍ରାକ ସୂଚନା ଦିଆଯାଇଥିଲା ।

ହିତାଧିକାରୀମାନେ ଦାବି କରିଛନ୍ତି ଯେ, ତିହିଡ଼ି ବ୍ଲକରେ ଜଣେ ସ୍ଥାୟୀ ଏମଆଇଙ୍କୁ ନିଯୁକ୍ତ କରାଯାଉ । ବ୍ଲକର ସମସ୍ତ ପଞ୍ଚାୟତ ଅଫିସରେ ବ୍ଲକ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ରାସନ କାର୍ଡ଼ରେ କଟିଯାଇଥିବା ନାମ ସଂଯୋଗୀକରଣ କରିବା ସହ ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ସାଧାରଣ ନାଗରିକ, ଉପଭୋକ୍ତାଙ୍କୁ ଶାଳୀନତା ପୂର୍ବକ ବ୍ୟବହାର କରନ୍ତୁ । ତେବେ ତିହିଡ଼ି ବିଡିଓ ଜ୍ୟୋତିର୍ମୟ କର ଅନଶନକାରୀଙ୍କ ସହ ଆଲୋଚନା କରି ତାଙ୍କ ଦ୍ୱାରା ଯାହା ସବୁ ସମ୍ଭବ ସେସବୁ ତୁରନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଡିଓଙ୍କ ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି । ତେବେ ଏନେଇ ବିଡିଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.